ଭୁବନେଶ୍ବର: କର୍ଣ୍ଣାଟକର ମାଙ୍ଗାଲୋର୍ଠାରେ ଚାଲିଥିବା ୭୭ତମ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶା ଐତିହାସିକ ସଫଳତା ଅର୍ଜନ କରିଛି। ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ଖେଳାଳି ଜାତୀୟ ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ବ୍ୟକ୍ତିଗତ ପଦକ ଜିତିବାର ଗୌରବ ପାଇଛନ୍ତି। ଅନ୍ତର୍ଜାତୀୟସ୍ତରରେ ପଦାର୍ପଣ କରିସାରିଥିବା ପ୍ରତ୍ୟାଶା ରାୟ ୧୦୦ ମିଟର୍ ବ୍ୟାକ୍ଷ୍ଟ୍ରୋକ୍ରେ ୧ ମିନିଟ୍ ୫.୮୨ ସେକେଣ୍ଡ୍ ସମୟ ନେଇ ରୌପ୍ୟ ପଦକ ଜିତିଛନ୍ତି। ପୂର୍ବରୁ ପୁରୁଷ ହେଉ କି ମହିଳା, ଜାତୀୟ ବରିଷ୍ଠ ପ୍ରତିଯୋଗିତାରୁ କୌଣସି ଓଡ଼ିଆ ପଦକ ଜିତି ନଥିଲେ। ଏହି ପ୍ରତିଯୋଗିତା ପୂର୍ବରୁ ମଙ୍ଗଳବାର ସକାଳେ ଓଡ଼ିଶାର ମହିଳା ୪ ଗୁଣା ୨୦୦ ମିଟର୍ ଫ୍ରିଷ୍ଟାଇଲ୍ ରିଲେ ଦଳ କାଂସ୍ୟ ପଦକ ଜିତିଥିଲା। ପ୍ରତ୍ୟାଶାଙ୍କ ନେତୃତ୍ବରେ ଗଠିତ ଏହି ଦଳରେ ସୃଷ୍ଟି ଉପାଧ୍ୟାୟ, ଦିବ୍ୟାଜ୍ୟୋତି ପ୍ରଧାନ ଓ ସୋନିଆ ପଟେଲ୍ ଏହି ସଫଳତା ଆଣିଥିଲେ।
ବ୍ୟକ୍ତିଗତ ଭାବେ ଦୁଇ ପଦକ ଜିତିଥିବା ପ୍ରତ୍ୟାଶା ଓଡ଼ିଶା ସନ୍ତରଣ ପାଇଁ ନୂଆ ଧାରା ସୃଷ୍ଟି କରିଛନ୍ତି। କେବଳ ଖେଳ ନୁହେଁ ପାଠ ପଢ଼ାରେ ବି ନିଜ ଦକ୍ଷତାକୁ ପ୍ରମାଣିତ କରିଛନ୍ତି। ମ୍ୟାଟ୍ରିକ୍, ଯୁକ୍ତ ୨ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ପ୍ରତ୍ୟାଶା ସ୍ନାତକ (ସମାଜତତ୍ବ)ରେ ଡିଷ୍ଟିଙ୍କସନ୍ ସହ ପାସ୍ କରି ଉତ୍କଳ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତୋର କରୁଛନ୍ତି। ଝିଅର ସଫଳରେ ଉଲ୍ଲସିତ ପୁଲିସ୍ ଅଫିସର ପିତା ରଜତ ରାୟ କହିଛନ୍ତି ‘ପ୍ରତ୍ୟାଶା କେବେ ବି ଖେଳ କୋଟାର ବ୍ୟବହାର କରିନାହିଁ। ନିଜ ମେରିଟରେ ନାମ ଲେଖାଇ ଖେଳ ଓ ପଢ଼ା ମଧ୍ୟରେ ଚମତ୍କାର ସନ୍ତୁଳନର ପ୍ରମାଣ ଦେଇଛନ୍ତି। ସରକାରଙ୍କ କ୍ରୀଡ଼ା ଭିତ୍ତିଭୂମି ଓ ସମର୍ଥନ ପରେ ଏବେ ଏଥିରୁ ଫଳ ମିଳିବା ଆରମ୍ଭ ହୋଇଛି। ପ୍ରତ୍ୟାଶା ଏହାର ଏକ ଶ୍ରେଷ୍ଠ ଉଦାହରଣ’।