ମାର୍ଚ୍ଚ ୧୯ରୁ ଭୁବନେଶ୍ୱରରେ ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍‌, ଅଂଶଗ୍ରହଣ କରିବ ରେଳବାଇ

ଭୁବନେଶ୍ବର: ସିନିୟର ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍‌ (ପୁରୁଷ ଓ ମହିଳା) ୨୦୨୧-୨୨ ଆସନ୍ତା  ୧୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଭାରତୀୟ ରେଳବାଇ ପକ୍ଷରୁ ଦୃଢ଼ ଦାବିଦାରମାନେ ଅଂଶଗ୍ରହଣ କରିବେ । ଭାରତୀୟ ରେଳବାଇର କ୍ରୀଡ଼ା ବିଭାଗ ରେଳବାଇ କ୍ରୀଡ଼ା ପ୍ରୋତ୍ସାହନ ପରିଷଦ (ଆରଏସପିବି)ର ଦକ୍ଷ ଖେଳାଳୀମାନେ ଏହି ଚାମ୍ପିଅନସିପରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଭାରତୀୟ ରେଳବାଇର ପୁରୁଷ ଦଳ ଲଗାତାର ୪ ବର୍ଷ ଧରି ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ବିଜେତା ହୋଇ ଆସୁଛି । ଅନ୍ୟପକ୍ଷରେ ଭାରତୀୟ ରେଳବାଇର ମହିଳା ଦଳ ଲଗାତାର ଦୁଇଟି ଜାତୀୟ ଚାମ୍ପିଅନସିପରେ ଟାଇଟଲ୍‌ ହାସଲ କରିଛି ।

ସୂଚନାଯୋଗ୍ୟ ଯେ ଭାରତୀୟ ରେଳବାଇ ଦେଶର ସର୍ବବୃହତ ସଂସ୍ଥା ଭାବେ କ୍ରୀଡ଼ା ପ୍ରତିଭାମାନଙ୍କୁ ନିଯୁକ୍ତି ଦେଇ ଆସୁଛି । ରେଳବାଇ କ୍ରୀଡ଼ା ପ୍ରୋତ୍ସାହନ ପରିଷଦ ନିଜର କ୍ରୀଡ଼ା ପ୍ରୋତ୍ସାହନ ଗତିବିଧି ଏବଂ ‘‘ଜାହାଁ ଖେଲ୍‌ ୱାହାଁ ରେଲ୍‌’’ (ଯେଉଁଠି ଖେଳ ସେଇଠି ରେଳ) ଲକ୍ଷ୍ୟ ନେଇ କ୍ରୀଡ଼ା ଭିତ୍ତିଭୂମି ବିକାଶ କରୁଛି । ଏହି ସଂଗଠନ କେବଳ ଭାରତୀୟ ରେଳବାଇ ନୁହେଁ ବରଂ ଦେଶର ଅନ୍ୟ କ୍ରୀଡ଼ା ପ୍ରତିଭାମାନଙ୍କୁ କ୍ରୀଡ଼ା କୌଶଳ ଶିକ୍ଷା ଦେବା ଏବଂ ସେମାନଙ୍କ ପ୍ରତିଭା ବିକଶିତ କରିବା ଲାଗି ଆବଶ୍ୟକ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଏବଂ ସୁବିଧା ଯୋଗାଇ ଦେଉଛି । ରେଳବାଇର ପ୍ରାୟ ୧୦ ହଜାର କ୍ରୀଡ଼ା କର୍ମଚାରୀମାନଙ୍କ ମଧ୍ୟରୁ ପାଖାପାଖି ୩ ହଜାର କର୍ମଚାରୀ କ୍ରୀଡ଼ା ଗତିବିଧିରେ ସକ୍ରିୟ ରହିଛନ୍ତି । ଦେଶରେ ଭାରତୀୟ ରେଳବାଇ ସର୍ବାଧିକ ସଂଖ୍ୟକ ପୁରୁଷ ଓ ମହିଳା କ୍ରୀଡ଼ାବିତ୍‌ମାନଙ୍କୁ ନିଯୁକ୍ତି ଦେଇଛି ।

ଅନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ଭାରତୀୟ ରେଳବାଇର କ୍ରୀଡ଼ାବିତ୍‌ମାନେ ଦେଶ ପାଇଁ ଗୌରବ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ରେଳବାଇ ଏ କ୍ଷେତ୍ରରେ ଏକ ରେକର୍ଡ କରିଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ କ୍ରୀଡ଼ା କିମ୍ବା ଅଲିମ୍ପିକ୍ସ, ଭାରତୀୟ ରେଳବାଇର କ୍ରୀଡ଼ାବିତ୍‌ମାନେ ଭାରତର ପ୍ରଦର୍ଶନରେ ବ୍ୟାପକ ଯୋଗଦାନ ଦେଇଥାନ୍ତି ।

ଭାରତୀୟ ରେଳବାଇ ସୃଷ୍ଟି କରିଥିବା ତାରକା ଭାରୋତ୍ତୋଳନକାରୀମାନଙ୍କ ମଧ୍ୟରେ ରହିଛନ୍ତି ସୁଶ୍ରୀ ଏସ. ମୀରାବାଇ ଚାନୁ, ଯିଏକି ଟୋକିଓ ଅଲିମ୍ପିକ୍ସ ଦେଶ ପାଇଁ ରୌପ୍ୟ ପଦକ ଆଣିଥିଲେ । ସେ ଅଲିମ୍ପିକ୍ସରେ ରୌପ୍ୟ ଜିତିବାରେ ଥିଲେ ଭାରତର ପ୍ରଥମ ମହିଳା ଭାରୋତ୍ତୋଳନକାରୀ । ଅର୍ଜ୍ଜୁନ ପୁରସ୍କାର ବିଜେତା ଶ୍ରୀ ସତୀଶ ଶିବଲିଙ୍ଗ, ସୁଶ୍ରୀ ରେଣୁ ବାଳା, ସୁଶ୍ରୀ ସଞ୍ଜିତା ଚାନୁ ପ୍ରମୁଖ ରେଳବାଇ ଠାରୁ ପ୍ରୋତ୍ସାହନ ପାଇ ଭାରୋତ୍ତୋଳନ କ୍ଷେତ୍ରରେ ଶୀର୍ଷସ୍ତରୀୟ ସଫଳତା ହାସଲ କରିପାରିଛନ୍ତି ।

ସମ୍ବନ୍ଧିତ ଖବର