ଜାତୀୟ ସଫ୍ଟବଲ୍‌ ପ୍ରତିଯୋଗିତା: ଭାଗନେଲେ ୫୦ ଦଳ

ପ୍ରଥମ ଦିନ ହରିୟାଣାକୁ ହରାଇଲେ ଓଡ଼ିଶା ମହିଳା

ପୁରୀ: ପୁରୀ ତାଳବଣିଆ ସ୍ପୋର୍ଟ୍ସ କମ୍ଲେକ୍ସଠାରେ ରବିବାରଠୁ ୫ ଦିନିଆ ୪୪ତମ ଜାତୀୟ ସିନିୟର ସଫ୍ଟବଲ୍‌ ପୁରୁଷ ଓ ମହିଳା ପ୍ରତିଯୋଗିତା ଆରମ୍ଭ ହୋଇଛି। ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟର ମୋଟ ୫୦ (୨୬ ପୁରୁଷ ଓ ୨୪ ମହିଳା) ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଦିନ ହରିୟାଣା ମହିଳା ଦଳକୁ ୩-୧ରେ ପରାସ୍ତ କରି ଓଡିଶା ମହିଳା ଦଳ ବିଜୟ ଅଭିଯାନ ଆରମ୍ଭ କରିଛି। ଅନ୍ୟ ମହିଳା ମ୍ୟାଚ୍‌ଗୁଡ଼ିକରେ କେରଳ ୭-୦ରେ ହିମାଚଳପ୍ରଦେଶକୁ, ଛତିଶଗଡ଼ ୧୦-୮ରେ ଇଣ୍ଡିଆନ ଅଏଲ୍‌କୁ, ନୂଆଦିଲ୍ଲୀ ୧୦-୦ରେ ପୁଡୁଚେରୀକୁ, ମହାରାଷ୍ଟ୍ର ୯-୧ରେ ରାଜସ୍ଥାନକୁ, ଆନ୍ଧ୍ରପ୍ରଦେଶ ୧-୦ରେ ମଧ୍ୟପ୍ରଦେଶକୁ, ପଞ୍ଜାବ ୧୨-୨ରେ କର୍ଣ୍ଣାଟକକୁ ପରାସ୍ତ କରିଛି। ସେହିପରି ପୁରୁଷ ବର୍ଗରେ ନୂଆଦିଲ୍ଲୀ ୪-୧ରେ ପୁଡୁଚେରୀକୁ, ଚଣ୍ଡୀଗଡ଼ ୬-୦ରେ ତାମିଲନାଡୁକୁ, ମହାରାଷ୍ଟ୍ର ୧୦-୦ରେ ଉତ୍ତର ପ୍ରଦେଶକୁ, ରାଜସ୍ଥାନ ୫-୦ରେ ପଞ୍ଜାବକୁ, ଛତିଶଗଡ଼ ୬-୦ରେ କେରଳକୁ ହରାଇଛି।

ପ୍ରତିଯୋଗିତା ଉପଲକ୍ଷେ ସକାଳେ ଏକ ଶୋଭାଯାତ୍ରା ବଗଲା ଧର୍ମଶାଳାଠାରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ପରେ ତାଳବଣିଆ ସ୍ପୋର୍ଟ୍ସ କମ୍ଲେକ୍ସଠାରେ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିବା ସହ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା କ୍ରୀଡାବିତମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜାତୀୟ ସଫ୍ଟବଲ୍‌ ସଂଘର ସଭାପତି ନୀତଲ ନାରଙ୍ଗ ପୁରୀରେ ଏକ ଭବ୍ୟ ପରିବେଶ ମଧ୍ୟରେ ଏହି କ୍ରୀଡା ଆୟୋଜନକୁ ପ୍ରଶଂସା କରିବା ସହ ହକି ବିଶ୍ୱକପ ଆୟୋଜନ କରି ଓଡ଼ିଶା ସମଗ୍ର ବିଶ୍ୱରେ ସୁନାମ ଅର୍ଜନ କରିପାରିଛି ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଜାତୀୟ ସଫ୍ଟବଲ୍‌ ସଂଘ ଅଧ୍ୟକ୍ଷ ପ୍ରବୀଣ ଆନାଓକର, ସମ୍ପାଦକ ଏଲ୍‌ ଆର୍‌ ମୋରିୟା, ରାଜ୍ୟ ସଫ୍ଟବଲ୍‌ ସଂଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଶୁଭାଶିଷ ଖୁଣ୍ଟିଆ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ, ଆୟୋଜନ କମିଟି ସମ୍ପାଦକ ରାଜକିଶୋର ପଟ୍ଟନାୟକ, ସଦସ୍ୟ ସୌମିତ୍ର ହରିଚନ୍ଦନ, ଅରବିନ୍ଦ ଦାସ, ରଞ୍ଜନ କୁମାର ରଥ, ସୌଭାଗ୍ୟ ସାହୁ, ବିଭୁ ପଶୁପାଳକ, ସହଦେବ ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଦିଲ୍ଲୀର ସିନିୟର ଅମ୍ପାୟର ଗୋପାଳ ସିଂଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର