ଜାତୀୟ କ୍ରୀଡ଼ା: ଖୋଖୋରୁ ରୌପ୍ୟ; ଶ୍ରାବଣୀଙ୍କୁ କାଂସ୍ୟ

ଭୁବନେଶ୍ବର: ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ଜାତୀୟ କ୍ରୀଡ଼ାରେ କାଂସ୍ୟ ପଦକ ପାଇଛନ୍ତି। ଏଥି ସହିତ ଓଡ଼ିଶା ପାଇଁ ଦୌଡ଼କୁଦରୁ ସେ ପ୍ରଥମ ପଦକ ଆଣିଥିଲେ। ପୂର୍ବରୁ ଦୂତି ଚାନ୍ଦ ନିରାଶ କରିବା ସତ୍ତ୍ବେ ଶ୍ରାବଣୀ ଓଡ଼ିଶା ପାଇଁ ବିଳମ୍ବିତ ସଫଳତା ଆଣିଥିଲେ। ତାଙ୍କ ବ୍ୟତୀତ ମହିଳା ଖୋଖୋ ଦଳ ଫାଇନାଲ୍‌ରେ ମହାରାଷ୍ଟ୍ରଠୁ ହାରି ରୌପ୍ୟ ପଦକ ପାଇଛି। ଏହି ଦୁଇ ପଦକ ସହ ଓଡ଼ିଶାର ମୋଟ ସଂଖ୍ୟା ୧୬ରେ ପହଞ୍ଚିଛି। ତେବେ ଗୁରୁବାର ଓଡ଼ିଶା କୌଣସି ପଦକ ପାଇନଥିଲେ ସୁଦ୍ଧା ବିଚ୍‌ ଭଲିବଲ୍‌ରେ ମହିଳା ଦଳ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିବା ଏବଂ ଫୁଟ୍‌ବଲ୍‌ ଓ ହକିରେ ମହିଳା ଆଧିପତ୍ୟ ବିସ୍ତାର କରୁଥିବାରୁ ରାଜ୍ୟ ପାଇଁ ଅଧିକ ପଦକ ଆସିବା ସମ୍ଭାବନା ରହିଛି।

ଖୋଖୋରୁ ରୌପ୍ୟ
ଓଡ଼ିଶା ମହିଳା ଖୋଖୋ ଦଳକୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଫାଇନାଲ୍‌ରେ ମହାରାଷ୍ଟ୍ରଠୁ ୧୬-୧୮ରେ ଓଡ଼ିଶା ପରାସ୍ତ ହୋଇଥିଲା। ପ୍ରଥମ ପାଳିରେ ମହାରାଷ୍ଟ୍ର ୧୮-୮ରେ ଅଗ୍ରଣୀ ନେଇଥିଲା ବେଳେ ଦ୍ବିତୀୟ ପାଳିରେ ଓଡ଼ିଶା ୮-୦ ସ୍କୋର କରିଥିଲା। ହେଲେ ମୋଟ ଫଳାଫଳରେ ଓଡ଼ିଶା ପଛରେ ପଡ଼ିଯାଇଥିଲା। ଅନ୍ୟପକ୍ଷରେ ପୁରୁଷ ବିଭାଗରେ ମହାରାଷ୍ଟ୍ର ୩୦-୨୬ରେ କେରଳକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛି।

ଶ୍ରାବଣୀଙ୍କୁ କାଂସ୍ୟ ପଦକ
ମହିଳା ୨୦୦ ମିଟର ଦୌଡ଼ରେ ଶ୍ରାବଣୀ ନନ୍ଦ ଦୌଡ଼କୁଦର ପ୍ରଥମ ପଦକ ଆଣିଥିଲେ। ଫାଇନାଲ୍‌ରେ ସେ ୨୩.୬୪ ସେକେଣ୍ଡ ସମୟ ନେଇ ଏହି ଦୂରତା ଅତିକ୍ରମ କରି କାଂସ୍ୟ ପଦକ ଜିତିଥିଲା ବେଳେ ତାମିଲନାଡ଼ୁର ଅର୍ଚ୍ଚନା ସୁସିନ୍ଦ୍ରନ (୨୩.୦୬ ସେକେଣ୍ଡ) ସ୍ବର୍ଣ୍ଣ ଓ ଆସାମର ହିମା ଦାସ (୨୩.୬୧ ସେକେଣ୍ଡ) ରୌପ୍ୟ ପଦକ ପାଇଥିଲେ। ୪୦୦ ମିଟର ବାଧାଦୌଡ଼ରେ ପ୍ରଜ୍ଞା ସାହୁ ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ରହିଛନ୍ତି। ଏହି ଦୂରତାରେ ପହଞ୍ଚିବାକୁ ପ୍ରଜ୍ଞା ୫୯.୧୯ ସେକେଣ୍ଡ ନେଇଥିଲେ। ଏହି ଇଭେଣ୍ଟରେ ତାମିଲନାଡ଼ୁର ଭି.ରାମରାଜ (୫୬.୫୭ ସେକେଣ୍ଡ) ସ୍ବର୍ଣ୍ଣ, କେରଳର ଆରତୀ ଆର୍‌. (୫୮.୫୭ ସେକେଣ୍ଡ) ରୌପ୍ୟ ଏବଂ କର୍ଣ୍ଣାଟକର ସିଞ୍ଚଲ କାଭେରମ୍ମା (୫୮.୭୪ ସେକେଣ୍ଡ) କାଂସ୍ୟ ପଦକ ପାଇଥିଲେ।

ମହିଳା ଫୁଟ୍‌ବଲ୍‌ ସେମିରେ ଓଡ଼ିଶା
ଗୁରୁବାର ମହିଳା ଫୁଟ୍‌ବଲ୍‌ରେ ପ୍ୟାରୀ ଖାଖା ଓ ଯଶୋଦା ମୁଣ୍ଡାଙ୍କ ହ୍ୟାଟ୍ରିକ ଗୋଲ୍‌ ବଳରେ ଓଡ଼ିଶା ୧୧-୦ରେ ଗୁଜରାଟକୁ ହରାଇଛି। ପ୍ୟାରୀ ଖାଖା (୨୦, ୨୨, ୩୧, ୩୨, ୪୧ ମିନିଟ୍‌) କ୍ରମାଗତ ୫ ଗୋଲ୍‌ କରିଥିଲା ବେଳେ ଯଶୋଦା ମୁଣ୍ଡା (୪୫, ୪୭, ୬୪ ମିନିଟ୍‌) ୩ ଏବଂ ସତ୍ୟବାଦୀ ଖାଡ଼ିଆ ୪ ମିନିଟ୍‌), ମନୀଷା ନାଏକ (୭୧ ମିନିଟ୍‌) ଓ ଦୀପା ନାୟକ (୮୧ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ିଥିଲେ। ଏଥି ସହିତ ଗ୍ରୁପ୍‌ ବିଜେତା ହୋଇ ମହିଳା ଦଳ ସେମିଫାଇନାଲ୍‌କୁ ଯୋଗ୍ୟତା ହାସଲ କରିନେଇଛି। ଓଡ଼ିଶା ମହିଳା ପ୍ରଥମ ମ୍ୟାଚ୍‌ରେ ମହାରାଷ୍ଟ୍ରକୁ ୨-୧ରେ ହରାଇଥିଲା ବେଳେ ଦ୍ବିତୀୟକୁ ଆସାମ ସହ ୦-୦ରେ ଅମୀମାଂସିତ ରଖିଥିଲେ। କିନ୍ତୁ ପୁରୁଷରେ ଓଡ଼ିଶା ୦-୩ ଗୋଲ୍‌ରେ ସର୍ଭିସେସ୍‌ଠୁ ହାରିଯାଇଛି। ପୁରୁଷରେ କେରଳଠୁ ୧-୨ ହାରିଥିବା ଓଡ଼ିଶା ପରବର୍ତୀ ମ୍ୟାଚ୍‌ରେ ୩-୦ରେ ମଣିପୁରକୁ ହରାଇଥିଲା। ଚନ୍ଦ୍ର ମୁଦୁଲି ୨୪ ମିନିଟ୍‌, ସଞ୍ଜିତ ଖୋରା ୩୫ ଓ ୪୫ ମିଟ୍‌ରେ ଗୋଲ୍‌ ଦେଇଥିଲେ।

ହକି କ୍ବାର୍ଟରରେ ଓଡ଼ିଶା ମହିଳା
ମହିଳା ହକିରେ ବୁଧବାର ପୁଲ୍‌ ‘ଏ’ରେ ଓଡ଼ିଶା ବୃହତ୍‌ ବିଜୟ ସହ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ରାଜକୋଟର ମେଜର ଧ୍ୟାନଚାନ୍ଦ ହକି ଷ୍ଟାଡିୟମ‌୍‌ରେ ଖେଳାଯାଇଥିବା ଶେଷ ମ୍ୟାଚ୍‌ରେ ଓଡ଼ିଶା ୨୩-୦ ଗୋଲ୍‌ରେ ଗୁଜରାଟକୁ ପରାସ୍ତ କରିଥିଲା। ଅନୁପା ବାର୍ଲା ସର୍ବାଧିକ ୭ ଗୋଲ୍‌ (୩, ୧୩, ୧୪, ୨୭, ୫୦, ୫୫, ୬୦ ମିନିଟ୍‌) ଦେଇଥିଲା ବେଳେ ଆଜମିନା କୁଜୁର ୪ ଗୋଲ୍‌ (୧୭, ୨୪, ୪୨, ୫୯ ମିନିଟ୍‌) କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂଜା ସାହୁ ୨୬ ଓ ୨୭ ମିନିଟ୍‌, ସୁନେଲିତା ଟପ୍ପୋ ୨୬ ମିନିଟ୍‌ରେ ଗୋଲ୍‌ ଦେଇଥିଲେ। ଏହାପୂର୍ବରୁ ଉତ୍ତରପ୍ରଦେଶକୁ ୨-୦ରେ ଓଡ଼ିଶା ହରାଇଥିଲା ବେଳେ ହରିଆଣାଠୁ ୦-୪ରେ ହାରି ଯାଇଥିଲା। କ୍ବାର୍ଟର ଫାଇନାଲ୍‌ରେ ଓଡ଼ିଶା ଶୁକ୍ରବାର ମଧ୍ୟପ୍ରଦେଶକୁ ଭେଟିବ।

ଫାଇନାଲ୍‌ରୁ ବାଦ୍‌ ପଡ଼ିଲେ ଶୁଭ୍ରାନ୍ତ, ଅମିୟ, ମନତା
ଆକ୍ବାଟିକ୍ସର ପୁରୁଷ ୨୦୦ ମିଟର ବଟରଫ୍ଲାଏରେ ଓଡ଼ିଶାର ଶୁଭ୍ରାନ୍ତ ପାତ୍ର ଫାଇନାଲ୍‌ରୁ ବାଦ୍‌ ପଡ଼ିଥିଲେ। ହିଟ୍ସରେ ସେ ୨:୧୨.୪୯ ମିନିଟ୍‌ ସମୟ ନେଇଥିବାରୁ ଫାଇନାଲ୍‌ରେ ପହଞ୍ଚିପାରିନଥିଲେ। ସେହିପରି ପୁରୁଷ ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ରେ ଓଡ଼ିଶାର ଅମିୟ କୁମାର ପ୍ରଧାନ ନିରାଶ କରିଥିଲେ। ହିଟ୍ସରେ ୩୩.୪୪ ସେକେଣ୍ଡ ସମୟ ନେଇଥିବାରୁ ସେ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିପାରିନଥିଲେ। ମହିଳା ୫୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍‌ରେ ବି ମନତା ମିଶ୍ର ହିଟ୍ସରେ ୩୭.୨୩ ସେକେଣ୍ଡ ସମୟ ଯୋଗୁଁ ଫାଇନାଲ୍‌ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ।

ବିଚ୍‌ ଭଲିବଲ୍‌ କ୍ବାର୍ଟରରେ ଓଡ଼ିଶା ମହିଳା
ସୁରଟ୍‌ରେ ଆରମ୍ଭ ହୋଇଥିବା ବିଚ୍‌ ଭଲିବଲ୍‌ରେ ଓଡ଼ିଶା ପୁରୁଷ ଓ ମହିଳା ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଓଡ଼ିଶା ମହିଳା ଦଳ ୨-୦ରେ (୨୧-୧୯, ୨୨-୨୦) ତେଲେଙ୍ଗାନାକୁ ଏବଂ ସମାନ ୨-୦ (୨୧-୧୬, ୨୧-୧୧)ରେ କେରଳକୁ ହରାଇ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ଶୁକ୍ରବାର କର୍ଣ୍ଣାଟକ ବିପକ୍ଷରେ ଓଡ଼ିଶା ଶେଷ ଲିଗ୍‌ ମ୍ୟାଚ୍‌ ଖେଳିବ। ଅନ୍ୟପକ୍ଷରେ ପୁରୁଷ ଦଳ ତାମିଲନାଡୁ ବିପକ୍ଷରେ ୱାକ୍‌ଓଭର ପାଇଥିଲା। ଓଡ଼ିଶା ମହିଳା ଦଳରେ ଶିବାନୀ ପ୍ରିୟଦର୍ଶିନୀ ଓ ମୋନାଲିସା ପାତ୍ର ଖେଳୁଥିଲା ବେଳେ ପୁରୁଷ ଦଳରେ ବିବେକ ପଲାଇ ଓ ସୁନୀଲ ଦାସ ରାଜ୍ୟକୁ ପ୍ରତିନିଧିତ୍ବ କରୁଛନ୍ତି।

ସମ୍ବନ୍ଧିତ ଖବର