ଶନିବା‌ରରୁ ସର୍ବଭାରତୀୟ ଭଲିବଲ୍

ଦୁଇ ଦିନିଆ ପ୍ରତିଯୋଗିତାରେ ଭାଗନେବେ ୬ ଜାତୀୟସ୍ତରୀୟ ଦଳ

ଭୁବନେଶ୍ବର: ଲିଙ୍ଗରାଜ ସ୍ପୋର୍ଟସ ଆସୋସିଏସନ୍ (ଏଲ୍‌ସିଏ) ପକ୍ଷରୁ ଆୟୋଜିତ ହେଉଥିବା ସର୍ବଭାରତୀୟ ଆମନ୍ତ୍ରଣୀୟ ଭଲିବଲ୍ ପ୍ରତିଯୋଗିତାର ଏକାଦଶ ସଂସ୍କରଣ ଆସନ୍ତା ଶନିବାର ଓ ରବିବାର ଦୁଇ ଦିନ ଧରି ପୋଖରିପୁଟସ୍ଥିତ ଲିଙ୍ଗରାଜ ଭଲିବଲ୍ ପଡ଼ିଆରେ ଆୟୋଜିତ ହେବ। ଚଳିତ ବର୍ଷ ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରର ୬ ବଛାବଛା ଦଳ ଅଂଶଗ୍ରହଣ କରିବେ। ବିଜେତା ଦଳକୁ ଟ୍ରଫି ସହିତ ନଗଦ ୧୦,୦୦୦ ଏବଂ ଉପ ବିଜେତାକୁ ଟ୍ରଫି ସହ ୮,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ସେହିଭଳି ପ୍ରତିଯୋଗିତାର ଶ୍ରେଷ୍ଠ ଆଟାକିଂ, ବୁଷ୍ଟର, ଲିବରୋ ଏବଂ ଅଲରାଉଣ୍ଡରଙ୍କୁ ମଧ୍ୟ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ। ସମସ୍ତ ମ୍ୟାଚ୍ ଜାତୀୟ ତଥା ଅନ୍ତର୍ଜାତୀୟ ରେଫରିଙ୍କ ଦ୍ବାରା ପରିଚାଳିତ ହେବ। ପ୍ରତିଯୋଗିତାରେ ଜାତୀୟ ଦଳର ପ୍ରତିନିଧିତ୍ବ କରି ସାରିଥିବା ଅନେକ ତାରକା ଖେଳାଳିଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏଥରର ସଂସ୍କରଣରେ ଅଂଶଗ୍ରହଣ କରିବାକୁ ସମ୍ମତିପ୍ରକାଶ କରିଥିବା ‌ଦଳଗୁଡ଼ିକ ହେଲା ଓଡ଼ିଶା ପୁଲିସ, କ୍ରୀଡ଼ା ଛାତ୍ରାବାସ, ଭୁବ‌େନଶ୍ବର, ଛତିଶଗଡ଼, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ସିଆଇଏସଏଫ୍ (ରାଞ୍ଚି)। ଗତବର୍ଷ ଏହି ପ୍ରତିଯୋଗିତା ଚାରିଟି ଦଳକୁ ନେଇ ଆୟୋଜିତ ହୋଇଥିଲା। ଚଳିତବର୍ଷ କ୍ରୀଡ଼ା ଛାତ୍ରାବାସ, ଭୁବନେଶ୍ବର ଏବଂ ସିଆଇଏସଏଫ୍ (ରାଞ୍ଚି) ଦୁଇଟି ନୂଆ ଦଳ ଭାବେ ଅଂଶଗ୍ରହଣ କରିବେ। ବୁଧବାର ଏଥିନେଇ ଆୟୋଜିତ ସାମ୍ବଦିକ ସମ୍ମିଳନୀରେ କ୍ଲବର ସଭାପତି ବାବୁ ସିଂହ, ମୁଖପାତ୍ର ସୁରତ୍ନ ସାହୁ, ଭକ୍ତ ଚରଣ ଦାଶ, ଶିବ ନାରାୟଣ ବାରିକ, ସୁବାଷ ମିଶ୍ର ଓ ସଞ୍ଜୟ ଦାଶ ପ୍ରତିଯୋଗିତା ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ। ଏହି ଅବସରରେ କ୍ଲବ୍‌ର ସଦସ୍ୟ ନିହାର ମହାନ୍ତି, ସୀତାକାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। କ୍ଲବର ଉପସଭାପତି ହୃଦୟ ବଲ୍ଲଭ ସାମନ୍ତରାୟ ଓ ସଂପାଦକ ରଜତ ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ପ୍ରତିଯୋଗିତା ଆୟୋଜିତ ହେବ।

ସମ୍ବନ୍ଧିତ ଖବର