ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ଶ୍ରେଷ୍ଠ ପ୍ରଦର୍ଶନକାରୀ କ୍ରୀଡ଼ାବିତ୍ମାନଙ୍କୁ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି। ୨୦୨୩ ବର୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ବ୍ୟାଡ୍ମିଣ୍ଟନ ଯୋଡ଼ି ଚିରାଗ ସେଟ୍ଟୀ ଓ ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ପାଇବେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର। ହେଲେ ଉଭୟ ଇଣ୍ଡୋନେସିଆ ଓପନ୍ ଲାଗି ବିଦେଶରେ ଥିବାରୁ ଏହି ପୁରସ୍କାର ଗ୍ରହଣ କରିପାରିନାହାନ୍ତି। ସେଠାରୁ ଫେରିବା ପରେ ପୁରସ୍କାର ଗ୍ରହଣ କରିବେ। ଅର୍ଜୁନ ପୁରସ୍କାର ପାଇଛନ୍ତି କ୍ରିକେଟର୍ ମହମ୍ମଦ ସାମି ଓ ପାରା ତୀରନ୍ଦାଜ ଶୀତଳ ଦେବୀଙ୍କ ସହ ୨୬ ଜଣ। ବ୍ୟକ୍ତିଗତ ଭାବେ ଏଥର କୌଣସି ଓଡ଼ିଆ ଖେଳାଳି ପୁରସ୍କାର ତାଲିକାରେ ସ୍ଥାନ ପାଇ ନାହାନ୍ତି। ମଙ୍ଗଳବାର ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଉତ୍ସବରେ ଏହି କ୍ରୀଡ଼ା ପୁରସ୍କାରମାନ ପ୍ରଦାନ କରାଯାଇଛି।
ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ: ଚିରାଗ ସେଟ୍ଟୀ ଓ ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ (ବ୍ୟାଡ୍ମିଣ୍ଟନ୍)।
ଅର୍ଜୁନ ପୁରସ୍କାର: ଓଜାସ ପ୍ରବୀଣ ଦେଓତାଲ, ଅଦିତି ଗୋପୀଚାନ୍ଦ ସ୍ବାମୀ (ତୀରନ୍ଦାଜି), ମୁରଲୀ ଶଙ୍କର, ପାରୁଲ ଚୌଧୁରୀ (ଦୌଡ଼କୁଦ), ମହମ୍ମଦ ହୁସାମୁଦ୍ଦିନ (ମୁଷ୍ଟିଯୁଦ୍ଧ), ଆର୍ ବୈଶାଳି (ଚେସ୍), ମହମ୍ମଦ ସାମି (କ୍ରିକେଟ୍), ଅନୁଶ ଅଗ୍ରୱାଲ (ଇକ୍ବେଷ୍ଟ୍ରିଆନ୍), ଦିବ୍ୟକ୍ରୀତି ସିଂହ (ଇକ୍ବେଷ୍ଟ୍ରିଆନ୍ ଡ୍ରେସେଜ୍), ଦୀକ୍ଷା ଡଗର (ଗଲ୍ଫ), କୃଷ୍ଣ ବାହାଦୂର ପାଠକ, ସୁଶୀଳା ଚାନୁ (ହକି), ପବନ କୁମାର, ରିତୁ ନେଗି (କବାଡ଼ି), ନସରିନ (ଖୋଖୋ), ପିଙ୍କି (ଲନ୍ ବଲ୍), ଐଶ୍ବର୍ଯ୍ୟ ପ୍ରତାପ ସିଂହ ତୋମାର, ଈଶା ସିଂହ (ବନ୍ଧୁକଚାଳନା), ହରିନ୍ଦର ପାଲ ସିଂହ ସାନ୍ଧୁ (ସ୍କ୍ବାସ), ଆୟିକା ମୁଖାର୍ଜୀ (ଟିଟି), ସୁନୀଲ କୁମାର, ଅନ୍ତିମ ପଙ୍ଗଲ (କୁସ୍ତି), ନାଓରେମ ରାଶିବିନା ଦେବୀ (ଉଷୁ), ଶୀତଳ ଦେବୀ (ପାରା ତୀରାନ୍ଦାଜି), ଇଲୁରି ଅଜୟ କୁମାର ରେଡ୍ଡୀ (ଦୃଷ୍ଟିବାଧିତ କ୍ରିକେଟ୍), ପ୍ରାଚୀ ଯାଦବ (ପାରା କାନୋଇଂ)।
ଦ୍ରୋଣାଚାର୍ଯ୍ୟ ପୁରସ୍କାର (ନିୟମିତ ବର୍ଗ) ଶ୍ରେଷ୍ଠ ପ୍ରଶିକ୍ଷକ: ଲଳିତ କୁମାର (କୁସ୍ତି), ଆର୍ବି ରମେଶ (ଚେସ୍), ମହାବୀର ପ୍ରସାଦ ସୈନି (ପାରା ଦୌଡ଼କୁଦ), ଶିବେନ୍ଦ୍ର ସିଂହ (ହକି), ଗଣେଶ ପ୍ରଭାକର ଦେବ୍ରୁଖକର (ମାଲଖମ୍ବ)।
ଦ୍ରୋଣାଚାର୍ଯ୍ୟ ପୁରସ୍କାର (ଜୀବନବ୍ୟାପୀ ବର୍ଗ) ଶ୍ରେଷ୍ଠ ପ୍ରଶିକ୍ଷକ: ଯଶକିରଟ ସିଂହ ଗ୍ରେୱାଲ (ଗଲ୍ଫ), ଭାସ୍କରନ ଇ (କବାଡ଼ି), ଜୟନ୍ତ କୁମାର ପୁଷିଲାଲା (ଟିଟି)।
ଜୀବନବ୍ୟାପୀ ସଫଳତା ପାଇଁ ଧ୍ୟାନଚାନ୍ଦ ପୁରସ୍କାର: ମଞ୍ଜୁଶା କୱଁର (ବ୍ୟାଡ୍ମିଣ୍ଟନ), ବିନୀତ କୁମାର ଶର୍ମା (ହକି), କବିତା ସେଲଭରାଜ (କବାଡ଼ି)।
ମୌଲାନା ଅବୁଲ କଲାମ ଆଜାଦ (ମାକା) ଟ୍ରଫି: ଅମୃତସରର ଗୁରୁ ନାନକ ଦେବ ବିଶ୍ବବିଦ୍ୟାଳୟ (ବିଜେତା), ପଞ୍ଜାବର ଲଭ୍ଲି ପ୍ରଫେସନାଲ ବିଶ୍ବବିଦ୍ୟାଳୟ (ପ୍ରଥମ ରନର ଅପ୍), କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟ (ଦ୍ବିତୀୟ ରନର ଅପ୍)।
ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର: ଓଡ଼ିଶା ଖଣି ନିଗମ, ଜୈନ ଡିମ୍ଡ ବିଶ୍ବବିଦ୍ୟାଳୟ।