ଜାତୀୟ ଭାରୋତ୍ତୋଳନରେ କାହ୍ନୁଙ୍କୁ କାଂସ୍ୟ, ଚାନୁଙ୍କୁ ସ୍ବର୍ଣ୍ଣ

ବ୍ରହ୍ମପୁର: କୋଲକାତାର ଖୁଦିରାମ ଇନ୍‌ଡୋର୍ ଷ୍ଟାଡିୟମ୍‌ରେ ଚାଲିଥିବା ଜାତୀୟ ବରିଷ୍ଠ ଭାରୋତ୍ତୋଳନ ପ୍ରତିଯୋଗିତାରେ ମଙ୍ଗଳବାର ଓଡ଼ିଶା ପଦକ ଖାତା ଖୋଲିଛି। କାହ୍ନୁଚରଣ ସାହୁ ୭୩ କେଜି ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି। ସେ ୧୨୮ କେଜି ସ୍ନାଚ୍‌, ୧୬୨ କେଜି କ୍ଲିନ୍ ଆଣ୍ଡ ଜର୍କ‌୍ (ମୋଟ ୨୯୦ କେଜି) ଭାରୋତ୍ତୋଳନ କରି ତୃତୀୟ ସ୍ଥାନ ଅଧିକାର କରିଥିଲେ। କାହ୍ନୁଙ୍କ ଘର ବ୍ରହ୍ମପୁରରେ ହୋଇଥିବା ବେଳେ ଏବେ ସେ ଭୁବନେଶ୍ବର ସ୍ଥିତ ହାଇପରଫର୍‌ମାନ୍ସ ସେଣ୍ଟରରେ ତାଲିମ୍‌ ନେଉଛନ୍ତି। ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାର ମୋଟ ୧୭ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଅନ୍ୟପକ୍ଷେ ଗତକାଲି ରେଳବାଇ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ଓଡ଼ିଶାର ଝିଲ୍ଲୀ ଦଳବେହେରା ସ୍ବର୍ଣ୍ଣ ପଦକ ଅମଳ କରିଥିଲେ। ଏହି ଅବସରରେ ଭାରତୀୟ ଭାରୋତ୍ତୋଳନ ସଂଘ ପକ୍ଷରୁ ଅନୁ‌ଷ୍ଠିତ ଜାତୀୟ ରେଫରି (ଦ୍ବିତୀୟ ବର୍ଗ) ପରୀକ୍ଷାରେ ଓଡ଼ିଶାର ୫ ଜଣ କୃତିତ୍ବ ହାସଲ କରିଥିବା ସୂଚନା ମିଳିଛି। ସେମାନେ ହେଲେ ସଞ୍ଜୁକ୍ତା ସାହୁ, ବିଷ୍ଣୁପ୍ରିୟା ନାୟକ, ପି ଜଗଦୀଶ ପାତ୍ର, ଗୋପାଳକୃଷ୍ଣ ଦାସ ଏବଂ ବିବେକାନନ୍ଦ ସାହୁ।

ଚାନୁଙ୍କୁ ସ୍ବର୍ଣ୍ଣ
କୋଲ୍‌କାତା: ପୂର୍ବତନ ବିଶ୍ବ ବିଜୟିନୀ ମୀରାବାଇ ଚାନୁ ଏଠାରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ନିଜ ଜାତୀୟ କୀର୍ତ୍ତିମାନକୁ ଟପିବା ସାଙ୍ଗକୁ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ମଙ୍ଗଳବାର ୪୯ କେଜି ବର୍ଗରେ ୨୫ ବର୍ଷ ବୟସ୍କା ଚାନୁ ମୋଟ ୨୦୩ କେଜି ଭାର ଉତ୍ତୋଳନ କରି ତାଙ୍କ ପୂର୍ବ ଜାତୀୟ କୀର୍ତ୍ତିମାନଠାରୁ ୨ କେଜି ଅଧିକ ଉତ୍ତୋଳନ କରିଥିଲେ। ସେ ସ୍ନାଚ୍‌ରେ ୮୮ ଏବଂ କ୍ଲିନ୍‌ ଓ ଜର୍କରେ ୧୧୫ କେଜି ଭାର ଉଠାଇଥିଲେ। ମଙ୍ଗଳବାରର ପ୍ରୟାସ ବଳରେ ଚାନୁ ବିଶ୍ବ ମାନ୍ୟତାରେ ଚୀନ୍‌ର ଜିଆଙ୍ଗ୍‌ ହୁଇହୁଆ (୨୧୨ କେଜି) ଓ ହୋ ଝିହୁଇ (୨୧୧ କେଜି) ଏବଂ କୋରିଆର ରି ସଙ୍ଗ୍‌ ଗୁମ୍‌ (୨୦୯ କେଜି)ଙ୍କ ପଛକୁ ଚତୁର୍ଥରେ ରହିଛନ୍ତି। ଚାନୁଙ୍କ ପୂର୍ବ ଶ୍ରେଷ୍ଠ ପ୍ରଦର୍ଶନ (୨୦୧ କେଜି) ଗତବର୍ଷ ସେପ୍ଟେମ୍ବରରେ ଥାଇଲାଣ୍ଡ‌ରେ ଆୟୋଜିତ ବିଶ୍ବ ପ୍ରତିଯୋଗିତାରେ ଦେଖିବାକୁ ମିଳିଥିଲା। ସେହି ପ୍ରତିଯୋଗିତାରେ ଚାନୁ ମଧ୍ୟ ଚତୁର୍ଥ ସ୍ଥାନ ପାଇଥିଲେ।

ସମ୍ବନ୍ଧିତ ଖବର