ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ଏଥର ସୁନ୍ଦରଗଡ଼ ଜିଲ୍ଲାର ଆଧିପତ୍ୟ ଦେଖିବାକୁ ମିଳିଛି। ରାଉରକେଲାର ଭେଟେରାନ୍ ହକି ଖେଳାଳି ପିଟର୍ ତିର୍କି କ୍ରୀଡ଼ା ପ୍ରତି ଆଜୀବନ ଅବଦାନ ପାଇଁ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାର, ଯୁବ ସାଇକଲ୍ଚାଳିକା ସ୍ବସ୍ତି ସିଂହ ଶ୍ରେଷ୍ଠ କ୍ରୀଡ଼ାବିତ୍ ଓ ସୁନ୍ଦରଗଡ଼ ସାଇ ଛାତ୍ରାବାସର ହକି କୋଚ୍ ପ୍ରଦୀପ କୁମାର ଷଡ଼ଙ୍ଗୀ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପିଟର ତିର୍କିଙ୍କ ସହ ଫୁଟ୍ବଲର ଆରପି ସିଂହ ଯୁଗ୍ମ ଭାବେ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାର ମଧ୍ୟ ପାଇବେ। ଜାତୀୟ କ୍ରୀଡ଼ା ଦିବସରେ ୪ କ୍ରୀଡ଼ା ବ୍ୟକ୍ତିତ୍ବଙ୍କ ସଂପର୍କରେ ସ୍ବତନ୍ତ୍ର ଉପସ୍ଥାପନା।
ପ୍ରସ୍ତୁତି: ସତୀଶ ଶର୍ମା ଓ ଦୀପ୍ତିରଞ୍ଜନ ସାମଲ
ଜାତୀୟ ହକି ମାନଚିତ୍ରରେ ଓଡ଼ିଶାର ନାମକୁ ପ୍ରଥମଥର ପାଇଁ ସ୍ଥାପିତ କରିଥିବା ପିଟର୍ ତିର୍କି ଆଜି ବି ଅନାଲୋଚିତ ଓ ଉପେକ୍ଷିତ। ୧୯୮୨ ମସିହାରେ ମାଲେସିଆରେ ଅନୁଷ୍ଠିତ କନିଷ୍ଠ ବିଶ୍ବକପ୍ ହକି ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିବା ପିଟର ଏକ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶା ରାଜ୍ୟ ଦଳ ପ୍ରମୁଖ ସଦସ୍ୟ ଥିଲେ। ସକ୍ରିୟ ହକିରୁ ବିଦାୟ ପରେ ସେ ସେଲ୍ ହକି ଏକାଡେମିରେ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ସବଡ଼େଗା ବ୍ଲକ ରସରାଜପୁର ଗାଁ’ର ସିଲଭେରିୟସ୍ ତିର୍କି ଏବଂ କେଟରିନା ତିର୍କିଙ୍କ ପୁଅ ପିଟର ନିଜ ଗାଁରେ ପ୍ରାଥମିକ ଶିକ୍ଷା ପରେ ରାଜଗାଙ୍ଗପୁର ବ୍ଲକ୍ କେସରାମାଲରେ ହାଇସ୍କୁଲ୍ ପାସ୍ କରିଥିଲେ। ସେଠାରେ ଜଣେ ହକି ଖେଳାଳି ଭାବେ ତାଙ୍କର ବିକାଶ ହୋଇଥିଲା। ଗାଁର ଜଣେ ସ୍କୁଲ ଶିକ୍ଷକ ଯୋସେଫ ମିଞ୍ଜଙ୍କଠାରୁ ହକିର ମୌଳିକ କୌଶଳ ଶିଖିଥିଲେ। ହକି ଖେଳାଳି ସହ ସେ ଜଣେ ଆଥ୍ଲେଟ୍ ମଧ୍ୟ ଥିଲେ। ତାଙ୍କ ଶକ୍ତିଶାଳୀ ହିଟିଂ, ଗତି ଓ ଶକ୍ତି ଦେଖି ଯୋସେଫ ତାଙ୍କୁ ରକ୍ଷଣଭାଗ ବାମ ପାର୍ଶ୍ବରେ ଖେଳିବାକୁ ପରାମର୍ଶ ଦେଇଥିଲେ।
ସେ ସମୟରେ ରାଜ୍ୟରେ ହକି ପ୍ରଶିକ୍ଷଣ ପାଇଁ କୌଣସି ଛାତ୍ରାବାସ ନଥିଲା। ତେଣୁ ନିଜ ପରିଶ୍ରମ, ମନୋବଳ ଓ ଶିଖିବାର ଇଛା ବଳରେ ହିଁ ସେ ହକିକୁ ଆୟତ୍ତ କରିଥିଲେ। ବିଭିନ୍ନ ସ୍ଥାନୀୟ ପ୍ରତିଯୋଗିତାରେ ନିଜର ହକି ନିପୁଣତା ଦେଖାଇ ସେ ସୁନ୍ଦରଗଡ଼ ଜିଲ୍ଲାରେ ବେଶ ଲୋକପ୍ରିୟ ହୋଇଥିଲେ। ଏହି ହକି ଦକ୍ଷତା ପାଇଁ ତାଙ୍କୁ କାଂଶବାହାଲସ୍ଥିତ ଏଲ୍ ଆଣ୍ଡ ଟି କମ୍ପାନିରେ ଚାକିରି ମିଳିଥିଲା। ୧୯୮୦ରେ ସେ ପ୍ରଥମଥର ପାଇଁ ଓଡ଼ିଶା କନିଷ୍ଠ ଦଳରେ ଓ ୧୯୮୧ରେ ବରିଷ୍ଠ ଦଳରେ ମନୋନୀତ ହୋଇଥିଲେ। ଜାତୀୟ କନିଷ୍ଠ ପ୍ରତିଯୋଗିତାରେ ପ୍ରଭାବଶାଳୀ ପ୍ରଦର୍ଶନ କରି ପିଟର୍ ଓଡ଼ିଶାକୁ ସେମିକୁ ନେବା ସହ ଜାତୀୟ କନିଷ୍ଠ ଶିବିରକୁ ଡାକରା ପାଇଥିଲେ। ନିଜ ପ୍ରଦର୍ଶନ ବଳରେ ସମସ୍ତଙ୍କ ମନଜିଣି ସେ ୧୯୮୨ ମସିହାରେ କନିଷ୍ଠ ବିଶ୍ୱ କପ୍ ପାଇଁ ଭାରତୀୟ ଦଳରେ ସାମିଲ ହୋଇ ଓଡ଼ିଶା ହକିର ଏକ ନୂତନ ସ୍ବର୍ଣିମ ଫର୍ଦ୍ଦ ଯୋଡ଼ିଥିଲେ। ତାଙ୍କ ସଫଳତା ହିଁ ସୁନ୍ଦରଗଡ଼ର ହକି ସାମର୍ଥ୍ୟ ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଫଳରେ କ୍ରୀଡ଼ା ଛାତ୍ରାବାସ ଯୋଜନା ଆରମ୍ଭ ହେଲା। ପରେ ପିଟର୍ ଏଲ୍ଆଣ୍ଡଟି ଛାଡ଼ି ଆର୍ଏସ୍ପିରେ ଯୋଗ ଦେଇଥିଲେ। କିନ୍ତୁ ବିଡ଼ମ୍ବନା ହେଲା, ସବୁ ପ୍ରତିଭା ଓ ଦକ୍ଷତା ସତ୍ତ୍ବେ ପିଟର୍ ଆଉ ପୁନର୍ବାର ଜାତୀୟ ଦଳରେ ସ୍ଥାନ ପାଇପାରି ନଥିଲେ। ସେ ସବୁବେଳେ ପ୍ରଶିକ୍ଷଣ ଶିବିରକୁ ମନୋନୀତ ହେଉଥିଲେ ବି ଦଳରେ ସ୍ଥାନ ପାଉ ନଥିଲେ। ୧୯୮୪ ଲସ୍ଆଞ୍ଜେଲ୍ସ ଅଲିମ୍ପିକ୍ ପାଇଁ ଆୟୋଜିତ ଶିବିରରେ ପିଟର୍ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ବି ରାଜନୀତିର ଶିକାର ହୋଇ ଚୂଡ଼ାନ୍ତ ଦଳରୁ ବାଦ ପଡ଼ିଥିଲେ। ସେ ଦଳରୁ ବାଦ ପଡ଼ିବା ନେଇ ତାଙ୍କ ସହ ଗୋଟିଏ କୋଠରିରେ ରହୁଥିବା କିଂବଦନ୍ତି ଖେଳାଳି ମହମ୍ମଦ ସାହିଦ କାନ୍ଦି ପକାଇଥିଲେ।
