ଜାତୀୟ ଭଲିବଲ୍‌: ପୂର୍ବତଟ ରେଳବାଇକୁ ଦ୍ବିମୁକୁଟ

ଭୁବନେଶ୍ବର: ଓଡ଼ିଶା ଭଲିବଲ୍‌ ସଂଘ ଏବଂ ବୌଦ୍ଧ-କନ୍ଧମାଳ ଜିଲ୍ଲା ଦୌଡ଼କୁଦ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ୬୯ତମ ରାଜ୍ୟ ବରିଷ୍ଠ ପୁରୁଷ ଭଲିବଲ୍‌ ପ୍ରତିଯୋଗିତା ଶେଷ ହୋଇଛି। ଫୁଲବାଣୀରେ ଶନିବାର ରାତିରେ ଅନୁଷ୍ଠିତ ଫାଇନାଲ୍‌ ମ୍ୟାଚ୍‌ରେ ଭଦ୍ରକକୁ ୨-୦ ସେଟ୍‌ରେ ପରାସ୍ତ କରି ପୂର୍ବତଟ ରେଳବାଇ ବି‌ଜେତା ଆଖ୍ୟା ହାସଲ କରିଛି। ଫଳରେ ଶନିବାର ବୌଦ୍ଧଠାରେ ବରିଷ୍ଠ ମହିଳା ବର୍ଗରେ ବି ବିଜେତା ହୋଇଥିବା ପୂର୍ବତଟ ରେଳବାଇ ଦଳ ଏଥିସହିତ ଦ୍ବିମୁକୁଟ ହାସଲ କରିଛି।

ମହିଳା ବିଜେତା ଦଳ ଟ୍ରଫି ସହ ୧୮,୦୦୦ ଟଙ୍କ‌ାର ପୁରସ୍କାର ରାଶି ପାଇଥିଲା ବେଳେ ରବିବାର ପୁରୁଷ ବିଜେତା ଦଳ ଟ୍ରଫି ସହ ୨୫,୦୦୦ ଟଙ୍କାର ପୁରସ୍କାର ରାଶି କରାୟତ୍ତ କରିଛି। ଉପବିଜେତା ଭଦ୍ରକକୁ ଟ୍ରଫି ସହ ୧୫,୦୦୦ ଟଙ୍କା ମିଳିଥିଲା ବେଳେ ତୃତୀୟ ସ୍ଥାନରେ ଥିବା କେଉଁଝରକୁ ୧୦,୦୦୦ ଟଙ୍କା ପ୍ରଦାନ କରାଯାଇଛି। ଏହି ବର୍ଗରେ କିଟ୍‌ ବିଶ୍ବବିଦ୍ୟାଳୟ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲା। ତୃତୀୟ ସ୍ଥାନ ମୁକାବିଲାରେ କେଉଁଝର ୨-୦ରେ କିଟ୍‌କୁ ପରାସ୍ତ କରିଥିଲା। ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତାରେ ବିଜେତା, ଉପବିଜେତା ଓ ତୃତୀୟ ଦଳକୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ଅଂଶଗ୍ରହଣକାରୀ ଦଳଗୁଡ଼ିକର ସମସ୍ତ ଖେଳାଳି ଓ ଅଫିସିଆଲମାନଙ୍କୁ କ୍ରୀଡ଼ା ପୋଷାକ ବଣ୍ଟାଯାଇଥିଲା ବେଳେ ଗୋଟିଏ ପଟର ଯାତାୟାତ ଖର୍ଚ୍ଚ ଭରଣା କରାଯାଇଥିଲା।

ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ସଭାନେତ୍ରୀ ଆକାଂକ୍ଷା ପ୍ରଧାନ, ଆୟୋଜକ କମିଟି ଅଧ୍ୟକ୍ଷ, ଭାରତୀୟ ଭଲିବଲ ସଂଘ ସଭାପତି, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂଦଦ ପ୍ରଫେସର ଅଚ୍ୟୁତ ସାମନ୍ତ, କନ୍ଧମାଳ ଜିଲ୍ଲା ଦୌଡ଼କୁଦ ସଂଘ ସଭାପତି କମଳାକାନ୍ତ ପାଣ୍ଡେ, ସାଧାରଣ ସଂପାଦକ ତଥା ଓଡ଼ିଶା ଭଲିବଲ ସଂଘର ଉପସଭାପତି ଶିବପ୍ରସାଦ ତ୍ରିପାଠୀ, ଓଡ଼ିଶା ଭଲିବଲ ସଂଘର ସାଧାରଣ ସଂପାଦକ ତଥା ଭାରତୀୟ ବଲିବଲ୍‌ ସଂଘର ସହକାରୀ ଯୁଗ୍ମ ସଂପାଦକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର