ଜାତୀୟ ଭଲିବଲ୍‌ ପ୍ରତିଯୋଗିତା ଉଦ୍‌ଘାଟିତ : ଓଡ଼ିଶା ମହିଳା ହାରିଲେ, ପୁରୁଷ ଜିତିଲେ

ଭୁବନେଶ୍ବର, : କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ୬୮ତମ ଜାତୀୟ ବରିଷ୍ଠ ଭଲିବଲ୍‌ ପ୍ରତ‌ିଯୋଗିତା ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ଦିନ ଓଡ଼ିଶା ମହିଳା ଦଳ ହାରିଯାଇଥିଲା ବେଳେ ପୁରୁଷ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପୁରୁଷ ଦଳ ୩-୦ ସେଟ୍‌ରେ ତ୍ରିପୁରାକୁ ହରାଇଥିଲା ବେଳେ ମହିଳା ଦଳ ୧-୩ ସେଟ୍‌ରେ ଚଣ୍ଡିଗଡ଼ଠୁ ହାରି ଯାଇଥିଲା। ‌ଅନ୍ୟ ପୁରୁଷ ମ୍ୟାଚ୍‌ଗୁଡ଼ିକରେ ଚଣ୍ଡିଗଡ଼ ୩-୦ ସେଟ୍‌ରେ ଜମ୍ମୁ କାଶ୍ମୀରକୁ ଏବଂ ପଶ୍ଚିମ ବଙ୍ଗ ୩-୦ ସେଟ୍‌ରେ ହିମାଞ୍ଚଳ ପ୍ରଦେଶକୁ ପରାସ୍ତ କରିଥିଲା। ମହିଳାରେ ହିମାଞ୍ଚଳ ପ୍ରଦେଶ ୩-୦ ସେଟ୍‌ରେ ପଣ୍ଡିଚେରୀକୁ, ମଣିପୁର ୩-୧ ସେଟ୍‌ରେ ବିହାରକୁ, ଉତ୍ତରାଞ୍ଚଳ ୩-୦ ସେଟ୍‌ରେ ଆ‌ସାମକୁ, ତେଲେଙ୍ଗାନା ୩-୦ ସେଟ୍‌ରେ ଜମ୍ମୁ କାଶ୍ମୀରକୁ, ରାଜସ୍ଥାନ ୩-୦ ସେଟ୍‌ରେ ଝାଡ଼ଖଣ୍ଡକୁ ଏବଂ ପଞ୍ଜାବ ୩-୦ ସେଟ୍‌ରେ ତ୍ରିପୁରାକୁ ମାତ୍‌ ଦେଇଥିଲା।

ଉଦ୍‌ଘାଟନୀ ଉତ୍ସବରେ ‌ଅତିଥି ଭାବେ ଆୟୋଜକ ସମିତି ସଭାପତି ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଅଧ୍ୟକ୍ଷ ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଭାରତୀୟ କ୍ରୀଡ଼ା ପ୍ରାଧୀକରଣ ଆଞ୍ଚଳିକ ନିର୍ଦେଶକ ଶିବ ଶର୍ମା, ଭାରତୀୟ ଭଲିବଲ୍‌ ମହାସଂଘ ଉପସଭାପତି ରଥିନ ରୟ, ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଭଲିବଲ୍‌ ପ୍ରଶିକ୍ଷକ ଜିଇ ଶ୍ରୀଧରନ ଏବଂ କିଟ୍‌ କ୍ରୀଡ଼ା ନିର୍ଦେଶକ ତଥା ଓଡ଼ିଶା ଭଲିବଲ୍‌ ସଂଘ ସମ୍ପାଦକ ଗଗନେନ୍ଦୁ ଦାଶ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାର ପୁରୁଷ ବର୍ଗରେ ୩୦ ଓ ମହିଳା ବର୍ଗରେ ୨୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦଳ ଭାଗ ନେଇଛନ୍ତି। ପ୍ରାୟ ୧୫୦୦ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି।

ସମ୍ବନ୍ଧିତ ଖବର