ଭୁବନେଶ୍ବର: କର୍ଣ୍ଣାଟକର ମାଙ୍ଗାଲୋରଠାରେ ଶୁକ୍ରବାର ଶେଷ ହୋଇଥିବା ୭୭ତମ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଏକାଧିକ ଐତିହାସିକ ସଫଳତା ଅର୍ଜନ କରିଥିବା ଓଡ଼ିଶା ଖେଳାଳିମାନେ ଏହାକୁ ଆଗକୁ ନେଇଛନ୍ତି। ଶେଷ ଦିନରେ ଆଉ ୩ଟି ରୌପ୍ୟ ପଦକ ଜିତି ଓଡ଼ିଶା ୬ ପଦକ ସହ ଅଭିଯାନ ଶେଷ କରିଛି। ଶୁକ୍ରବାର ୩ଟି ଯାକ ରୌପ୍ୟ ପଦକ ମହିଳା ବିଭାଗରୁ ମିଳିଥିଲା। ଅନ୍ତର୍ଜାତୀୟ ଅଭିଜ୍ଞ ପ୍ରତ୍ୟାଶା ରାୟ ୨୦୦ ମିଟର୍ ବ୍ୟାକ୍ଷ୍ଟ୍ରୋକ୍ରେ ୨ ମିନିଟ୍ ୨୪.୨୯ ସେକେଣ୍ଡ୍ ନେଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ବେଙ୍ଗଲ୍ର ସୁବ୍ରିତୀ ମଣ୍ଡଳ (୨:୨୧.୭୬) ସ୍ବର୍ଣ୍ଣ ଓ ମହାରାଷ୍ଟ୍ରର ପ୍ରତିଷ୍ଠା ଡାଙ୍ଗି (୨:୨୪.୫୨) କାଂସ୍ୟ ପଦକ ପାଇଥିଲେ। ସେହିଭଳି ୧୦୦ ମିଟର୍ ବ୍ୟାକ୍ଷ୍ଟ୍ରୋକ୍ରେ ମନ୍ନତା ମିଶ୍ର ୧ ମିନିଟ୍ ୧୪.୬୬ ସେକେଣ୍ଡ୍ ସମୟ ସହ ରୌପ୍ୟ ପଦକ ଜିତିଥିଲେ। ଆର୍ଏସପିବିର ହର୍ଷିତା ଜୟରାମ (୧:୧୪.୧୬) ସ୍ବର୍ଣ୍ଣ ଓ ମହାରାଷ୍ଟ୍ରର ଜ୍ୟୋତି ବାଜିରାଓ ପାଟିଲ୍ (୧:୧୫.୨୭) କାଂସ୍ୟ ପଦକ ଜିତିଥିଲେ। ୧୦୦ ମିଟର୍ ବଟର୍ଫ୍ଲାଏରେ ସୃଷ୍ଟି ଉପାଧ୍ୟାୟ ମଧ୍ୟ ଦ୍ବିତୀୟ ସ୍ଥାନରେ ରହିଥିଲେ। ସୃଷ୍ଟି ୧ ମିନିଟ୍ ୦୪.୨୪ ସେକେଣ୍ଡ୍ ସମୟ ନେଇ ରୌପ୍ୟ ପଦକ ଜିତିଥିବା ବେଳେ ଆର୍ଏସ୍ପିବିର ଆସ୍ଥା ଚୌଧୁରୀ (୧:୦୩.୮୭) ଓ କର୍ଣ୍ଣାଟକର ସୁହାସିନୀ ଘୋଷ (୧:୦୪.୬୩) ଯଥାକ୍ରମେ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ଜିତିଥିଲେ।
ପ୍ରତ୍ୟାଶା ରାୟ ପ୍ରଥମ ମହିଳା ଭାବେ ଜାତୀୟ ବରିଷ୍ଠ ବର୍ଗ ପଦକ ଜିତିବା ସଂସ୍କରଣରେ ଓଡ଼ିଶା ମୋଟ ୬ ପଦକ କରାୟତ୍ତ କରିବା ସବୁଠାରୁ ବଡ଼ ଉପଲବ୍ଧି ହୋଇଛି। ଏହା ମଧ୍ୟରେ ୪ଟି ବ୍ୟକ୍ତିଗତ ରୌପ୍ୟ ଏବଂ ଦୁଇଟି ଦଳଗତ (ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ) ପଦକ ରହିଛି। ପ୍ରତ୍ୟାଶା ବ୍ୟକ୍ତିଗତ ଭାବେ ୪ ପଦକ ଜିତିଥିବା ବେଳେ ମନ୍ନତା ମିଶ୍ର, ସୃଷ୍ଟି ଉପାଧ୍ୟାୟ, ସୋନିଆ ପଟେଲ୍ ଦୁଇଟି ଲେଖାଏଁ ଏବଂ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ ଗୋଟିଏ ପଦକ ଜିତି ଏହି ଐତିହାସିକ ସଫଳତାର ତାରକା ମାନ୍ୟତା ପାଇଛନ୍ତି। ଓଡ଼ିଶା ଖେଳାଳିମାନଙ୍କୁ ଓଡ଼ିଶା ସନ୍ତରଣ ସଂଘ ସଭାପତି ପ୍ରଦୀପ ପାଢ଼ୀ, କାର୍ଯ୍ୟକାରୀ ସଭାପତି ସୋମା ମିଶ୍ର, ସମ୍ପାଦକ ଗୋଲାପମଣି ମହାନ୍ତ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିଯୋଗିତାରେ କର୍ଣ୍ଣାଟକ ଦଳଗତ ବିଜେତା ହୋଇଥିବା ବେଳେ ମହାରାଷ୍ଟ୍ର ଉପବିଜେତା ହୋଇଛି। ତେବେ କର୍ଣ୍ଣାଟକ ଯୋଡ଼ି ଅନୀଶ ଗୌଡ଼ା ଓ ହାଶିକା ରାମଚନ୍ଦ୍ରା ଯଥାକ୍ରମେ ଶ୍ରେଷ୍ଠ ପୁରୁଷ ଓ ମହିଳା ସୁଇମର୍ ବିବେଚିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/4mN2uIpWQc9Ax1qo0MYT.jpg)