ସତୀଶ ଶର୍ମା

Advertisment

ରାଉରକେଲା: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ କ୍ରମାଗତ ଦ୍ୱିତୀୟ ଥର ହକିରେ କାଂସ୍ୟ ପଦକ ହାତେଇବା ପରେ ସାରା ଦେଶରେ ଖୁସିର ଲହରି ଖେଳିଛି। ସବୁ ହକିପ୍ରେମୀ ଗୋଟିଏ ସ୍ବରରେ କହିବା ଆରମ୍ଭ କରିଛନ୍ତି ହକିର ‘ଅଚ୍ଛେ ଦିନ୍‌’ ଫେରି ଆସିଛି। ହେଲେ ସାମନ୍ତରାଳ ଭାବେ ଓଡ଼ିଶା ହକିର ଭଲ ଦିନ ଫେରିଛି ନା ଚାଲିଯାଇଛି ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି। କାରଣ ଜାତୀୟ ଦଳରେ ଓଡ଼ିଶାର ପୂର୍ବ ଦବ୍‌ଦବା ପ୍ରାୟତଃ ଆଉନାହିଁ। ଓଡ଼ିଶା ପ୍ରାୟୋଜକ ଭାବେ ଭାରତର ଦୁଇଟି ଅଲିମ୍ପିକ୍ସ ପଦକ ବିଜୟର ଅଂଶୀଦାର ହୋଇପାରିଛି ସତ, ହେଲେ ଭାରତୀୟ ଦଳରେ ଓଡ଼ିଆଙ୍କ ପ୍ରତିନିଧିତ୍ବକୁ ଦେଖି‌ଲେ ଏହା ମାତ୍ର ଜଣେ ଖେଳାଳିରେ ସୀମିତ ରହିଛି। ଯାହା ଓଡ଼ିଶା ହକିର ସ୍ଥିତି ଓ ଅବସ୍ଥିତିକୁ ଭଲ ଭାବରେ ଦର୍ଶାଉଛି। ପୁଣି ଓଡ଼ିଶା ଦୁଇଦୁଇଟି ବିଶ୍ବକପ୍ (୨୦୨୮, ୨୦୨୩)ର ସଫଳ ଆୟୋଜନ କରିବା ସତ୍ତ୍ବେ ରାଜ୍ୟରୁ ଆଶାଜନକ ଭାବେ ଅନ୍ତର୍ଜାତୀୟ ହକି ଖେଳାଳି ସୃଷ୍ଟି ନହେବା ରାଜ୍ୟରେ ହକି ପରିଚାଳନାରେ କୌଣସି ନା କୌଣସି କ୍ଷେତ୍ରରେ ଘୋର ଦୁର୍ବଳତା ରହିଥିବାକୁ ଦର୍ଶାଉଛି। 

ଭାରତୀୟ ହକି ଦଳରେ ପ୍ୟାରିସ୍‌ ଅଲିମ୍ପିକ୍ସ ସଫଳତାରେ ଓଡ଼ିଆ ଭାବେ କେବଳ ଅମିତ ରୋହିଦାସଙ୍କ ଅବଦାନ ରହିଛି। ଅନ୍ୟପକ୍ଷରେ ଭାରତୀୟ ଦଳରେ ଅନ୍ୟୂନ ୯ଜଣ ଖେଳାଳି ପଞ୍ଜାବରୁ ଆସିଛନ୍ତି। ପଞ୍ଜାବ ନା କେବେ ବିଶ୍ବକପ୍ ଆୟୋଜନ କରିଛି ନା କରିବ, ବରଂ ଖେଳାଳିଙ୍କ ଉପରେ ସର୍ବାଧିକ ପୁଞ୍ଜିନିବେଶ କରି ଆଜି ତା’ର ଫଳ ପାଇଛି। ପାଖାପାଖି କୋଡ଼ିଏ ବର୍ଷ ତଳେ ଭାରତୀୟ ଦଳରେ ଦିଲୀପ ତିର୍କି, ଲାଜରୁସ ବାର୍ଲା, ଇଗ୍ନେସ ତିର୍କି, ପ୍ରବୋଧ ତିର୍କି ଖେଳୁଥିବା ସମୟରେ ଜାତୀୟ ଦଳରେ ଓଡ଼ିଶା ଖେଳାଳିଙ୍କ ସଂଖ୍ୟା ବଢ଼ିବା ଉଚିତ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ପରିତାପର ବିଷୟ ଓଡ଼ିଆଙ୍କ ସଂଖ୍ୟା ବଢ଼ିବା ପରିବ‌ର୍ତ୍ତେ କ୍ରମାଗତ ଭାବେ ହ୍ରାସ ହେବାରେ ଲାଗିଛି। ଆଗାମୀ ସମୟରେ ଏହା ‘ଶୂନ’ ହେବାର ଆଶଙ୍କା ବି ରହିଛି। କାରଣ ଅମିତ ରୋହିଦାସଙ୍କ ଭଳି ଖେଳାଳି ସୃଷ୍ଟି କରିବାରେ ଓଡ଼ିଶା ଆପାତତଃ ବିଫଳ ହୋଇଛି।

