ସୁରଟ: ଗୁଜରାଟ ଓ ଦିଲ୍ଲୀ ଆ‌ୟୋଜିତ ୩୬ତମ ଜାତୀୟ କ୍ରୀଡ଼ା ବୁଧବାର ଉଦ୍‌ଯାପିତ ହୋଇଛି। ଦେଶର ଏହି କ୍ରୀଡ଼ା ମହାକୁମ୍ଭରେ ସର୍ଭିସେସ୍‌ ସର୍ବାଧିକ ୬୧ ସ୍ବର୍ଣ୍ଣ ସହ ୧୨୮ ପଦକ ପାଇ ଶ୍ରେଷ୍ଠ ଦଳର ମାନ୍ୟତା ପାଇଛି। ଏହା ପଛକୁ ମହାରାଷ୍ଟ୍ର ୧୪୦ ଓ ହରିଆଣା ୧୧୬ ପଦକ ସହ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଓଡ଼ିଶା ୪ ସ୍ବର୍ଣ୍ଣ ସହ ୧୭ତମ ସ୍ଥାନରେ ଅଭିଯାନ ଶେଷ କରିଛି। ଅନ୍ୟପକ୍ଷରେ କେରଳର ସାଜନ ପ୍ରକାଶ ଓ କର୍ଣ୍ଣ‌ାଟକର ହଷିକା ରାମଚନ୍ଦ୍ର ଯଥାକ୍ରମେ ଶ୍ରେଷ୍ଠ ପୁରୁଷ ଓ ମହିଳା କ୍ରୀଡ଼ାବିତ୍‌ ବିବେଚିତ ହୋଇଛନ୍ତି। ସାଜନ ୫ ବ୍ୟକ୍ତିଗତ ସ୍ବର୍ଣ୍ଣ ସହିତ ମୋଟ ୮ ପଦକ ପାଇଥିଲା ବେଳେ ୧୪ ବର୍ଷିୟା ହର୍ଷିକା ୬ ସ୍ବର୍ଣ୍ଣ ସହ ମୋଟ ୭ ପଦକ ଜିତିଛନ୍ତି।

Advertisment

ବୁଧବାର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଇନ୍‌ଡୋର ଷ୍ଟାଡିୟମରେ ହୋଇଥିବା ଉଦ୍‌ଯାପନୀ ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନ୍‌ଖର ମୁଖ୍ୟ ଅତିଥି, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ ପଟେଲ, ଭାରତୀୟ ଅଲିମ୍ପିକ ସଂଘ ସମ୍ପାଦକ ରାଜୀବ ମେହେତା ଅନ୍ୟତମ ଅତିଥି ଭାବେ ଯୋଗଦେଇ ପ୍ରଥମ ସ୍ଥାନ ପାଇଥିବା ସର୍ଭିସେସ୍‌କୁ ରାଜା ଭଲିନ୍ଦ୍ର ସିଂହ ଟ୍ରଫି ଓ ମହାରାଷ୍ଟ୍ରକୁ ଭାରତୀୟ ଅଲିମ୍ପିକ ସଂଘର ଶ୍ରେଷ୍ଠ ରାଜ୍ୟ ଦଳ ପୁରସ୍କାର ପ୍ରଦାନ କରିଥିଲେ। ଚଳିତ ଜାତୀୟ କ୍ରୀଡ଼ାରେ ୩୭ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ ଅନୁବନ୍ଧିତ ସଂସ୍ଥାରୁ ୮ ହଜାରରୁ ଉର୍ଦ୍ଧ୍ବ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ଟ୍ରାକ୍‌ ଆଣ୍ଡ ଫିଲ୍ଡରୁ ‌୩୮ ଓ ଆକ୍ବାଟିକ୍ସରୁ ୩୬ ନୂଆ କୀର୍ତ୍ତିମାନ ସ୍ଥାପନ ହୋଇଥିଲା। ଉଦ୍‌ଯାପନୀ କାର୍ଯ୍ୟକ୍ରମ ଶେଷରେ ଗୋଆର କ୍ରୀଡ଼ା ମନ୍ତ୍ରୀ ଗୋବିନ୍ଦ ଗୌଡ଼େଙ୍କ ନେତୃତ୍ବରେ ଆସିଥିବା ପ୍ରତିନିଧି ଦଳକୁ ୨୦୨୩ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ପତାକା ହସ୍ତାନ୍ତର କରାଯାଇଥିଲା।