ଜାତୀୟ ଭାରୋତ୍ତୋଳନ: ଝିଲ୍ଲୀ,‌ ସ୍ନେହାଙ୍କୁ କାଂସ୍ୟ

ଭୁବନେଶ୍ବର: ସ୍ଥାନୀୟ କିଟ୍‌ସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ଆଇଡବ୍ଲ୍ୟୁଏଲ୍‌ଏଫ୍‌ ଜାତୀୟ (ଯୁବ, କନିଷ୍ଠ, ବରିଷ୍ଠ) ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଆଙ୍କ ଖାତାରେ ଆଉ ଦୁଇ ପଦକ ଯୋଡ଼ି ହୋଇଛି। ସୋମବାର ଦ୍ବିତୀୟ ଦିବସରେ ୬୧ କେଜି ପୁରୁଷ ବର୍ଗରେ ମୁନା ରୌପ୍ୟ ଜିତି ରାଜ୍ୟ ପାଇଁ ପ୍ରଥମ ପଦକ ଆଣିଥିଲେ। ମଙ୍ଗଳବାର ତୃତୀୟ ଦିବସରେ ଆର୍‌ଏସ୍‌ପିବି ପକ୍ଷରୁ ଭାଗନେଇଥିବା ଓଡ଼ିଆ ଝିଅ ଝିଲ୍ଲୀ ଦଳବେହେରା ଏବଂ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ସ୍ନେହା ସୋରେନ ନିଜ ନିଜ ବିଭାଗରେ ଗୋଟିଏ ଲେଖାଏଁ କାଂସ୍ୟ ଜିତିଥିଲେ। ଫଳରେ ତୃତୀୟ ଦିନ ସୁଦ୍ଧା ଓଡ଼ିଆଙ୍କ ମୋଟ ପଦକ ସଂଖ୍ୟା ୩ (୧ ରୌପ୍ୟ ଓ ୨ କାଂସ୍ୟ)ରେ ପହଞ୍ଚିଛି।

ବରିଷ୍ଠ ମହିଳା ବର୍ଗର ୪୯ କେଜି ବିଭାଗରେ ଝିଲ୍ଲୀସ୍ନାଚରେ ୭୬ କେଜି ଓ କ୍ଲିନ ଓ ଜର୍କରେ ୯୩ କେଜି ସହ ମୋଟ ୧୬୯ କେଜି ଭାର ଉତ୍ତୋଳନ କରି ତୃତୀୟ ସ୍ଥାନ ପାଇଥିଲେ। ଏହି ବର୍ଗରେ ମଣିପୁରର ଜୀନାରାଣୀ ଦେବୀ ମୋଟ ୧୭୫ କେଜି ଉଠାଇ ସ୍ବର୍ଣ୍ଣ ଏବଂ ଆରଏସପିବିର ସଂଜିତା ଚାନୁ ମୋଟ ୧୭୪ କେଜି ଉଠାଇ ରୌପ୍ୟ ପଦକ ଜିତିଥିଲେ। ସେହିପରି ୪୯ କେଜି ଅନ୍ତଃରାଜ୍ୟ ବରିଷ୍ଠ ମହିଳା ବର୍ଗରେ ଓଡିଶାର ସ୍ନେହା ସୋରେନ ସ୍ନାଚରେ ୭୫ କେଜି ଏବଂ କ୍ଲିନ ଓ ଜର୍କରେ ୯୧ କେଜି ସହ ମୋଟ ୧୬୬ କେଜି ଉଠାଇ କାଂସ୍ୟ ପଦକ ହାସଲ କରିଥିଲେ। ଏହି ବର୍ଗରେ ମଣିପୁରର ଜିନାରାଣୀ ଦେବୀ ସ୍ବର୍ଣ୍ଣ ଓ ମହାରାଷ୍ଟ୍ରର ସାକ୍ଷୀ ମହାସକେ ରୌପ୍ୟ ପଦକ ଜିତିଥିଲେ। ୪୯ କେଜି ଯୁବା ମହିଳା ବର୍ଗରେ ପଣ୍ଡିଚେରିର ଭି. ମଧୁମିତା (ମୋଟ ୧୫୫ କେଜି) ସ୍ବର୍ଣ୍ଣ, ଉତ୍ତରପ୍ରଦେଶର ନିଲମ ପଟେଲ (ମୋଟ ୧୫୨ କେଜି) ରୌପ୍ୟ ଏବଂ ତାମିଲନାଡୁର ଭି. ରିଥିକା (ମୋଟ ୧୫୦ କେଜି) କାଂସ୍ୟ ପଦକ ହାସଲ କରିଥିଲେ। ନୀଲମ ଏହି ବର୍ଗରେ ସ୍ନାଚରେ ସର୍ବାଧିକ ୬୭ କେଜି ଉତ୍ତୋଳନ କରି ନୂଆ ଜାତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ୪୯ କେଜି କନିଷ୍ଠ ମହିଳା ବର୍ଗରେ ମହାରାଷ୍ଟ୍ରର ସାକ୍ଷୀ ମହାସକେ (ମୋଟ ୧୬୮ କେଜି) ସ୍ବର୍ଣ୍ଣ, ଛତିଶଗଡ଼ର ଜ୍ଞାନେଶ୍ବରୀ ଯାଦବ (ମୋଟ ୧୬୧ କେଜି) ରୌପ୍ୟ ଏବଂ ପଣ୍ଡିଚେରୀର ଭି. ମଧୁମିତା (ମୋଟ ୧୫୫ କେଜି) କାଂସ୍ୟ ପଦକ ଜିତିଥିଲେ। ଓଡ଼ିଶା ସରକାରଙ୍କ ସହଯୋଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘ ଓ ଓଡ଼ିଶା ଭାରୋତ୍ତୋଳନ ସଂଘ ଆନୁକୂଲ୍ୟରେ ଏହି ପ୍ରତିଯୋଗିତ ଆୟୋଜିତ ହେଉଛି।

ସମ୍ବନ୍ଧିତ ଖବର