୨୦୧୬ରେ ଲକ୍ଷ୍ନୌରେ ଅନୁଷ୍ଠିତ କନିଷ୍ଠ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳରେ ଓଡ଼ିଶାର ଦୀପସାନ୍ ତିର୍କି ଉପଅଧିନାୟକ ଥିଲେ। ସେ ସମୟରେ ସେ ଜଣେ ଅତି ପ୍ରତିଭାଶାଳୀ ଖେଳାଳି ବିବେଚିତ ହେଉଥିଲେ। ସେହି ଦଳରେ ସାମିଲ ଥିବା ହରମନପ୍ରୀତ ସିଂହ, ଗୁରଜାନ୍ତ ସିଂହ, ସିମରନଜିତ  ସିଂହ, ମନଦୀପ ସିଂହ, ନୀଳକାନ୍ତ ଶର୍ମା, ସୁମିତ, ବରୁଣ କୁମାର, କ୍ରିଷ୍ଣନ ବାହାଦୁର ପାଠକ, ଏବେ ବରିଷ୍ଠ ଦଳର ସ୍ଥାୟୀ ସଦସ୍ୟ ହୋଇ ଯାଇଛନ୍ତି। କିନ୍ତୁ ଦୀପସାନ୍ କିଛି ହାତଗଣତି ପ୍ରତିଯୋଗିତାକୁ ଛାଡ଼ିଦେଲେ ସେମିତି କିଛି ସୁଯୋଗ ପାଇ ନାହାନ୍ତି। ସେହିଭଳି ୨୦୨୧ରେ ଭୁବନେଶ୍ୱରରେ ଅନୁଷ୍ଠିତ କନିଷ୍ଠ ବିଶ୍ୱକପ ଦଳରେ ତିନି ଜଣ ଓଡ଼ିଆ ଖେଳାଳି ଅଭିଷେକ ଲାକ୍‌ଡ଼ା, ସୁନୀଲ ଜୋଜୋ, ସୁଦୀପ ଚିର୍ମାକୋ ଥିଲେ। ଗତବର୍ଷ ମାଲେସିଆରେ ଅନୁଷ୍ଠିତ ତ୍ରୟୋଦଶ କନିଷ୍ଠ ବିଶ୍ୱକପ୍‌ରେ ମଧ୍ୟ ୩ଜଣ ଅମନଦୀପ ଲାକ୍‌ଡ଼ା ସୁନୀଲ ଜୋଜୋ, ସୁଦୀପ ଚିର୍ମାକୋ ଜାତୀୟ ଦଳରେ ସାମିଲ ଥିଲେ। କିନ୍ତୁ ଏମାନେ ସମସ୍ତେ ବରିଷ୍ଠ ଦଳ ପାଇଁ ପ୍ରଶିକ୍ଷଣ ଶିବିରରେ ମଧ୍ୟ ସ୍ଥାନ ପାଇ ନାହାନ୍ତି। ଏମାନଙ୍କ ବ୍ୟତୀତ ବିଗତ ଏକ ଦଶନ୍ଧିରେ କନିଷ୍ଠ ଭାରତୀୟ ଦଳରେ ସ୍ଥାନ ପାଇ ଆନନ୍ଦ ଲାକ୍‌ଡ଼ା, ଅମନମିରାଜ ତିର୍କି, ସୁମନ ବେକ୍‌, ପ୍ରତାପ ଲାକ୍‌ଡ଼ା, ସୁଜିତ ଲାକ୍‌ଡ଼ା, ସିରିଲ ଲୁଗୁନ, ଆଶିଷ କୁମାର ଟପ୍ନୋ, ନୀଲମ ସଞ୍ଜିପ ଖେସ୍‌, ଶିଳାନନ୍ଦ ଲାକ୍‌ଡ଼ାଙ୍କ ଭଳି ଖେଳାଳି ଚର୍ଚ୍ଚିତ ହୋଇଥିଲେ। ହେଲେ କେହି ଜାତୀୟ ଦଳର ନିୟମିତ ସଦସ୍ୟ ହୋଇପାରିଲେନି। 

ସେଥିପାଇଁ ପ୍ୟାରିସ୍ ଅଲିମ୍ପିକ୍ସରୁ ଫେରି ଗତ ୨୩ ତାରିଖରେ ରାଉରକେଲା ପହଞ୍ଚିଥିବା ଅମିତ ରୋହିଦାସ ପାନପୋଷ ହକି ଛାତ୍ରାବାସର ଯୁବ ଖେଳାଳିଙ୍କୁ ସମ୍ବୋଧିତ କରି ଗୋଟିଏ ପ୍ରଶ୍ନ ପଚାରିଥିଲେ। ସେ କହିଥିଲେ, ଓଡ଼ିଶା ବର୍ତ୍ତମାନ ଉପକନିଷ୍ଠ, କନିଷ୍ଠ, ବରିଷ୍ଠ, କେଉଁ ବର୍ଗରେ ଚାମ୍ପିଅନ ଅଛି? ସମସ୍ତ ପିଲା ମୁଣ୍ଡ ନୁଆଁଇ କହିଲେ କୌଣସି ବର୍ଗରେ ନାହିଁ। ପିଲାମାନଙ୍କର ଏହି ଉତ୍ତର ଓଡ଼ିଶା ହକିର ବାସ୍ତବିକ ସ୍ଥିତିର ପରିଚୟ ଦେବା ପାଇଁ ଯଥେଷ୍ଟ ଥିଲା। ସୁନ୍ଦରରଗଡ଼ ଜିଲ୍ଲାରେ ଅଭ୍ୟାସ ପାଇଁ ଯେତେ ସଂଖ୍ୟାରେ ସିନ୍ଥେଟିକ୍‌ ଟର୍ଫ ରହିଛି ସେତିକି ପଞ୍ଜାବ, ହରିୟାଣାରେ ନାହିଁ। ଆମ ଖେଳାଳି ଜାତୀୟ ପ୍ରତିଯୋଗିତା ଲାଗି ଉଡ଼ାଜାହାଜରେ ଯାତ୍ରା କରୁଛନ୍ତି। ଏତେ ସୁବିଧା ମିଳିବା ସତ୍ତ୍ବେ ବରିଷ୍ଠ ଭାରତୀୟ ଦଳରେ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ନବଢ଼ିବା ବିଚାର ସାପେକ୍ଷ। ଏହାର ଗଭୀର ତର୍ଜମା ଆବଶ୍ୟକ।

ଭାରତୀୟ ହକିର ପ୍ରାୟୋଜକ ଓଡ଼ିଶା ହେବା ଆମ ସମସ୍ତଙ୍କ ପାଇଁ ଗର୍ବର କଥା। କିନ୍ତୁ ଏହା ସହିତ ଓଡ଼ିଶା କେମିତି ଭାରତୀୟ ହକିର କେନ୍ଦ୍ର ହେବ, କେମିତି ଜାତୀୟ ସ୍ତରରେ ଅଧିକରୁ ଅଧିକ ଟ୍ରଫି ଜିତିବ, କେମିତି ଅଧିକ ଓଡ଼ିଆ ଖେଳାଳି ଜାତୀୟ ଦଳରେ ସ୍ଥାନ ପାଇବେ, ତା’ ଉପରେ ଅଧିକ ଧ୍ୟାନ ଦେବା ରାଜ୍ୟର କର୍ତ୍ତବ୍ୟ। ଆଶା ରଖୁଛୁ ହକି ଇଣ୍ଡିଆର ଓଡ଼ିଆ ଅଧ୍ୟକ୍ଷ ଦିଲୀପ ତିର୍କି ଏବଂ କ୍ରୀଡ଼ା ମନ୍ତ୍ରାଳୟର ଅଧିକାରୀମାନେ ଏଦିଗରେ ଧ୍ୟାନ ଦେବେ। କାରଣ ଓଡ଼ିଶା, ଭାରତୀୟ ହକିର କେବଳ ବରଯାତ୍ରୀ ନ‌େ‌ହାଇ ବରଂ ବର ହେଉ, ସେ ଲକ୍ଷ୍ୟ ଆମର ରହିବା କଥା।