ଜାତୀୟ ଓପନ ଦୌଡ଼କୁଦ ଉଦ୍‌ଘାଟିତ: ବାଧାଦୌଡ଼ ଫାଇନାଲରେ ପୂର୍ଣ୍ଣିମା

ଭୁବନେଶ୍ୱର: ୫୮ତମ ଜାତୀୟ ଓପନ ଦୌଡ଼କୁଦ ମଙ୍ଗଳବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇ ଯାଇଛି। ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ବିଭିନ୍ନ ରାଜ୍ୟ ଏବଂ ବୃତ୍ତିଗତ ସଂସ୍ଥାର ଖେଳାଳିମାନେ ମାର୍ଚପାଷ୍ଟରେ ଆସି ସଭାମଞ୍ଚ ସମ୍ମୁଖରେ ଉପସ୍ଥିତ ରହିବା ପରେ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦଘାଟିତ ହେଲା ବୋଲି ଶ୍ରୀ ବେହେରା ଘୋଷଣା କରିଥିଲେ। ଏହି ଅବସରରେ କ୍ରୀଡ଼ାକୁ ଓଡ଼ିଶା ସରକାର ଦେଇ ଆସୁଥିବା ପ୍ରୋତ୍ସାହନ ପୂର୍ବବତ୍‌ ଜାରି ରହିବ ବୋଲି ସେ ପୁଣି ଥରେ ପ୍ରତିଶ୍ରୁତି ଦେଇଥିଲେ। ଅନ୍ତର୍ଜାତୀୟ ଓଡ଼ିଆ ତାରକା ପୂର୍ଣ୍ଣିମା ହେମ୍ବ୍ରମ୍‌ ଖେଳାଳିମାନଙ୍କୁ ଶପଥ ପାଠ କରାଇଥିଲେ। ଉଦ୍‌ଘାଟନୀ ଉତ୍ସବରେ ସର୍ବ ଭାରତୀୟ ଦୌଡ଼କୁଦ ମହାସଂଘର ସଂପାଦକ ସିକେ ଭାଲସନ୍‌, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦେଶକ ଆର ଭିନିଲକୃଷ୍ଣ, ଜାତୀୟ ଦୌଡ଼କୁଦ ଦଳର ମୁଖ୍ୟ ପ୍ରଶିକ୍ଷକ ବାହାଦୁର ସିଂହ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ୨୮ ତାରିଖରେ ଶେଷ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାର ୧୬ ଜଣ ପ୍ରତିଯୋଗୀଙ୍କ ସହ ୨୯ ଦଳର ମୋଟ ୮୦୫ ଖେଳାଳି ଅଂଶ ଗ୍ରହଣ କରୁଛନ୍ତି। ସଂଧ୍ୟାରେ ଉଦ୍‌ଘାଟିତ ହୋଇଥିଲେ ମଧ୍ୟ ମଙ୍ଗଳବାର ସକାଳେ ୧୫୦୦, ୧୦୦, ୪୦୦ ମିଟର, ଲମ୍ବଡିଆଁ, ସଟପୁଟ ଆଦି ଖେଳର ଯୋଗ୍ୟତା ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା। ସଂଧ୍ୟାରେ ଏହି ଖେଳଗୁଡ଼ିକର ଫାଇନାଲ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର