ଜାତୀୟ ଭଲିବଲ୍‌: ହରିୟାଣା ପୁରୁଷ, କେରଳ ମହିଳା ବିଜେତା

ଭୁବ‌ନେଶ୍ବର : କିଟ୍ କ୍ୟାମ୍ପସ୍‌ ୧୩ର ବିଜୁ ପଟ୍ଟନାୟକ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ରବିବାର ୭୦ତମ ଜାତୀୟ ଭଲିବଲ୍ ପ୍ରତ‌ିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ପୁରୁଷରେ ହରିୟାଣା ଓ ମହିଳାରେ କେରଳ ବିଜେତା ଟ୍ରଫି ପାଇଛନ୍ତି। ପୁରୁଷ ଫାଇନାଲ୍‌ରେ ହରିୟାଣା ୩-୦ (୨୫-୧୯, ୨୫-୧୮, ୨୫-୧୮)ରେ ରେଳବାଇକୁ ଏବଂ ମହିଳା ଫାଇନାଲ୍‌ରେ କେରଳ ୩-୧ (୨୫-୨୨, ୧୬-୨୫, ୨୫-୨୧, ୨୫-୧୭)ରେ ସେହି ରେଳବାଇ ଦଳକୁ ପରାସ୍ତ କରିଥିଲା। ପୁରୁଷରେ ସର୍ଭିସେସ୍‌, ତାମିଲନାଡୁ ଏବଂ ମହିଳାରେ କର୍ଣ୍ଣାଟକ, ହିମାଚଳପ୍ରଦେଶ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିଲେ। ପ୍ରଥମ ୩ ସ୍ଥାନରେ ରହିଥିବା ଦଳକୁ ପ୍ରଥମ ଥର ଆର୍ଥିକ ପୁରସ୍କାର ଯଥାକ୍ରମେ ୫୧, ୩୧, ୧୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ଭାରତୀୟ ଭଲିବଲ୍‌ ସଂଘ ସଭାପତି ଡକ୍ଟର ଅଚ୍ୟୁତ ସାମନ୍ତ, ସମ୍ପାଦକ ଅନିଲ ଚୌଧୁରୀ, ଏସ୍‌ଏସ୍‌ସିବି ସମ୍ପାଦକ ଗ୍ରୁପ୍ କ୍ୟାପଟେନ୍‌ ଦିନେଶ ସୁରି, ରଗ୍‌ବି ଇଣ୍ଡିଆ ସଭାପତି ରାହୁଲ ବୋଷ, ୟ‌ୁରୋ ସ୍ପୋର୍ଟ ଇଣ୍ଡିଆ ମୁଖ୍ୟ ରୁଚିର ଜୈନ, ଓଡ଼ିଶା ଭଲିବଲ୍‌ ସଂଘ ସମ୍ପାଦକ ଡକ୍ଟର ଗଗନେନ୍ଦୁ ଦାଶ ଉପସ୍ଥିତ ରହିଥିଲେ। ସପ୍ତାହେବ୍ୟାପୀ ଚାଲିଥିବା ଏହି ପ୍ରତିଯୋଗିତାରେ ୫୩ ଦଳରୁ ୨୦୦ରୁ ଊର୍ଧ୍ବ ଅନ୍ତର୍ଜାତୀୟ ଖେଳାଳି ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର