ଭୁବନେଶ୍ୱର: କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଏବଂ ନିଖିଳ ଓଡ଼ିଶା ଚେସ୍‌ ସଂଘର ମିଳିତ ଆନୁକୂଲ୍ୟରେ କିଟ୍‌ ବିଶ୍ୱବିଦ୍ୟାଳୟରେ ଚାଲିଥିବା ୩୬ତମ ଜାତୀୟ ଦଳଗତ ଏବଂ ୧୬ତମ ଜାତୀୟ ମହିଳା ଚେସ୍‌ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଉଭୟ ଓପନ୍‌ ଓ ମହିଳା ବର୍ଗରେ ବିଜେତା ହୋଇ ପେଟ୍ରୋଲିୟମ୍‌ ସ୍ପୋର୍ଟସ ପ୍ରମୋସନ୍‌ ବୋର୍ଡ (ପିଏସ୍‌ପିବି) ଦ୍ୱିମୁକୁଟ ଅର୍ଜନ କରିଛି। ଓପନ୍‌ ବର୍ଗରେ ନବମ ତଥା ଶେଷ ରାଉଣ୍ଡ୍‌ ପରେ ମୋଟ ୧୮ ପଏଣ୍ଟ୍‌ ପାଇ ପିଏସ୍‌ପିବି ଦଳ ପ୍ରଥମ ସ୍ଥାନରେ ରହିଥିଲା ବେଳେ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ୧୪ ଏବଂ ଆର୍‌ଏସ୍‌ପିବି ‘ବି’ ୧୩ ପଏଣ୍ଟ ସହ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଛନ୍ତି। ତେବେ ଅଷ୍ଟମ ରାଉଣ୍ଡ୍‌ ସୁଦ୍ଧା ଦ୍ୱିତୀୟ ସ୍ଥାନରେ ଥିବା ଆର୍‌ଏସ୍‌ପିବି ସମାନ ୧୩ ପଏଣ୍ଟ୍‌ ସହ ଚତୁର୍ଥ ସ୍ଥାନକୁ ଖସିଯାଇଛି। ବିଜେତା ପିଏସ୍‌ପିବି ୨୫,୦୦୦ ଟଙ୍କାର ପୁରସ୍କାର ପାଇଥିଲା ବେଳେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଦଳ ଯଥାକ୍ରମେ ୨୦,୦୦୦ ଓ ୧୫,୦୦୦ ଟଙ୍କା ପାଇଛନ୍ତି। ସେହିଭଳି ମହିଳା ବର୍ଗରେ ସପ୍ତମ ତଥା ଶେଷ ରାଉଣ୍ଡ୍‌ ପରେ ପିଏସ୍‌ପିବି ୧୪ ପଏଣ୍ଟ୍‌ ପାଇ ଶୀର୍ଷ ସ୍ଥାନ ଅକ୍ତିଆର କରିଥିଲା ବେଳେ ଏୟାର ଇଣ୍ଡିଆ ୧୧, ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ୧୦ ପଏଣ୍ଟ୍‌ ପାଇ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ବିଜେତା ପିଏସ୍‌ପିବି ପୁରସ୍କାର ସ୍ୱରୂପ ୨୦,୦୦୦ ଟଙ୍କା ପାଇଥିଲା ବେଳେ ଏହାର ଓଡ଼ିଆ ତାରକା ପଦ୍ମିନୀ ରାଉତ ବ୍ୟକ୍ତିଗତ ଭାବେ ୨୫୦୦ ଟଙ୍କା ପାଇଛନ୍ତି। ଅନ୍ୟପକ୍ଷରେ ଏଲ୍‌ଆଇସି ପକ୍ଷରୁ ଖେଳିଥିବା ଓଡ଼ିଆ ଝିଅ କିରଣମନୀଷା ମହାନ୍ତି ୪୫୦୦ ଟଙ୍କା ପୁରସ୍କାର ପାଇଛନ୍ତି। ମହିଳା ବର୍ଗରେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିବା ଦଳ ଯଥାକ୍ରମେ ୧୪,୦୦୦ ଓ ୧୦,୦୦୦ ଟଙ୍କାର ପୁରସ୍କାର ରାଶି ପାଇଥିଲେ।

Advertisment

ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଶାର ଦଳମାନଙ୍କ ମଧ୍ୟରେ ଓଡ଼ିଶା-ଏ ଓ କିଟ୍‌ ଓପନ୍‌ ବର୍ଗରେ ଯଥାକ୍ରମେ ଅଷ୍ଟମ ଓ ନବମ ଏବଂ ଓଡ଼ିଶଶ ଏମ୍‌ସିଏଫ୍‌-୫ ଓ କିଟ୍‌ ମହିଳା ବର୍ଗରେ ଯଥାକ୍ରମେ ସପ୍ତମ ଓ ନବମ ସ୍ଥାନ ପାଇଥିଲେ। ନିଖିଳ ଓଡ଼ିଶା ଚେସ୍‌ ସଂଘର ସଭାପତି ଶେଖର ଚନ୍ଦ୍ର ସାହୁ, ସଂପାଦକ କେକେ ଶର୍ମା, ଉପସଭାପତି ରଞ୍ଜନ ମହାନ୍ତି, ‘ଦି ହିନ୍ଦୁ’ର ଉପ ସଂପାଦକ ରାକେଶ ରାଓ ଏବଂ କିଟ୍‌ର କ୍ରୀଡ଼ା ନିର୍ଦେଶକ ଡ, ଗଗନେନ୍ଦୁ ଦାଶ ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ।