ଭୁବନେଶ୍ବର: ମହାରାଷ୍ଟ୍ରର ପୁନେରେ ବୁଧବାର ଉଦ୍ଯାପିତ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଜାତୀୟ ରୋଲ୍ ବଲ୍ ପ୍ରତିଯୋଗିତାରେ ଓଡ଼ିଶା ବାଳିକା ଦଳ ବିଜେତା ହୋଇଥିବା ବେଳେ ବାଳକ ଦଳ ଦ୍ବିତୀୟ ଉପବିଜେତା ହୋଇ ଗୌରବ ଆଣିଛନ୍ତି। ବାଳିକା ବର୍ଗରେ ଓଡ଼ିଶା-ମହାରାଷ୍ଟ୍ର ମିଳିତ ଦଳ ୫-୩ ଗୋଲ୍ରେ ମଧ୍ୟପ୍ରଦେଶ-ମଣିପୁର-ନାଗାଲାଣ୍ଡ୍ ମିଳିତ ଦଳକୁ ପରାସ୍ତ କରିଥିଲା। ବାଳକ ବର୍ଗରେ ଓଡ଼ିଶା-ମହାରାଷ୍ଟ୍ର ମିଳିତ ଦଳ ୨-୭ ଗୋଲ୍ରେ ଉତ୍ତରପ୍ରଦେଶ-ଅରୁଣାଚଳ ପ୍ରଦେଶ-ମେଘାଳୟଠୁ ହାରି ଦ୍ବିତୀୟ ରନର୍ସ ଅପ୍ ହୋଇଥିଲା। ଫାଇନାଲ୍ରେ ଗୁଜରାଟ-ଛତିଶଗଡ଼ ମିଳିତ ଦଳ ୭-୪ରେ ମଧ୍ୟପ୍ରଦେଶ-ମଣିପୁର-ନାଗାଲାଣ୍ଡ୍କୁ ପରାସ୍ତ କରି ବିଜେତା ଟ୍ରଫି ଜିତିଥିଲା।
ବଂଶିକା ଟିକମଣି ଓଡ଼ିଶା ବାଳିକା ଦଳର ନେତୃତ୍ବ ନେଇଥିବା ବେଳେ ସିଦ୍ଧାର୍ଥ ଦଳାଇ ପୁରୁଷ ଦଳର ନେତୃତ୍ବ ନେଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ରୋଲ୍ ବଲ୍ର ଭୀଷ୍ଣ ପିତାମହ ରାଜୁ ଦାଭାଡ଼େଙ୍କ ସହିତ ଓଡ଼ିଶା ରୋଲ୍ ବଲ୍ ସଂଘର ସମ୍ପାଦିକା ସୌଦାମିନୀ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନରେ ରୋଲ୍ ବଲ୍ ମଧ୍ୟ ଭାଇଚାରା ଭିତ୍ତିରେ ମିଳିତ ଦଳକୁ ନେଇ ଖେଳାଯିବା ଏକ ନୂଆ ପରମ୍ପରା ବୋଲି ପ୍ରକାଶ କରିଛନ୍ତି ଶ୍ରୀମତି ପାତ୍ର।