ଜାତୀୟ କ୍ରୀଡ଼ା: ଓଡ଼ିଶାକୁ ଆଉ ୨ ସ୍ବର୍ଣ୍ଣ ସହ ୫ ପଦକ

ଭୁବନେଶ୍ବର: ଚଳିତ ଜାତୀୟ କ୍ରୀଡ଼ାରେ ରବିବାର (ତୃତୀୟ ଦିନ) ଓଡ଼ିଶାକୁ ୫ ପଦକ ମିଳିଛି। ଏଥିରେ ୨ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ରହିଛି। ଜିମ୍ନାଷ୍ଟ ର‌ାକେଶ ପାତ୍ର ରାଜ୍ୟ ପାଇଁ ପ୍ରଥମ ବ୍ୟକ୍ତିଗତ ସ୍ବର୍ଣ୍ଣ ଜିତିଥିଲା ବେଳେ ରୋଇଂରେ ୩ ପଦକ (୧ ସ୍ବର୍ଣ୍ଣ, ୨ ରୌପ୍ୟ) ମିଳିଥିଲା। ଏକ ମାତ୍ର କାଂସ୍ୟଟି ଅସିଚାଳନା ପୁରୁଷ ଫଏଲ ଦଳ ପାଇଥିଲା। ଏହି ୫ ପଦକ ସହ ଓଡ଼ିଶାର ମୋଟ ସଂଖ୍ୟା ୯ (୩ ସ୍ବର୍ଣ୍ଣ, ୨ ରୌପ୍ୟ, ୪ କାଂସ୍ୟ)ରେ ପହଞ୍ଚିଛି।

ରାକେଶଙ୍କୁ ସ୍ବର୍ଣ୍ଣ


ଜିମ୍ନାଷ୍ଟ ରାକେଶ ପାତ୍ର ଷ୍ଟିଲ୍‌ ରିଙ୍ଗ୍‌ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଚଳିତ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ଏହା ପ୍ରଥମ ବ୍ୟକ୍ତିଗତ ସ୍ବର୍ଣ୍ଣ ଥିଲା। ସେ ୧୩.୩ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲେ। ତାଙ୍କ ପଛକୁ ଉତ୍ତର ପ୍ରଦେଶର ଆ‌ଦିତ୍ୟ ସିଂହ ରାଣା (୧୨.୭୫ ପଏଣ୍ଟ୍‌) ଏବଂ ସର୍ଭିସ ସ୍ପୋର୍ଟ୍ସ କଣ୍ଟ୍ରୋଲ ବୋର୍ଡ (ଏସ୍‌ଏସ୍‌ସିବି)ର ଗୌରବ କୁମାର ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ।

ଜିମ୍ନାଷ୍ଟିକ୍ସରେ ଓଡ଼ିଶାରୁ ୬ ଜଣ ଭାଗନେଇଥିଲେ। ଏମାନଙ୍କ ମଧ୍ୟରୁ ୩ ଜଣ ରାକେଶ, ତପନ ମହାନ୍ତି, ତପେଶ୍ବର ନାଥ ଦାସ ଫାଇନାଲ୍‌ରେ ପହଞ୍ଚିଥିଲେ। କେବଳ ରାକେଶ ପଦକ ଜିତିଥିଲା ବେଳେ ତପନ ପାରାଲେଲ ବାର୍‌ରେ ଷଷ୍ଠ ଏବଂ ତପେଶ୍ବର ଫ୍ଲୋର ଏକ୍ସରସାଇଜ୍‌ରେ ଷଷ୍ଠ ଏବଂ ଷ୍ଟିଲ୍‌ ରିଙ୍ଗ୍‌ରେ ଅଷ୍ଟମ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ରାକେଶଙ୍କ ଏହି ସଫଳତାରେ ତାଙ୍କ ପିଲା ବେଳର ପ୍ରଶିକ୍ଷକ ଅଶୋକ ମିଶ୍ର, ଓଡ଼ିଶା ପ୍ରଶିକ୍ଷକ ଅଶ୍ବିନ ସାମନ୍ତରାୟଙ୍କ ଅବଦାନ ରହିଛି। ତାଙ୍କ ଦାଦା ପୂର୍ବତନ ଜାତୀୟ ସ୍ବର୍ଣ୍ଣ ବିଜେତା ଶୁଭେନ୍ଦ୍ର କୁମାର ପାତ୍ର ଓ ପ୍ରଦୀପ ସାହୁଙ୍କ ଜିଏଫ୍‌ଆଇ ପକ୍ଷରୁ ଚଳିତ ଜାତୀୟ କ୍ରୀଡ଼ା ପୁରୁଷ ଆର୍ଟିଷ୍ଟ ଜିମ୍ନାଷ୍ଟିକ୍ସରେ ଜଜ୍‌ ରହିଛନ୍ତି। ରାଜ୍ୟ ପାଇଁ ପ୍ରଥମ ବ୍ୟକ୍ତିଗତ ସ୍ବର୍ଣ୍ଣ ଜିତିଥିବା ରାକେଶଙ୍କୁ ଓଡ଼ିଶା ଜମ୍ନାଷ୍ଟିକ୍ସ ସଂଘର ସମ୍ପାଦକ ଅଶୋକ ସାହୁ ଅଭିନନ୍ଦନ ଜଣାଇଛନ୍ତି।

ପୁରୁଷ ଫଏଲ ଦଳକୁ କାଂସ୍ୟ
ରବିନ୍ଦର କୁମାର, ରବି ଶର୍ମା, ହାଓବାମ ହିରୋଜିତ ସିଂହ ଓ ରବି କୁମାର ସିଂହଙ୍କୁ ନେଇ ଗଠିତ ଓଡ଼ିଶା ଅସିଚାଳନା ଫଏଲ୍‌ ଦଳ କାଂସ୍ୟ ପଦକ ଜିତିଛି। କ୍ବାର୍ଟର ଫାଇନାଲ୍‌ରେ ଏହି ଦଳ ୪୫-୩୪ରେ ଗୁଜରାଟକୁ ହରାଇ ସେମିଫାଇନାଲ୍‌ରେ ପହଞ୍ଚିଥିଲା। ସେମିଫାଇନାଲ୍‌ରେ ଓଡ଼ିଶା ୨୫-୪୫ରେ ସର୍ଭିସ ସ୍ପୋର୍ଟ୍ସ କଣ୍ଟ୍ରୋଲ ବୋର୍ଡ (ଏସ୍‌ଏସ୍‌ସିବି)ଠୁ ହାରି ଫାଇନାଲ୍‌‌ରୁ ବଞ୍ଚିତ ହେବା ସହ କାଂସ୍ୟରେ ସନ୍ତୁଷ୍ଟ ରହିଥିଲା। ଫାଇନାଲ୍‌ରେ ଏସ୍‌ଏସ୍‌ସିବି ୪୫-୩୪ରେ ଛତିଶଗଡ଼କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲା। ରୌପ୍ୟ ବିଜେତା ଛତିଶଗଡ଼ଠୁ ସେମିଫାଇନାଲ୍‌ରେ ହାରିଥିବା ହରିୟାଣା ମଧ୍ୟ କାଂସ୍ୟ ପାଇଥିଲା।

