କଟକ: ଜଗତପୁରସ୍ଥିତ ସାଇ ଜଳକ୍ରୀଡ଼ା କେନ୍ଦ୍ରରେ ୩୮ତମ ଜାତୀୟ କନିଷ୍ଠ ରୋଇଂ ପ୍ରତିଯୋଗିତା ବୁଧବାରଠୁ ଆରମ୍ଭ ହୋଇଛି। ରାଜ୍ୟପାଳ ଏସ୍ ସି ଜମିର୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସର୍ବଭାରତୀୟ ରୋଇଂ ମହାସଂଘ ସଭାପତି ରାଜଲକ୍ଷ୍ମୀ ସିଂହଦେଓ, ଏମିରେଟସ୍ ରୋଇଂ ମହାସଂଘର ସଭାପତି କେପି ସିଂହଦେଓ, ଓଡ଼ିଶା ରୋଇଂ ଓ ସ୍କଲିଂ ସଂଘ ସଭାପତି ବିନୋଦ ଦାସ, ସମ୍ପାଦକ ଅମରଜ୍ୟୋତି ସିଂହଦେଓ, କଟକ ମହାନଗର ନିଗମ ମେୟର ମିନାକ୍ଷୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ରୋଇଂ ଖେଳାଳିଙ୍କୁ ଅନେକ ଶିକ୍ଷା ଦେଇଥାଏ। ହାରିବା, ଧର୍ଯ୍ୟ ରଖିବା, କମ୍ ଅନ୍ତରରେ ଅଧିକ ଫରକ ଆସିବା, ଦଳଗତ ମନୋଭାବ ଇତ୍ୟାଦି ଶିକ୍ଷାଲାଭ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେବ। ତେଣୁ ପାଣି ଭିତରକୁ ଯିବାବେଳେ ସବୁବେଳେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାକୁ ସମସ୍ତେ ଚେଷ୍ଟା କରିବା ଉଚିତ୍ ବୋଲି ରାଜ୍ୟପାଳ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ଜଗତପୁର ଜଳକ୍ରୀଡ଼ା କେନ୍ଦ୍ରର ଅଧିକ ଉନ୍ନତି ତଥା ଏହାକୁ କ୍ରୀଡ଼ା ସହିତ ପର୍ଯ୍ୟଟନର ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବାକୁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ଓଡ଼ିଶାର ଦୁଇ ଆନ୍ତର୍ଜାତିକ ପଦକଧାରୀ ପ୍ରତିମା ପୁହାଣ ଓ ପ୍ରମିଳାପ୍ରଭା ମିଞ୍ଜ୍ଙ୍କ ସହିତ ସମସ୍ତ ପ୍ରଶିକ୍ଷକମାନଙ୍କୁ ଉଦ୍ଘାଟନ ଉତ୍ସବରେ ସମ୍ବର୍ଧିତ କରାଯାଇଥିଲା। ୧୮ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଚାଲିବ। ପ୍ରତିଯୋଗିତାରେ ୧୮ ରାଜ୍ୟରୁ ପ୍ରାୟ ୫୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ସିଙ୍ଗଲ ସ୍କଲ୍, ଡବଲ ସ୍କଲ୍, କକ୍ସଲେସ ପେୟାର, କକ୍ସଲେସ୍ ଫୋର୍ ଇଭେଣ୍ଟରେ ପ୍ରତିଦ୍ୱନ୍ଦିତା ହେବ। ଓଡ଼ିଶା ପକ୍ଷରୁ ୬ ବାଳକ ଓ ୯ ବାଳିକା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି।
ଦେହ କେରଳ, ମନ ଓଡ଼ିଶା
କଟକ(ଦୀପ୍ତିରଂଜନ ସାମଲ): ଓଡ଼ିଶା ରୋଇଂର ଦ୍ରୋଣାଚାର୍ଯ୍ୟ ଭାବେ ଜୋସ୍ ଜାକବ୍ଙ୍କୁ ବିବେଚନା କରାଯାଏ। ତାଙ୍କ ପ୍ରଶିକ୍ଷଣରେ ଓଡ଼ିଶା ଖେଳାଳିମାନେ ପାଖାପାଖି ୩୦୦ ପଦକ ଜିତିସାରିଛନ୍ତି। ୨୦୧୦ ଏସୀୟ କ୍ରୀଡ଼ାରେ ପ୍ରତିମା ପୁହାଣ ଓ ପ୍ରମିଳାପ୍ରଭା ମିଞ୍ଜଙ୍କ କାଂସ୍ୟ ପଦକ ହାସଲ ପଛରେ ଜାକବ୍ଙ୍କ ଅବଦାନ ଅନେକ। ଏହି ଦୁଇଜଣଙ୍କ ବ୍ୟତୀତ ୫୦ରୁ ଅଧିକ ଜାତୀୟ ପଦକଧାରୀଙ୍କୁ ସେ ନିଜ ହାତରେ ଗଢିଛନ୍ତି। ଏଥିପାଇଁ ୨୦୧୪ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଗତବର୍ଷ ସେ ଓଡ଼ିଶା ଛାଡ଼ି କେରଳରେ ପ୍ରଶିକ୍ଷଣ ଦେବାକୁ ଚାଲିଯାଇଛନ୍ତି। ଜଗତପୁରରେ ଆରମ୍ଭ ହୋଇଥିବା ଜାତୀୟ କନିଷ୍ଠ ରୋଇଂ ପ୍ରତିଯୋଗିତାରେ କେରଳ ଦଳକୁ ଆଣି ଆସିଥିବା ଜାକବ୍ ସାର୍ଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତକାର।
ସମ୍ବାଦ: ଏତେ ଦିନ ପରେ ପୁଣି ଓଡ଼ିଶାକୁ ଆସିଛନ୍ତି, କେମିତି ଲାଗୁଛି?
ଜାକବ୍: ଓଡ଼ିଶାକୁ ଛାଡ଼ି କେରଳରେ ପ୍ରଶିକ୍ଷଣ ଦେବା ଭିନ୍ନ କଥା। କିନ୍ତୁ ଦେଢ ବର୍ଷ ପରେ ଓଡ଼ିଶାକୁ ଫେରିବା ବହୁତ ଖୁସି ଲାଗୁଛି। ଓଡ଼ିଶାରୁ ମୋର ପରିଚୟ ସୃଷ୍ଟି ହୋଇଛି। ଓଡ଼ିଶା ମୋର ଜୀବନ। ଦେହ କେରଳରେ ରହୁଥିଲେ ବି ମନ ଓଡ଼ିଶାରେ ରହିଛି। ତଥାପି ମୋର କିଛି ଅସୁବିଧା ଥିବାରୁ ଏବେ କେରଳ ଚାଲିଯାଇଛି।
ସମ୍ବାଦ: ଆପଣଙ୍କ ହାତଗଢା ଖେଳାଳିମାନଙ୍କୁ ଏବେ ଭେଟିବା ପରେ କ’ଣ ଭାବନା ଆସୁଛି?
ଜାକବ୍: ମୋ ପିଲାମାନଙ୍କୁ ଦେଖିଲେ ବହୁତ ଖୁସି ଲାଗୁଛି। ଜଗତପୁର ମଧ୍ୟ ମୋର ଘର ଭଳି। ଏଠାରେ ଅନେକ ପିଲାଙ୍କୁ ଗଢିଛି। ସେମାନେ ବିଭିନ୍ନ ସ୍ଥାନରେ ରହୁଥିଲେ ବି ଜାତୀୟ ପ୍ରତିଯୋଗିତା ବେଳେ ସେମାନଙ୍କ ସହିତ ଦେଖାହେଉଛି। ସେମାନଙ୍କ ପ୍ରତି ମୋ ମନରେ ସବୁବେଳେ ସ୍ୱତନ୍ତ୍ର ସ୍ଥାନ ରହିବ।
ସମ୍ବାଦ: ଓଡ଼ିଶା ଓ କେରଳ ଖେଳାଳିଙ୍କ ଭିତରେ କ’ଣ ଫରକ ଦେଖୁଛନ୍ତି?
ଜାକବ୍: ଉଭୟ ରାଜ୍ୟର ଖେଳାଳିଙ୍କ ଭିତରେ ବିଶେଷ କିଛି ଫରକ ନାହିଁ। କେବଳ ବୈଷୟିକ ଜ୍ଞାନ ଦୃଷ୍ଟିରୁ ଓଡ଼ିଶା ଆଗରେ ରହିବ। କେରଳରେ ଖେଳ ସହିତ ପାଠପଢାରେ ସେମାନେ ଅଧିକ ଧ୍ୟାନ ଦିଅନ୍ତି। କିନ୍ତୁ ଓଡ଼ିଶା ପିଲାଙ୍କୁ ଅଧିକରୁ ଅଧିକ ପ୍ରଶିକ୍ଷଣ ଦେଲେ ସେମାନେ ବୈଷୟିକ ଭାବେ ବହୁତ ମଜବୁତ୍ ହୋଇପାରିବେ।
ସମ୍ବାଦ: ନବାଗତ ତଥା ଯୁବ ଖେଳାଳିଙ୍କ ଉନ୍ନତି ପାଇଁ କ’ଣ କହିବେ?
ଜାକବ୍: ପ୍ରତ୍ୟେକ ଖେଳାଳିଙ୍କ ପାଇଁ ମୂଳଦୁଆ ସଠିକ୍ ରହିବା ନିହାତି ଦରକାର। କଠିନ ପରିଶ୍ରମ ଓ ଆରମ୍ଭରୁ ଖେଳ ଉପରେ ଧ୍ୟାନ କେନ୍ଦ୍ରିତ କଲେ ସଫଳତା ମିଳିବ। ଓଡ଼ିଶା ପିଲାଙ୍କ ଟେକ୍ନିକ୍ ଭଲ ରହୁଛି। ତେଣୁ ପ୍ରଶିକ୍ଷଣ ଶିବିରରେ ତାଙ୍କୁ ଯେତେ ଅଧିକ ଅଭ୍ୟାସ କରାଯିବ ସେମାନେ ସେତେଶୀଘ୍ର ଉନ୍ନତି କରିବେ।
ସମ୍ବାଦ: ଓଡ଼ିଶାରେ ୧୬ ବର୍ଷର ରହଣି ଭିତରେ ଆପଣଙ୍କ ଶ୍ରେଷ୍ଠ ଖେଳାଳି କିଏ?
ଜାକବ୍: ପ୍ରତିମା, ପ୍ରମିଳା, ମୀନା ଏମାନେ ମୋ ପ୍ରଶିକ୍ଷଣ ସମୟରେ ଆନ୍ତର୍ଜାତିକ ପଦକ ଜିତିଥିଲେ। ଭାରତ ପାଇଁ କୀର୍ତ୍ତିମାନ ମଧ୍ୟ କରିଥିଲେ। ତେଣୁ ଏମାନଙ୍କୁ ଶ୍ରେଷ୍ଠ କହିପାରିବି। କିନ୍ତୁ ଅନ୍ୟମାନେ ମଧ୍ୟ କୌଣସିମତେ କମ୍ ନୁହଁନ୍ତି। ପ୍ରତ୍ୟେକ ଖେଳାଳି ସେମାନଙ୍କ ପ୍ରଦର୍ଶନରେ ମୋତେ ସନ୍ତୁଷ୍ଟ କରିପାରିଛନ୍ତି।
ସମ୍ବାଦ: ଶେଷ ପ୍ରଶ୍ନ..ଯଦି ସୁଯୋଗ ମିଳେ ତାହେଲେ ଓଡ଼ିଶା ଫେରିବାକୁ ଚାହିଁବେ କି?
ଜାକବ୍: ଯେଉଁ ସମସ୍ୟା ପାଇଁ ଓଡ଼ିଶା ଛାଡ଼ିଛି, ତାହାର ସମାଧାନ ହେବାକୁ ଆହୁରି ପାଖାପାଖି ୨ ବର୍ଷ ଲାଗିବ। ସବୁକିଛି ଠିକ୍ ହେଲା ପରେ ଯଦି ସୁଯୋଗ ମିଳିବ ନିଶ୍ଚିତ ଭାବେ ଓଡ଼ିଶାକୁ ଆସିବି।