ଭୁବନେଶ୍ୱର: ଉତ୍ତରାଖଣ୍ଡରେ ସଦ୍ୟ ସମାପ୍ତ ୩୮ତମ ଜାତୀୟ କ୍ରୀଡ଼ାରେ ପଦକ ଜିତିଥିବା ରାଜ୍ୟର ସମସ୍ତ ସଫଳ କ୍ରୀଡ଼ା ତାରକାଙ୍କୁ ଶନିବାର କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। କଳିଙ୍ଗ ଷ୍ଟାଡିୟମ୍ ଟେନିସ ସେଣ୍ଟର୍ରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସମାରୋହରେ କ୍ରୀଡ଼ାବିତ୍ଙ୍କୁ ପୁରସ୍କାର ରାଶି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ସ୍ବର୍ଣ୍ଣ ପଦକ ହାସଲ କରିଥିବା ଖେଳାଳିଙ୍କୁ ୬ ଲକ୍ଷ, ରୌପ୍ୟ ପାଇଁ ୪ ଲକ୍ଷ ଏବଂ କାଂସ୍ୟ ପଦକ ପାଇଁ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।
ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ୩୮ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶାର କ୍ରୀଡ଼ାବିତ୍ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଓଡ଼ିଶା ଏଥିରେ ଦ୍ବାଦଶ ସ୍ଥାନ ଅଧିକାର କରି ଶ୍ରେଷ୍ଠ ୧୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇବାର ଗୌରବ ହାସଲ କରିଛି। ଆମ କ୍ରୀଡ଼ାବିତ୍ମାନେ ହେଉଛନ୍ତି ଆମ ଗର୍ବ ଓ ଗୌରବ।
ଜାତୀୟ କ୍ରୀଡ଼ା ସଫଳତା ଯୁବ କ୍ରୀଡ଼ାବିତ୍ଙ୍କ ପାଇଁ ପ୍ରେରଣା: କ୍ରୀଡ଼ାମନ୍ତ୍ରୀ
କ୍ରୀଡ଼ାର ମୌଳିକତା ହେଉଛି ବିଜୟପ୍ରାପ୍ତି ପରେ ଉତ୍ସାହିତ ରହିବା, ପରାଜୟ ଦ୍ୱାରା ନିରାଶ ନହୋଇ ପୁନର୍ବାର ଜିତିବା ପାଇଁ ଅନୁପ୍ରେରିତ ହେବା। ଜାତୀୟ କ୍ରୀଡ଼ାରେ ମିଳିଥିବା ସଫଳତା ଓଡ଼ିଶାର ସବୁ ଯୁବ ଖେଳାଳିଙ୍କୁ ଆଗାମୀ ସମୟରେ ଭଲ କରିବା ଲାଗି ପ୍ରେରଣା ଯୋଗାଇବ। ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିରେ ଆମ ଖେଳାଳି ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ପଦକ ହାସଲ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବେ। ସରକାରଙ୍କ ତରଫରୁ କ୍ରୀଡ଼ାର ବିକାଶ ପାଇଁ ସମସ୍ତ ପ୍ରକାର ସମର୍ଥନ ଓ ସହଯୋଗ ଜାରି ରହିବ।
ଜାତୀୟ କ୍ରୀଡ଼ା ପଦକ ବିଜେତାମାନେ ଏଭଳି ସମ୍ବର୍ଦ୍ଧନା ପାଇଁ ଖୁସି ବ୍ୟକ୍ତ କରିବା ସହ ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନ ପାଇଁ ସେମାନଙ୍କୁ ଆହୁରି ଭଲ କରିବା ଲାଗି ପ୍ରୋତ୍ସାହିତ କରିବ ବୋଲି ମତପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ, ଅଶୋକ କୁମାର ପଣ୍ଡା, ବରିଷ୍ଠ ଅଧିକାରୀଗଣ ଏବଂ ବିଭିନ୍ନ କ୍ରୀଡ଼ା ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।