ଜାତୀୟ ଭଲିବଲ୍‌: ଓଡ଼ିଶା ଆଶା ଧୂଳିସାତ୍

ଭୁବନେଶ୍ବର: କିଟ୍‌ ପରିସରରେ ଚାଲିଥିବା ୬୮ତମ ଜାତୀୟ ଭଲିବଲ୍‌ ପ୍ରତିଯୋଗିତାରେ ଶନିବାର ଓଡ଼ିଶା ପୁରୁଷ ଦଳର ବିଜୟ ଧାରା ଅଟକିଯାଇଛି। ପୂର୍ବରୁ ତ୍ରିପୁରା, ପଣ୍ଡିଚେରୀ, ଚଣ୍ଡିଗଡ଼କୁ ପରାସ୍ତ କରିଥିବା ଓଡ଼ିଶା ପୁରୁଷ ଦଳ ଶନିବାର ଚତୁର୍ଥ ମ୍ୟାଚ୍‌ରେ ଛତିଶଗଡ଼ ୩-୦ ସେଟ୍‌ରେ ଓଡ଼ିଶାକୁ ପରାସ୍ତ କରିଦେଇଛି। ଏଥିସହ ଓଡ଼ିଶାର କ୍ବାର୍ଟର ଫାଇନାଲ ଆଶା ଧୂଳିସାତ୍‌ ହୋଇଯାଇଛି। ପୂର୍ବରୁ ବ୍ଲକିଂ ସମସ୍ୟା ଥିଲା, ଆଜି କିନ୍ତୁ ସ୍ମାସିଂ ଦୁର୍ବଳତା ପାଇଁ ଆମେ ଲଢ଼ି ପାରିଲୁ ନାହିଁ ବୋଲି ଦୁଃଖର ସହ କହିଛନ୍ତି ଓଡ଼ିଶା ପ୍ରଶିକ୍ଷକ ମହମ୍ମଦ ମସିଉଜ୍‌ ଜମ୍ମା। ଶନିବାରର ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ମହାରାଷ୍ଟ୍ର ୩-୦ରେ ତେଲେଙ୍ଗାନାକୁ, ଗୁଜରାଟ ୩-୦ରେ ଉତ୍ତରାଞ୍ଚଳକୁ, ଦିଲ୍ଲୀ ୩-୦ରେ ବିହାରକୁ, ରାଜସ୍ଥାନ ୩-୧ରେ ମଧ୍ୟପ୍ରଦେଶକୁ, ପଶ୍ଚିମବଙ୍ଗ ୩-୧ରେ ଉତ୍ତର ପ୍ରଦେଶକୁ, ହିମାଞ୍ଚଳ ପ୍ରଦେଶ ୩-୦ରେ ମିଜୋରାମକୁ, ଆସାମ ୩-୦ରେ ମଣିପୁରକୁ, ଚଣ୍ଡୀଗଡ଼ ୩-୧ରେ ପଣ୍ଡିଚେରୀକୁ ଏବଂ ଜମ୍ମୁ କଶ୍ମୀର ୩-୦ରେ ତ୍ରିପୁରାକୁ ପରାସ୍ତ କରିଛି। ମହିଳା ବିଭାଗରେ ଉତ୍ତର ପ୍ରଦେଶ ୩-୨ରେ ଚଣ୍ଡୀଗଡ଼କୁ, ରାଜସ୍ଥାନ ୩-୧ରେ ତେଲେଙ୍ଗାନାକୁ, ଆନ୍ଧ୍ର ପ୍ରଦେଶ ୩-୦ରେ ତ୍ରିପୁରାକୁ, ଗୁଜରାଟ ୩-୦ରେ ପଞ୍ଜାବକୁ ଏବଂ ଦିଲ୍ଲୀ ୩-୧ରେ କର୍ଣ୍ଣାକଟକୁ ପରାସ୍ତ କରିଛି।

ସମ୍ବନ୍ଧିତ ଖବର