ଭୁବନେଶ୍ବର: ଜର୍ମାନୀରେ ଜୁଲାଇ ୧୬ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ଫିସୁ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଲାଗି ଭାରତୀୟ ବିଶ୍ବବିଦ୍ୟାଳୟ ଭଲିବଲ୍‌ (ମହିଳା) ଏବଂ ଲନ୍‌ ଟେନିସ୍‌ (ପୁରୁଷ ଓ ମହିଳା) ଦଳର ଚୟନ ଶିବିର ବୁଧବାରଠୁ କିଟ୍‌ ବିଶ୍ବବିଦ୍ୟାଳୟଠାରେ ଆରମ୍ଭ ହୋଇଛି। ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ ୭୦ରୁ ଅଧିକ ଭଲିବଲ୍‌ ଏବଂ ୫୬ ଲନ୍‌ ଟେନିସ୍‌ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଏହି ଖେଳାଳିଙ୍କ ମଧ୍ୟରେ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ତାରକା ରହିଛନ୍ତି। ଏହି ଦୁଇ ଶିବିର ବାଦ୍‌ କିଟ୍‌ ଚଳିତ ମାସରେ ଦୌଡ଼କୁଦ ଓ ବ୍ୟାଡ୍‌ମିଣ୍ଟନ ଚୟନ ଶିବିର ମଧ୍ୟ ଆୟୋଜନ କରିବ। ଗତ ମାସରେ ତୀରନ୍ଦାଜି ଚୟନ ଶିବିର ଆୟୋଜନ କରିଥିଲା।

Advertisment

ଚୟନ ଶେ‌ଷ ହେବା ପରେ ଏଠାରେ ଗୋଟିଏ ମାସ ଧରି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଭଲିବଲ୍‌ ଚୟନ କମିଟିରେ ଦ୍ରୋଣାଚାର୍ଯ୍ୟ ଓ ଅର୍ଜୁନ ପୁରସ୍କାର ପ୍ରାପ୍ତ ଭାରତୀୟ ଭଲିବଲ୍‌ ଦଳର ପ୍ରଶିକ୍ଷକ ଜିଇ ଶ୍ରୀଧରନ, ଏଫ୍‌ଆଇଭିବି ଲେବଲ୍‌-୨ ଭଲିବଲ୍‌ ପ୍ରଶିକ୍ଷକ ସୁଧାଂଶୁ ଭୂଷଣ ମିଶ୍ର, ‌କୋଟାୟମ ଏମ୍‌ଜିୟୁର ଶାରୀରିକ ଶିକ୍ଷା ଓ କ୍ରୀଡ଼ା ବିଜ୍ଞାନ ସ୍କୁଲ୍‌ର ନିର୍ଦେଶକ ବିନୁ ଜର୍ଜ ଭର୍ଗିସ, ଓଡ଼ିଶା ‘ସାଇ’ର ଉପନିର୍ଦେଶକ ତ୍ରୈଲୋକ୍ୟନାଥ ସାହୁ ରହିଛନ୍ତି। ଲନ୍‌ ଟେନିସ୍‌ରେ ଅନ୍ତର୍ଜାତୀୟ ଖେଳାଳି ଚିନ୍ମୟ ପ୍ରଧାନ, ଅଷ୍ଟ୍ରେଲିଆର ଟେନିସ୍‌ ପ୍ରଶିକ୍ଷକ ତୋଡ଼ କ୍ଲାର୍କ, ଭର୍ଗିସ ଓ ତ୍ରୈଲୋକ୍ୟନାଥ ରହିଛନ୍ତି। କିଟ୍‌ ବିଶ୍ବବିଦ୍ୟାଳୟ କ୍ରୀଡ଼ା ମହାନିର୍ଦେଶକ ଗଗନେନ୍ଦୁ ଦାଶ ଆୟୋଜକ ସମ୍ପାଦକ ସହ ସଂଯୋଜକ ରହିଛନ୍ତି। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଖେଳାଳିଙ୍କୁ ସ୍ବାଗତ କରିବା ସହ ସଫଳତା କାମନା କରିଛନ୍ତି।