ରୋଇଂ ଚମକ

ଜାତୀୟ କ୍ରୀଡ଼ା‌ରେ ଓଡ଼ିଶା ରୋଇଂ ଖେଳାଳିମାନେ ଚମକ ଦେଖାଇଛନ୍ତି। ରବିବାର ମହିଳା କକ୍ସଲେସ୍‌- ପେୟାର ସ୍ବର୍ଣ୍ଣ ଜିତିଥିଲା ବେଳେ ମହିଳା କକ୍ସଲେସ୍‌-୪ ଦଳ ଓ ପୁରୁଷ ଏକକରେ ଶୋଭିତ ପାଣ୍ଡେ ରୌପ୍ୟ ପଦକ ଜିତିଥିଲେ। ମହିଳା କକ୍ସଲେସ୍‌ ‌ପେୟାରରେ ସୋନାଲି ସ୍ବାଇଁ ଓ ରିତୁ କାଉଡ଼ି ଯୋଡ଼ି ୭ ମିନିଟ୍‌ ୪୧.୪ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କେରଳ (୭:୪୭.୫) ‌ରୌପ୍ୟ ଏବଂ ମଧ୍ୟପ୍ରଦେଶ (୭:୫୩.୦୬) କାଂସ୍ୟ ଜିତିଥିଲା। ସଂଯୁକ୍ତା ଡୁଙ୍ଗଡୁଙ୍ଗ, ଝରଣା ହସ୍ତି, ଅସ୍ମିତା କେର୍କେଟା ଓ ଦୀପିକା ଖେସ୍‌ଙ୍କୁ ନେଇ ଗଠିତ ଓଡ଼ିଶା ମହିଳା କକ୍ସଲେସ୍‌-୪ ଦଳ ୭ ମିନିଟ୍‌ ୩.୦୧ ସେକେଣ୍ଡ ସମୟ ସହ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ କରାୟତ୍ତ କରିଥିଲା। ଏହି ବର୍ଗରେ କେରଳ (୭:୦୧.୦୧) ସ୍ବର୍ଣ୍ଣ ଏବଂ ମଣିପୁର (୭:୨୦.୪) କାଂସ୍ୟ ଜିତିଥିଲା। ସିଙ୍ଗଲ ସ୍କଲ୍‌ରେ ‌େଶାଭିତ ପାଣ୍ଡେ ‌ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଥିଲା ବେଳେ ସର୍ଭିସ ସ୍ପୋର୍ଟ୍ସ କଣ୍ଟ୍ରୋଲ ବୋର୍ଡ (ଏସ୍‌ଏସ୍‌ସିବି)ର ଜାକର ଖାନ ସ୍ବର୍ଣ୍ଣ ଏବଂ ଦିଲ୍ଲୀର ସୁଖବୀର କାଂସ୍ୟ ପଦକ ପାଇଥିଲେ।

ଶ୍ରାବଣୀ ୨୦୦ ମିଟର୍‌ ଫାଇନାଲ୍‌ରେ

ଜାତୀୟ କ୍ରୀଡ଼ାର ଦୌଡ଼କୁଦ ପ୍ରତିଯୋଗିତାର ମହିଳା ୧୦୦ ମିଟର୍‌ ନିରାଶା ପରେ ୨୦୦ ମିଟର ଆଶା ଉଜ୍ଜୀବିତ ହୋଇଛି। ରବିବାର ଶ୍ରାବଣୀ ନନ୍ଦ ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ଅଲିମ୍ପିଆନ୍‌ ଶ୍ରାବଣୀ ନନ୍ଦ ଓ ଦୂତି ଚାନ୍ଦ ଶନିବାର ୧୦୦ ମିଟର୍‌ରେ ବିଫଳ ହୋଇ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଥିଲେ। ରବିବାର ୨୦୦ ମିଟର୍‌ରେ ଶ୍ରାବଣୀ ୨୪.୦୭ ସେକେଣ୍ଡ୍‌ ସମୟ ସହ ଫାଇନାଲ୍‌ ଉଠିଛନ୍ତି। ସୋମବାର ଫାଇନାଲ୍ ଅନୁଷ୍ଠିତ ହେବ। ଦୂତି ଏହି ଇଭେଣ୍ଟରେ ଆଗକୁ ବଢ଼ି ପାରିନାହାନ୍ତି।

ଫୁଟ୍‌ବଲ୍‌ରେ ମହିଳା ଜିତିଲେ ପୁରୁଷ ହାରିଲେ

ଫୁଟ୍‌ବଲ୍‌ରେ ମହିଳା ଦଳ ୨-୧‌ ଗୋଲ୍‌ରେ ମହାରାଷ୍ଟ୍ରକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ବେଳେ ପୁରୁଷ ଦଳ କେରଳଠୁ ୧-୨ ଗୋଲ୍‌ରେ ହାରିଯାଇଛି। ବିଜୟୀ ମହିଳା ଦଳ ପାଇଁ ମନୀଷା ନାୟକ (୨ ମିନିଟ୍‌) ଏବଂ ଯଶୋଦା ମୁଣ୍ଡା (୬୬ ମିନିଟ୍‌) ଗୋଲ୍‌ ଦେଇଥିଲେ। ଅନ୍ୟପକ୍ଷରେ ଓଡ଼ିଶା ମହିଳା ହକି ଦଳ ୩-୨ ‌ଗୋଲ୍‌ରେ ଉତ୍ତରପ୍ରଦେଶକୁ ହରାଇଛି।

ସମ୍ବନ୍ଧିତ ଖବର