ତୁମେ ଯୁବ ଅଛ ଓ ପରବର୍ତ୍ତୀ ଅଲିମ୍ପିକ୍ରେ ନିଶ୍ଚୟ ସ୍ଥାନ ପାଇବ ବୋଲି ଜଣେ ମନୋନୟନକର୍ତ୍ତା ପିଟର୍ଙ୍କୁ ସେତେବେଳେ ସାନ୍ତ୍ବନା ଦେଇଥିଲେ। ହେଲେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ୨୨ ବର୍ଷୀୟ ପିଟର୍ ଡାକରା ମିଳିଲେ ବି ଜୀବନରେ କେବେ ଜାତୀୟ ଶିବିରରେ ଯୋଗଦେବେ ନାହିଁ ବୋଲି କଠନି ନିଷ୍ପତ୍ତି ନେଇଥିଲେ। ପରେ ତାଙ୍କୁ ଅନେକ ଥର ଜାତୀୟ ପ୍ରଶିକ୍ଷଣ ଶିବିରକୁ ଡକା ଯାଇଥିଲେ ବି ସେ ଆଉ ଗଲେ ନାହିଁ। ତେଣୁ ସବୁ ଯୋଗ୍ୟତା ଓ ଦକ୍ଷତା ସତ୍ତ୍ବେ ସେ କେବେ ବରିଷ୍ଠ ଜାତୀୟ ଦଳର ଅଂଶ ହୋଇପାରିଲେ ନାହିଁ। ପିଟର୍ ତିର୍କି ଓଡ଼ିଶା ହକିର ମଶାଲ ବାହକ ହେଲେ ସୁଦ୍ଧା ତାଙ୍କୁ ଯେତିକି ସମ୍ମାନ ମିଳିବା କଥା ମିଳିପାରି ନାହିଁ। ଏବେ ବିଳମ୍ବରେ ହେଉ ପଛେ ବିଜୁ ପଟ୍ଟନାୟକ ପୁରସ୍କାର ଦିଆ ଯାଉଥିବାରୁ ସେ ବେଶ ଆନନ୍ଦିତ ହେବା ସହ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ନିକଟରେ ତାଙ୍କୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ତରଫରୁ ସମ୍ମାନିତ କରା ଯାଇଥିଲା।
ଅନାଲୋଚିତ ହକି ଦ୍ରୋଣାଚାର୍ଯ୍ୟ ପ୍ରଦୀପ
ଅଲିମ୍ପିଆନ୍ଠୁ ନେଇ ବହୁ ଅନ୍ତର୍ଜାତୀୟ ଓ ଜାତୀୟ ହକି ଖେଳାଳି ତାଙ୍କରି ହାତରେ ଗଢ଼ା। ୩୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶା ଓ ଭାରତୀୟ ହକିକୁ ତାଙ୍କର ଅବଦାନ ଅତୁଳନୀୟ। କିନ୍ତୁ ଆଜି ଯାଏ ତାଙ୍କୁ ବା ତାଙ୍କ ଅବଦାନ ସଂପର୍କରେ ଖୁବ କମ୍ ଲୋକ ଜାଣନ୍ତି। ସେ ହେଲେ ସୁନ୍ଦରଗଡ଼ସ୍ଥ ସ୍ବତନ୍ତ୍ର ତାଲିମ କେନ୍ଦ୍ର (ସାଇ ଛାତ୍ରାବାସ)ର ହକି ପ୍ରଶିକ୍ଷକ ପ୍ରଦୀପ କୁମାର ଷଡ଼ଙ୍ଗୀ। ୧୯୬୫ ମସିହାରେ ଢେଙ୍କାନାଳ ସହରରେ ଜନ୍ମିତ ଶ୍ରୀ ଷଡ଼ଙ୍ଗୀ ୧୯୮୨, ୮୩ ଓ ୮୪ ମସିହାରେ ଜାତୀୟ ଅନ୍ତଃରାଜ୍ୟ ହକି ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ। ସେ ମଧ୍ୟ ୧୯୮୧ରୁ ୮୬ ଯାଏ ଅନ୍ତଃବିଶ୍ବବିଦ୍ୟାଳୟ ହକିରେ ଉତ୍କଳ ବିଶ୍ବବିଦ୍ୟାଳୟ ତରଫରୁ ଖେଳିଥିଲେ। ହେଲେ ଜଣେ ଖେଳାଳି ଅପେକ୍ଷା ପ୍ରଶିକ୍ଷକ ଭାବେ ଅଧିକ ସଫଳ ହେଲେ ପ୍ରଦୀପ। ୧୯୯୧ରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଏନ୍ଏସ୍ଏନ୍ଆଇଏସ୍ରୁ ହକି ପ୍ରଶିକ୍ଷଣରେ ଡିପ୍ଲୋମା ହାସଲ ପରେ ସେ ୧୯୯୨ ମସିହାରେ ସାଇ ପ୍ରଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କଲେ। ଏହାପରେ ୧୯୯୪ରୁ୯୮ ପର୍ଯ୍ୟନ୍ତ ବିଏସ୍ ହାଇସ୍କୁଲ୍ ସୁନ୍ଦରଗଡ଼, ୧୯୯୮ରୁ ୨୦୦୦ ଯାଏ କୋଲକାତା, ୨୦୦୦ରୁ ୨୦୦୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ଗୁମ୍ଲା, ୨୦୦୧ରୁ ୨୦୦୨ ଯାଏ କଟକ କ୍ରୀଡ଼ା ଛାତ୍ରାବାସ, ୨୦୦୨ରୁ ୨୦୦୮ ଯାଏ ସାଗ୍ ସୁନ୍ଦରଗଡ଼ (ସାଇ ଛାତ୍ରାବାସ), ୨୦୦୯ରୁ ୨୦୧୪ ଯାଏ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ଓ ଏହା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁନ୍ଦରଗଡ଼ ସାଇ ଛାତ୍ରାବାସରେ ହକି ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ନିଜ ପ୍ରଶିକ୍ଷକ ଜୀବନରେ ସେ ଦୀପଗ୍ରେସ୍ ଏକ୍କାଙ୍କ ଭଳି ଅଲିମ୍ପିଆନ୍ ଏବଂ ରୋଶନ ମିଞ୍ଜଙ୍କ ଭଳି ଜାତୀୟ ବରିଷ୍ଠ ଦଳର ଖେଳାଳିଙ୍କ ସମେତ ବିକାଶ ଟପୋ, ବେଲସାଜର ହରୋ, ମନଜିତ କୁଲୁ, ସୁମନ ବେକ୍, ସୁଜାତା କୁଜୁର ଏବଂ ସୁନେଲିତା ଟପୋଙ୍କ ଭଳି ଅନ୍ତର୍ଜାତୀୟ ତାରକାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ଯେଉଁମାନେ କନିଷ୍ଠ ପୁରୁଷ ଓ ମହିଳା ଦଳରେ ଭାରତ ତରଫରୁ ଖେଳିଛନ୍ତି। ଏହାଛଡ଼ା ବନମାଳି ଖେସ୍, ଦିନେଶ ଏକ୍କା, ପୂଜା ସାହୁ, ତନୁଜା ଟୋପୋ, ନିଶା ଦଦେଲ, କରୁଣା ମିଞ୍ଜ, ବିନତି ମିଞ୍ଜ, ଦୀପିକା ବରୱା, ପୂଜା ମାଝିଙ୍କ ଭଳି ଶତାଧିକ ସଫଳ ଓ ଦକ୍ଷ ଖେଳାଳି ସେ ତିଆରି କରିଛନ୍ତି। ସେ ମଧ୍ୟ ୨୦୧୦ରୁ୨୦୧୪ ପର୍ଯ୍ୟନ୍ତ ବିଜେତା ହୋଇଥିବା ଜାତୀୟ ଉପକନିଷ୍ଠ ବାଳକ ଦଳର ପ୍ରଶିକ୍ଷକ ଥିଲେ। ତାଙ୍କ ତତ୍ତ୍ବାବଧାନରେ ସାଇ ବାଳିକା ଦଳ ଖେଲୋ ଇଣ୍ଡିଆ ଓ ସାଇ ଦଳ ଏକାଡେମି ଜାତୀୟ ବିଜେତା ହୋଇଥିଲା। ହକି ପ୍ରତି ତାଙ୍କ ଅବଦାନକୁ ସ୍ବୀକୃତି ଦେଇ ଓଡ଼ିଶା ସରକାର ତାଙ୍କୁ ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଥିବାରୁ ଶ୍ରୀ ଷଡ଼ଙ୍ଗୀ କୃତଜ୍ଞତା ବ୍ୟକ୍ତ କରିଛନ୍ତି। ହକି ପ୍ରତି ଉତ୍ସର୍ଗିକୃତ ସେବା ଜାରି ରଖିବା ପାଇଁ ଏହି ପୁରସ୍କାର ତାଙ୍କୁ ପ୍ରେରଣା ଦେବ ବୋଲି ‘ସମ୍ବାଦ’ ସହ ଆଲୋଚନା ବେଳେ କହିଛନ୍ତି।