ଜାତୀୟ କ୍ରୀଡ଼ା ପୁରସ୍କାର : ଆବେଦନ ସମୟ ବଢ଼ିଲା, ସ୍ବ-ସୁପାରିସକୁ ଅନୁମତି

ନୂଆଦିଲ୍ଲୀ : ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ନିମନ୍ତେ ସୁପାରିସ ତଥା ଆବେଦନ ପତ୍ର ଦାଖଲ କରିବାର ଶେଷ ତାରିଖ ବୁଧବାର (ଆଜି) ଥିଲା। ତେବେ କୋଭିଡ୍‌-୧୯ ଲକ୍‌ଡାଉନ୍‌ ପରିପ୍ରେକ୍ଷୀରେ ସୁପାରିସ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ପୂର୍ବ ନିର୍ଧାରିତ ସମୟସୀମାକୁ ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏନେଇ ବୁଧବାର କ୍ରୀଡ଼ା ମନ୍ତ୍ରଣାଳୟ ଘୋଷଣା କରିଛି। ପୁଣି ଦେଶବ୍ୟାପୀ ଲକ୍‌ଡାଉନ୍‌ ଯୋଗୁଁ ନିର୍ଦିଷ୍ଟ କର୍ତ୍ତୃପକ୍ଷ ତଥା ବ୍ୟକ୍ତିଙ୍କଠୁ ସୁପାରିସ ପାଇବାରେ ଆଥ୍‌ଲେଟ୍‌ମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଏଣିକି ନିଜେ ନିଜ ପାଇଁ ସୁପାରିସ ପତ୍ର ପଠାଇପାରିବେ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ନୂଆ ନିଷ୍ପତ୍ତି ନେଇଛି। ତେବେ ସ୍ବ-ସୁପାରିସ ପତ୍ରରେ ଆଥ୍‌ଲେଟ୍‌ମାନେ ଆବେଦନ ପତ୍ରରେ ନିର୍ଦିଷ୍ଟ କର୍ତ୍ତୃପକ୍ଷ ତଥା ବ୍ୟକ୍ତିଙ୍କ ପାଇଁ ରହିଥିବା ସ୍ଥାନ ଫାଙ୍କା ଛାଡ଼ିପାରିବେ ବୋଲି କୁହାଯାଇଛି। ଏଠାରେ ସୂଚନାଯୋଗ୍ୟ, ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସମସ୍ତ ଆବେଦନ ପତ୍ର କେବଳ ଇ-ମେଲ୍‌ ଜରିଆରେ ହିଁ ଆମନ୍ତ୍ରଣ କରାଯାଇଛି ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଦେଇଛି।

ନିର୍ଦିଷ୍ଟ ନିୟମ ଅନୁଯାୟୀ ଜାତୀୟ ପୁରସ୍କାର ନିମନ୍ତେ କେବଳ ଜାତୀୟ ସଂଘ, କ୍ରୀଡ଼ା ବୋର୍ଡ ଏବଂ ପୂର୍ବତନ ପୁରସ୍କାରପ୍ରାପ୍ତ ଆଥ୍‌ଲେଟ୍‌ମାନଙ୍କ ସୁପାରିସ ଗ୍ରହଣଯୋଗ୍ୟ। ହେଲେ ଯେଉଁ ଆଥ୍‌ଲେଟ୍‌ମାନେ ସେମାନଙ୍କ ଜାତୀୟ କ୍ରୀଡ଼ା ସଂଘ ହେଉ ବ‌ା ପୂର୍ବତନ ପୁରସ୍କାରପ୍ରାପ୍ତଙ୍କ ଦ୍ବାରା ସୁପାରିସରୁ ବଞ୍ଚିତ ହୋଇଛନ୍ତି ବିଶେଷକରି ସେହିମାନଙ୍କୁ ନିଜେ ଆବେଦନ ପାଇଁ ସମୟସୀମା କୋହଳ ସହାୟକ ହୋଇପାରିବ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖ ହକି କିଂବଦନ୍ତି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ରାଜୀବ ଗାନ୍ଧୀ ଖେଳରତ୍ନ ସହିତ ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାରମାନ ପ୍ରଦାନ କରାଯାଇଥାଏ। କ୍ରୀଡ଼ାମନ୍ତ୍ରାଳୟର ଏଭଳି ନିଷ୍ପତ୍ତିକୁ ସବୁବର୍ଗରୁ ସ୍ବାଗତ କରାଯାଇଛି। ବି‌ଶେଷକରି ଅର୍ଜୁନ ପୁରସ୍କାର ପାଇଁ ଆଶାୟୀ ଥିବା ଖେଳାଳିମାନେ ଏଭଳି ଖବର ଆସିବା ପରେ ଖୁସି ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର