ଭୁବନେଶ୍ବର : କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଚାଲିଥିବା ଦଶମ ଜାତୀୟ ସ୍କୁଲ୍ ଚେସ୍ ପ୍ରତିଯୋଗିତା ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ୬ଟି ବୟସ ବର୍ଗର ଉଭୟ ପୁରୁଷ ଓ ମହିଳା ବିଭାଗରେ ପ୍ରତିଯୋଗିତା ହୋଇଥିବାବେଳେ ଓଡ଼ିଶା ଖେଳାଳିମାନେ କୌଣସି ବର୍ଗରେ ଶୀର୍ଷ ଦୁଇ ସ୍ଥାନ ନ ପାଇ ନିରାଶ କରିଛନ୍ତି। କେବଳ ଦୁଇ ଜଣ ଓଡ଼ିଆ ଖେଳାଳି ସନ୍ଦୀପା ପ୍ରିୟଦର୍ଶିନୀ ସାହୁ ଏବଂ ସତ୍ୟମ ସର୍ବଜିତ ମିଶ୍ର ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି। ୧୧ ବର୍ଷରୁ କମ୍ ବାଳିକାରେ ସନ୍ଦୀପା ୭ ପଏଣ୍ଟ୍ ପାଇ ତୃତୀୟରେ ରହିଥିଲେ। ଏହି ବର୍ଗରେ ପ୍ରତ୍ୟାଶା ଜେନା ୬ ପଏଣ୍ଟ ପାଇ ଦଶମ ସ୍ଥାନରେ ରହିଥିଲେ।
ସେହିଭଳି ୧୭ ବର୍ଷରୁ କମ୍ ଓପନ୍ ବର୍ଗରେ ସତ୍ୟମ ୬.୫ ପଏଣ୍ଟ ସହ ମିଳିତ ଶୀର୍ଷରେ ରହିଥିଲେ ମଧ୍ୟ ବୁକ୍ହୋଲ୍ଜ ସ୍କୋରରେ ପଛରେ ପଡ଼ି ତୃତୀୟରେ ରହିଥିଲେ। ବେଙ୍ଗଲର ଉଜ୍ଜନ ଭଟ୍ଟାଚାର୍ଯ୍ୟ ଓ ତାମିଲନାଡୁର ଭି ତରୁଣ ସମାନ ୬.୫ ପଏଣ୍ଟ୍ ପାଇ ପ୍ରଥମ ଦୁଇ ସ୍ଥାନରେ ରହିଥିଲେ। ଏହି ବର୍ଗରେ ପ୍ରତ୍ୟୁଷ ମହାପାତ୍ର ୫.୫ ପଏଣ୍ଟ ସହ ଅଷ୍ଟମରେ ରହିଥିଲେ। ୧୫ ବର୍ଷରୁ କମ୍ ଓପନ୍ ବର୍ଗରେ ଅରିଣ ଅନ୍ବେଷ ସ୍ବାଇଁ (୭) ଓ ଓମ୍ ଆଦିତ୍ୟ ଖାଡ଼ଙ୍ଗା (୬.୫) ଯଥାକ୍ରମେ ଚତୁର୍ଥ ଓ ପଞ୍ଚମରେ ରହି ଅଳ୍ପକେ ଶୀର୍ଷ ୩ରୁ ବଞ୍ଚିତ ହୋଇଥିଲେ। ମୋଟ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାରେ ୨୭ ରାଜ୍ୟରୁ ୧୦୨୬ ଖେଳାଳି ଅଂଶଗ୍ରହଡଣ କରିଥିଲେ। ଉଦ୍ଯାପନୀ ଉତ୍ସବରେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଅଧ୍ୟକ୍ଷା ଡକ୍ଟର ମୋନାଲିସା ବଳ, ଅର୍ଜୁନ ପୁରସ୍କାର ବିଜେତା ଗ୍ରାଣ୍ଡମାଷ୍ଟର୍ ପ୍ରବୀଣ ଥିପସେ, ଓଡ଼ିଶା ଗ୍ରାଣ୍ଡମାଷ୍ଟର୍ ସ୍ବୟମ୍ସ ମିଶ୍ର, ଏଓସିଏ ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, କିଟ୍-କିସ୍ କ୍ରୀଡା ବିଭାଗ ମହାନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ସୁନ୍ଦର ଆୟୋଜନ ଓ କ୍ରୀଡ଼ା ବ୍ୟବସ୍ଥା ପାଇଁ ଖେଳାଳି ଓ କ୍ରୀଡ଼ା ପ୍ରଶାସକମାନେ କିଟ୍-କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ପ୍ରଶଂସା କରିଥିଲେ।