ଜାତୀୟ ଭାରୋତ୍ତୋଳନ: ସୁଶାନ୍ତଙ୍କୁ କାଂସ୍ୟ

ଭୁବନେଶ୍ବର: ସ୍ଥାନୀୟ କିଟ୍‌ସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଆଇଡବ୍ଲ୍ୟୁଏଲ୍‌ଏଫ୍‌ ଜାତୀୟ (ଯୁବ, କନିଷ୍ଠ, ବରିଷ୍ଠ) ଭାରୋତ୍ତୋଳନ ପ୍ରତିଯୋଗିତାରେ ବୁଧବାର ଆଉ ଜଣେ ଓଡ଼ିଆ ପଦକ ଅମଳ କରିଛନ୍ତି। ଫଳରେ ଏହି ପ୍ରତିଯୋଗିତାରେ ଓଡ଼ିଆଙ୍କ ପଦକ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ପୂର୍ବରୁ ମୁନା ନାୟକ(ରୌପ୍ୟ), ଝିଲ୍ଲୀ ଦଳବେହେରା (କାଂସ୍ୟ) ଓ ସ୍ନେହା ସୋରେନ (କାଂସ୍ୟ) ପଦକ ଜିତିଥିଲା ବେ‌ଳେ ବୁଧବାର ଓଡିଶାର ସୁଶାନ୍ତ ସାହୁ କାଂସ୍ୟ ପଦକ ହାସଲ କରିଛନ୍ତି। ସୁଶାନ୍ତ ଅନ୍ତଃରାଜ୍ୟ ବରିଷ୍ଠ ପୁରୁଷ ୬୭ କେଜି ବର୍ଗ ସ୍ନାଚରେ ୧୧୭ ଏବଂ କ୍ଲିନ ଆଣ୍ଡ ଜର୍କରେ ୧୫୧ ସହ ମୋଟ ୨୬୮ କେଜି ଭାର ଉତ୍ତୋଳନ କରି ପଦକ ହାସଲ କରିଛନ୍ତି। ଏହି ବର୍ଗରେ ଅରୁଣାଚଳ ପ୍ରଦେଶର ମାର୍କିଓ ତାରିଓ ମୋଟ ୨୮୨ କେଜି ଉତ୍ତୋଳନ କରି ସ୍ବର୍ଣ୍ଣ ଏବଂ ଛତିଶଗଡ଼ର ସୁଭାଷ ଲହରେ ମୋଟ ୨୭୦ କେଜି ଉତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଛନ୍ତି।

ବରିଷ୍ଠ ପୁରୁଷ ୬୭ କେଜି ବର୍ଗରେ ଆରଏସପିବିର ମଞ୍ଜୁନାଥ ମରଟି (ମୋଟ ୨୮୪ କେଜି) ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଅରୁଣାଚଳପ୍ରଦେଶର ମାର୍କିଓ ତାରିଓ (୨୮୨ କେଜି) ରୌପ୍ୟ ଏବଂ ଆରଏସପିବିର କେ ନୀଲମ ରାଜୁ (୨୭୭ କେଜି) କାଂସ୍ୟ ପଦକ ହାସଲ କରିଛନ୍ତି। ଯୁବ ୬୭ କେଜି ପୁରୁଷ ବର୍ଗରେ ତାମିଲନାଡୁର ଏସ. ଲୋଗେଶ୍ୱରନ ମୋଟ ୨୫୪ କେଜି ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ମିଜୋରାମର ଏମଏଚ ସିଲବନ ବେଈହରୋଥାତଲୋ (୨୫୧ କେଜି) ରୌପ୍ୟ ଏବଂ ଅରୁଣାଚଳ ପ୍ରଦେଶର ବେନଗିଆ ତାନି (୨୪୮ କେଜି) କାଂସ୍ୟ ପଦକ ହାସଲ କରିଛନ୍ତି। କନିଷ୍ଠ ୬୭ କେଜି ପୁରୁଷ ବର୍ଗରେ ମିଜୋରାମର ଲାଲହୁଁଥର ମୋଟ ୨୬୯ କେଜି ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ମହାରାଷ୍ଟ୍ରର ତେଜସ ଜୋନଢାଲେ (୨୬୮ କେଜି) ଏବଂ ମିଜୋରାମର ଜାକୋବ ଭାଁଲାଲଟଲୁଙ୍ଗା (୨୫୭ କେଜି) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର