ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ ସ୍ପୋର୍ଟସ କ୍ଲାଇମ୍ବିଂ କେନ୍ଦ୍ରରେ ଚାଲିଥିବା ୨୫ତମ ଜାତୀୟ ସ୍ପୋର୍ଟସ କ୍ଲାଇମ୍ବିଂ ପ୍ରତିଯୋଗିତା ଶୁକ୍ରବାର ସଂଧ୍ୟାରେ ଉଦ୍‌ଯାପିତ‌ ହୋଇଯାଇଛି। ପଚିଶ ବର୍ଷର ଇତିହାସରେ ପୂର୍ବାଞ୍ଚଳ ପ୍ରଥମ ଥର ବିଜେତା ହୋଇ ନୂଆ ଅଧ୍ୟାୟ ସଂଯୋଗ କରିଛି। ୮ ସ୍ବର୍ଣ୍ଣ, ୩ ରୌପ୍ୟ, ୪ କାଂସ୍ୟ ସହିତ ମୋଟ ୧୫ ପଦକ ଜିତିଥିବାରୁ ପୂର୍ବାଞ୍ଚଳ ୩୪ ପଏଣ୍ଟ ପାଇ ଶୀର୍ଷରେ ରହିଥିଲା। ଦକ୍ଷିଣାଞ୍ଚଳ ୪ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଏବଂ ୫ କାଂସ୍ୟ ସହିତ ମୋଟ ୧୩ ପଦକ ଏବଂ ୨୫ ପଏଣ୍ଟ୍ ପାଇ ଦ୍ବିତୀୟରେ ରହିଥିଲା। ପଶ୍ଚିମାଞ୍ଚଳ ସମାନ ୪ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ସହିତ ମୋଟ ୧୨ ପଦକ ଓ ୨୪ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିଲା। ଟାଟା ଷ୍ଟିଲ୍‌ ଆଡେଭେଞ୍ଚର୍‌ ଫାଉଣ୍ଡେସନ୍‌ (ଟିଏସ୍‌ଏଏଫ୍‌)ର ଖେଳାଳିଙ୍କ ବଳରେ ବଳିୟାନ ହୋଇ ପୂର୍ବାଞ୍ଚଳ ଏହି ଅପୂର୍ବ ସଫଳତା ପାଇଛି। ୪ ବର୍ଷ ତଳେ ସ୍ପୋର୍ଟସ କ୍ଲାଇମ୍ବିଂକୁ ସାମିଲ କରିଥିବା ଟିଏସଏଏଫ୍‌ ଏଭେରେଷ୍ଟ୍‌ ବିଜେତା ଆଇଆଇଟିଆନ୍‌ ହେମନ୍ତ ଶର୍ମାଙ୍କ ତତ୍ବାବଧାନରେ ଆସିଥିଲେ। ପୂର୍ବାଞ୍ଚଳ ଜିତିଥିବା ୮ ସ୍ବର୍ଣ୍ଣ ମଧ୍ୟରୁ ଟିଏସଏଏଫ୍‌ର ସ୍ବର୍ଣ୍ଣ ଅବଦାନ ଥିଲା ୭। ଏହା ଆମ ନିରଂତର ଉଦ୍ୟମର ସୁଫଳ ବୋଲି ‘ସମ୍ବାଦ’ ସହିତ କଥା ହେବାବେଳେ ପ୍ରକାଶ କରିଥିଲେ ହେମନ୍ତ। ପୂର୍ବାଞ୍ଚଳର ୩୪ ପଏଣ୍ଟରୁ ୩୧ ପଏଣ୍ଟ୍ ଟିଏସଏଏଫ୍‌ ପ୍ରତିଯୋଗୀମାନେ ଦେଇଥିଲେ। ଏହି ଅବସରରେ ଅନୀଷା ବର୍ମା ନିଜ ଜାତୀୟ କୀର୍ତିମାନ ଭାଙ୍ଗିବା ସାଙ୍ଗକୁ ନିଜ ଭାଇ ସହିତ ହ୍ୟାଟ୍ରିକ୍ ସ୍ବର୍ଣ୍ଣ ପଦକ ଜିତିଥିଲେ। ଉଦ୍‌ଯାପନୀ ଉତ୍ସବରେ ଭାରତୀୟ ନୌସେନାର ଏନ୍‌ଏମ୍‌ ତଥା ଏନ୍‌ସିସି ଓଡ଼ିଶାର ଉପମହାପ୍ରବଂଧକ କମୋଡୋର୍‌ ଶୈଳେନ୍ଦ୍ର ସିଂହ, କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ ରଂଜିତ ପରିଡ଼ା, କଳିଙ୍ଗ ଷ୍ଟାଡିୟମ୍‌ ଭାରପ୍ରାପ୍ତ ଅଧିକାରୀ ମଧୁସୁଦନ ବେ‌ହେରା, ଆଇଏମ୍‌ଏଫ୍‌ ପ୍ରତିଯୋଗିତା ନିର୍ଦେଶକ ବ୍ରିଗେଡିୟର୍‌ ଏମ୍‌ ପି ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।publive-image

Advertisment

ଭାଇ ଭଉଣୀଙ୍କ ସ୍ବର୍ଣ୍ଣିମ ହ୍ୟାଟ୍ରିକ୍‌
କଳିଙ୍ଗ ଷ୍ଟାଡିୟମ୍‌ର ଅନ୍ତର୍ଜାତୀୟ ମାନର ସ୍ପୋର୍ଟସ କ୍ଲାଇମ୍ବିଂ ୱାଲ୍‌ ଝାଡ଼ଖଣ୍ଡ ଭାଇ ଭଉଣୀ ଅମନ ଓ ଅନୀଷା ବର୍ମାଙ୍କ ପାଇଁ ନିଶ୍ଚିତ ସ୍ମରଣୀୟ ରହିବ। ଏହି ୨୫ତମ ଜାତୀୟ ସଂସ୍କରଣରେ ଦୁଇ ଭାଇ ଭଉଣୀ ୩ ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିନେଇଥିଲେ। କନିଷ୍ଠ ବର୍ଗର ବାଳକ ଏବଂ ବାଳିକାର ସମସ୍ତ ୩ ଇଭେଣ୍ଟ୍‌ ବୋଲଡରିଂ, ଲିଡ୍‌ ଏବଂ ସ୍ପିଡ୍‌ରେ ପ୍ରାଧାନ୍ୟ ବିସ୍ତାର କରି ପ୍ରତିଟିରେ ଶୀର୍ଷରେ ରହିଥିଲେ। ସାନ ଭାଇ ଅମନର ଖେଳରେ ପ୍ରଭାବିତ ହୋଇ ମାତ୍ର ୨ ବର୍ଷ ତଳେ ଏହି ଖେଳକୁ ଆସିଥିବା ଅନୀଷା ଆଉ ଦୁଇ ପାଦ ଆଗକୁ ଯାଇ ନିଜ ନାମରେ ଥିବା ଜାତୀୟ କୀର୍ତ୍ତିମାନକୁ ପଛରେ ପକାଇ ଦେଇଥିଲେ। ଗତବର୍ଷ ସ୍ପିଡ୍‌ ଇଭେଣ୍ଟ୍‌କୁ ମାତ୍ର ୧୦.୭୫ ସେକେଣ୍ଡ୍‌ରେ ଶେଷ କରିଥିବା ଏହି ପ୍ରତିଭା କଳିଙ୍ଗ ୱାଲ୍‌କୁ ୧୦.୪୧ ସେକେଣ୍ଡ୍‌ ନେଇଥିଲେ। ମୋତେ ଅନ୍ୟ କିଛି ଖେଳ ଭଲ ଲାଗେ ନାହିଁ, ଭାଇର ଖେଳ ଦେଖି ମୁଁ ଆଗେଇ ଆସିଥିଲି। ଏବେ ଆମେ ୨୦୨୪ ଅଲିମ୍ପିକ୍ସ ଲକ୍ଷ୍ୟରେ ରହିଛୁ ବୋଲି ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଥିଲେ ଏହି ଭାଇ ଭଉଣୀ।

ପୁରସ୍କାର ବିତରଣ ଉତ୍ସବ ବେଳେ ଅସଦାଚରଣ
ଇଣ୍ଡିଆନ ମାଉଣ୍ଟେନିୟରିଂ ଫାଉଣ୍ଡେସନ୍ (ଆଇଏମ୍‌ଏଫ୍‌) ପକ୍ଷରୁ ପୁରସ୍କାର ବିତରଣ ବେଳେ ଜଣେ ‌ମହିଳା ଖେଳାଳିଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଆଇଏମ୍‌ଏଫ୍‌ର ଜଣେ ବରିଷ୍ଠ ଅଧିକାରୀ ଅସଦାଚରଣ କରିଥିବା ନେଇ ସମ୍ପୃକ୍ତ ଖେଳାଳି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ ଜଣେ ଛାତ୍ରୀ ଏହି ଖେଳରେ ପୁରସ୍କାର ଗ୍ରହଣ କରୁଥିବାବେଳେ ଏଭଳି ଅସଦାଚରଣର ଶିକାର ହୋଇଥିଲେ। ଏ ନେଇ କେ‌ତେକ ଛାତ୍ରୀ ଏହାକୁ ବିରୋଧ କରିବା ସହିତ ପୁଲିସକୁ ମଧ୍ୟ ଫୋନ୍ କରିଥିଲେ। ପୁଲିସ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲା। କିନ୍ତୁ ସେହି ସମୟରେ ଥାନାରେ କେହି ଅଭିଯୋଗ କରି ନ ଥିଲେ। ସଂଧ୍ୟାରେ କେତେକ ଛାତ୍ରୀ ଥାନାକୁ ଯାଇ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗର କେତେ ସତ୍ୟତା ଅଛି ପୁଲିସ ତା’ର ଛାନଭିନ କରୁଛି।