ଭୁବନେଶ୍ୱର: ଜାତୀୟ ଭଲିବଲ୍‌ ପ୍ରତିଯୋଗିତା ଶୁକ୍ରବାରଠୁ କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଆରମ୍ଭ ହେବ। ଉଭୟ ପୁରୁ‌ଷ ଓ ମହିଳାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ପୁରୁଷରେ ୩୦ ଏବଂ ମହିଳାରେ ୨୮ ଦଳ ଭାଗ ନେଉଛନ୍ତି। ଦଳଗୁଡ଼ିକୁ ୬ଟି ଗ୍ରୁପ୍‌ରେ ଭାଗ କରାଯାଇଛି। ଏ’ ଓ ବି’ ଗ୍ରୁପ୍‌ରେ ଶ୍ରେ‌ଷ୍ଠ ୩ ଦଳ ସିଧାସଳଖ ନକ୍‌ଆଉଟ୍‌ରେ ପହଞ୍ଚିବେ। ସି’, ଡି’, ଇ’ ଓ ଏଫ୍‌’ ଗ୍ରୁପ୍‌ ‌ବିଜେତାଙ୍କ ମଧ୍ୟରେ ପ୍ରଥମ ପ୍ଲେ ଅଫ୍‌ ଖେଳାଯିବ। ଏହାର ବିଜେତା ଏ’ ଓ ବି’ ଗ୍ରୁପ୍‌ର ଶେଷ ସ୍ଥାନରେ ଥିବା ଦଳ ବିପକ୍ଷରେ ଦ୍ବିତୀୟ ପ୍ଲେ ଅଫ୍‌ ଖେଳିବ। ଦ୍ବିତୀୟ ପ୍ଲେ ଅଫ୍‌ ବିଜେତା ନକ୍‌ଆଉଟ୍‌ ସ୍ଥାନ ପକ୍କା କରିବ। ଉଭୟ ବର୍ଗର କ୍ବାର୍ଟର ଫାଇନାଲ୍‌ ଓ ସେମିଫାଇନାଲ୍‌‌ ୧୦ ତାରିଖରେ ଏବଂ ଫାଇନାଲ୍‌ ମ୍ୟାଚ୍‌ ୧୧ ତାରିଖରେ ଅନୁଷ୍ଠିତ ‌ହେବ।

Advertisment

ଓଡ଼ିଶା ପୁରୁଷ ଦଳ ଗ୍ରୁପ୍‌ ଏଫ୍‌’ରେ ଛତିଶଗଡ଼, ଚଣ୍ଡିଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଲଦାଖ ସହ ରହିଥିଲା ବେଳେ ମହିଳା ଦଳ ଗ୍ରୁପ୍‌ ସି’ରେ ରାଜସ୍ଥାନ, ଆସାମ, ମଣିପୁର ଓ ଛତିଶଗଡ଼ ବିପକ୍ଷରେ ଲିଗ୍‌ ମ୍ୟାଚ୍‌ ଖେଳିବ। ଓଡ଼ିଶା ପୁରୁ‌ଷ ଦଳ ମଧ୍ୟପ୍ରଦେଶ ବିପକ୍ଷରୁ ଏବଂ ମହିଳା ଦଳ ରାଜସ୍ଥାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଲଦାଖ ପ୍ରଥମ ଥର ଲାଗି ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛି। ୧୨୦୦ରୁ ଊର୍ଧ୍ବ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ।

ଏହି ପ୍ରତିଯୋଗିତା ଲଗାତାର ଦ୍ବିତୀୟ ଥର ଲାଗି ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି। ଯାହା ଭାରତରେ ପ୍ରଥମ। ସମସ୍ତ ମ୍ୟାଚ୍‍ର ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା ହୋଇଛି। ପୂର୍ବରୁ ୨୦୦୯ରେ ଓଡ଼ିଶା ୩୬ତମ ଜାତୀୟ ଭଲିବଲ୍‍ ଆୟୋଜନ କରିବାର ସୁଯୋଗ ପାଇଥିବା ବେଳେ ୨୦୧୯ରେ ୪୧ତମ ଉପବରିଷ୍ଠ ଭଲିବଲ୍‍ ଓ ୬୮ତମ ବରିଷ୍ଠ ଜାତୀୟ ଭଲିବଲ୍‍ (ପୁରୁଷ ଓ ମହିଳା) ଭଳି ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ଆୟୋଜନ କରିବାର ସୁଯୋଗ ପାଇଥିଲା। ସମସ୍ତ ପ୍ରତିଯୋଗିତା କିଟ୍‍ ଷ୍ଟାଡିୟମ୍‌ରେ ସଫତଳାର ସହ ଅନୁଷ୍ଠିତ ହୋଇଥିଲା।
ଏଥିରେ ଏକାଧିକ ଅର୍ଜୁନ ପୁରସ୍କାର ବିଜେତା ତଥା ଜାତୀୟ ଓ ଆନ୍ତର୍ଜାତିକ ଖେଳାଳି ମଧ୍ୟ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତାରୁ ନିକଟରେ ହେବାକୁ ଥିବା ଏସୀୟ ପ୍ରତିଯୋଗିତା ଓ ଅନ୍ୟ ଆନ୍ତର୍ଜାତିକ ମିଟ୍‌ ଲାଗି ଖେଳାଳି ଚୟନ କରାଯିବ।

ଭାରତୀୟ ଭଲିବଲ୍‍ ଦଳର ପ୍ରଶିକ୍ଷକ, ଅର୍ଜୁନ ପୁରସ୍କାର ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଜି ଇ ଶ୍ରୀଧରନ୍‍, ଅର୍ଜୁନ ପୁରସ୍କାର ବିଜେତା ଦଲେଲ୍‍ ସିଂହ ଓ ଜଗିର ସିଂହ ରନ୍ଧୱା ଆଦିଙ୍କୁ ନେଇ ଗଠିତ ପୁରୁଷ ଭଲିବଲ୍‍ ଚୟନ ସମିତି ଖେଳାଳି ଚୟନ କରିବେ। ସେହିପରି ଭାରତୀୟ ମହିଳା ଭଲିବଲ୍‍ ଚୟନ ସମିତିରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଅଜୟ ଜଙ୍ଗରା, ଦଲ୍‌ଜୀତ ସିଂହ ଓ ଭାରତୀୟ ଭଲିବଲ୍‍ ମହିଳା ଦଳର ପ୍ରଶିକ୍ଷକ ବୈଶାଳୀ ଫଡ଼ତାରେ ପ୍ରମୁଖ ସଦସ୍ୟ ରହିଛନ୍ତି। ଦ୍ରୋଣାଚାର୍ଯ୍ୟ ତଥା ଅର୍ଜୁନ ପୁରସ୍କାର ବିଜେତା ପ୍ରକାଶ ରାୟ ଏବଂ ଏ ରମନ୍ନାରାଓ ଉଭୟ ଚୟନ ସମିତିର ସଂଯୋଜକ ଅଛନ୍ତି। ପ୍ରତିଯୋଗିତା ଅବସରରେ ଏମା‌ନେ ଉପସ୍ଥିତ ରହିବେ।