ଭୁବନେଶ୍ୱର: ତେଲେଙ୍ଗାନାର ହାଇଦ୍ରାବାଦରେ ଚାଲିଥିବା ଦ୍ୱିତୀୟ ଜାତୀୟ କନିଷ୍ଠ (୧୭ ବର୍ଷରୁ କମ୍) ଟେନିସ୍ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ଉପ ବିଜେତାରେ ସନ୍ତୁଷ୍ଟ ହୋଇଛି। ବୁଧବାର ରାତିରେ ଖେଳାଯାଇଥିବା ଫାଇନାଲ୍ରେ ୧୪ ରନ୍ରେ ଝାଡ଼ଖଣ୍ଡ ନିକଟରୁ ହାରିଯାଇଥିଲା। ଝାଡ଼ଖଣ୍ଡ ନିର୍ଧାରିତ ୬ ଓଭରରେ ୪ ଓ୍ଵିକେଟ୍ରେ ୯୪ ରନ୍ କରିଥିଲା। ଜବାବରେ ଓଡ଼ିଶା ୮୦/୩ରେ ସୀମିତ ରହିଥିଲା। ଓଡ଼ିଶା ଦ୍ୱିତୀୟ ଶ୍ରେଷ୍ଠ ଦଳ ହୋଇଥିଲେ ମଧ୍ୟ ଅଧିନାୟକ ଦୀପକ ପରିଡ଼ା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦୀପକ ୫ ମ୍ୟାଚ୍ରୁ ୨ ଅର୍ଧଶତକ ସହିତ ମୋଟ ୨୬୧ ରନ୍ କରିଥିଲେ। ପୂର୍ବରୁ ଓଡ଼ିଶା କ୍ୱାର୍ଟରଫାଇନାଲ୍ରେ ୮ ଓ୍ଵିକେଟ୍ରେ ଆସାମକୁ ଏବଂ ସେମିଫାଇନାଲ୍ରେ ବିଦର୍ଭକୁ ୭ ଓ୍ଵିକେଟ୍ରେ ପରାସ୍ତ କରି ଫାଇନାଲ୍ ଆସିଥିଲା। ଉଭୟ ମ୍ୟାଚ୍ରେ ଦୀପକ ଯଥାକ୍ରମେ ୫୬ (୨୩ ବଲ୍) ଓ ୪୮ (୧୮ ବଲ୍) ରନ୍ କରିଥିଲେ। ଫାଇନାଲ୍ରେ ୪୩ ରନ୍ କରିଥିଲେ। ଓଡ଼ିଶା ଦଳକୁ ରାଜ୍ୟ ସଂଘ ସମ୍ପାଦକ ରିଣ୍ଟୁ ମିତ୍ର ଏବଂ ଉପ ସଭାପତି ରାଜେନ୍ଦ୍ର ମହାରଣା ଅଭିନନ୍ଦନ ଜଣାଇଛନ୍ତି। ମାର୍ଚ ମାସରେ ଜାତୀୟ ୧୪ ବର୍ଷରୁ କମ୍ ପ୍ରତିଯୋଗିତା ହରିଆନାର ପାନିପତ୍ରେ ଆୟୋଜିତ ହେବ ବୋଲି ଜାତୀୟ ଚୟନକର୍ତା ଦାୟିତ୍ୱ ମଧ୍ୟ ତୁଲାଉଥିବା ଶ୍ରୀ ମିତ୍ର ସୂଚନା ଦେଇଛନ୍ତି।
ଓଡ଼ିଶା ଦଳ: ଦୀପକ କୁମାର ପରିଡ଼ା (ଅଧିନାୟକ), ସ୍ମୃତି ଚନ୍ଦନ ଦାସ, ପ୍ରସାଦ ଖୁଣ୍ଟିଆ, ମାନସ ମୁଖୀ, ରାହୁଲ ସୁନ୍ଦରାୟ, ନବକିଶୋର ଦାସ, ମହମ୍ମଦ ଇର୍ଫାନ୍, ବିକ୍ରମ ଦାସ, ପରମେଶ୍ୱର ଦାସ, ସନ୍ଦୀପ ସ୍ୱାଇଁ, ସନ୍ତୋଷ ପ୍ରଧାନ, ରୋମିଓ ରଂଜନ ବାରିକ, ଋତିକ୍ ରୋଶନ ନାୟକ, ବିଜୟ କୁମାର ପାତ୍ର, ଆଦିତ୍ୟ ମହାପାତ୍ର, ଦୀପକ କୁମାର ମଲ୍ଲିକ (ପ୍ରଶିକ୍ଷକ), ବାସୁଦେବ ଓଝା (ପ୍ରବନ୍ଧକ) ଏବଂ ସୁଧାକର ମୁଦୁଲି (ଉପ-ପ୍ରବନ୍ଧକ/କୋଷାଧ୍ୟକ୍ଷ)।