ଜାତୀୟ ଭାରୋତ୍ତୋଳନ: ସ୍ନାଚରେ ନୂଆ କୀର୍ତ୍ତିମାନ କଲେ ପଲ୍ଲବୀ

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ କିଟ୍‌ ବିଶ୍ୱବିଦ୍ୟାଳୟ ଇନ୍‌ଡୋର ହଲରେ ଚାଲିଥିବା ଜାତୀୟ ଓ ଅନ୍ତଃରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଶନିବାର କନିଷ୍ଠ ମହିଳା ୬୪ କିଲୋଗ୍ରାମ ଓଜନ ବର୍ଗରେ ଆନ୍ଧ୍ରପ୍ରଦେଶର ଏସ ପଲ୍ଲବୀ ସ୍ନାଚରେ ନୂଆ ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପୂର୍ବରୁ ଏହି ବର୍ଗର ସ୍ନାଚ ରେକର୍ଡ ୮୫ କିଲୋଗ୍ରାମ ଥିବା ବେଳେ ପଲ୍ଲବୀ ୮୬ କିଲୋ ଭାର ଉଠାଇଥିଲେ। ସେ କ୍ଲିନ ଆଣ୍ଡ ଜର୍କରେ ୧୦୮ କିଲୋ ସହ ମୋଟ ୧୯୪ କିଲୋ ଉତ୍ତୋଳନ କରିଥିଲେ। ଆଇଡବ୍ଲୁଏଲଏଫର କୋମଲ ଖାନ ମୋଟ ୧୯୦ କିଲୋ ସହ ରୌପ୍ୟ ଏବଂ ଆସାମର ଦ୍ୱିତୀମୋନୀ ସୋନୱାଲ ୧୮୫ କିଲୋଗ୍ରାମ ଉତ୍ତୋଳନ କରି କାଂସ୍ୟ ପଦକ ହାସଲ କରିଥିଲେ। ବରିଷ୍ଠ ମହିଳା ୬୪ କିଲୋ ଓଜନ ବର୍ଗରେ ପଞ୍ଜାବର ଯଶବୀର କୌର ମୋଟ ୧୯୮ କିଲୋ ଉତ୍ତୋଳନ କରି ସ୍ୱର୍ଣ୍ଣ, ଆନ୍ଧ୍ରପ୍ରଦେଶର ଏସ ପଲ୍ଲବୀ ମୋଟ ୧୯୪ କିଲୋ ଉତ୍ତୋଳନ କରି ରୌପ୍ୟ ଏବଂ ଆରଏସପିବିର ଏସ ନିରୁପମା ଦେବୀ ମୋଟ ୧୯୨ କିଲୋ ଉତ୍ତୋଳନ କରି କାଂସ୍ୟ ପଦକ ହାସଲ କରିଛନ୍ତି।

ଅନ୍ତଃରାଜ୍ୟ ବରିଷ୍ଠ ମହିଳା ୬୪ କିଲୋ ଓଜନ ବର୍ଗରେ ପଞ୍ଜାବର ଯଶବୀର କୌର ମୋଟ ୧୯୮ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଆନ୍ଧ୍ରପ୍ରଦେଶର ଏସ ପଲ୍ଲବୀ ୧୯୪ କେଜି ଉତ୍ତୋଳନ କରି ରୌପ୍ୟ ଏବଂ ଆଇଡବ୍ଲୁଏଲଏଫର କୋମଲ ଖାନ ୧୯୦ କେଜି ଉତ୍ତୋଳନ କରି କାଂସ୍ୟ ପଦକ ହାସଲ କରିଛନ୍ତି। ୬୪ କିଲୋ ଯୁବା ବର୍ଗରେ ପଣ୍ଡିଚେରିର ସି ହର୍ଷିକା (ମୋଟ ୧୬୫ କିଲୋ) ସ୍ବର୍ଣ୍ଣ ପଦକ, ଉତ୍ତରପ୍ରଦେଶର ସୁଷମା ଦେବୀ (୧୫୪ କିଲୋ) ରୌପ୍ୟ ଏବଂ ଗୋଆର ଅର୍ଚିତା ସିଦ୍ଧାନ୍ତ ଶିରୋଦକର (୧୪୮ କିଲୋ) କାଂସ୍ୟ ପଦକ ହାସଲ କରିଛନ୍ତି। ଶନିବାରର ପୁରସ୍କାର ବିତରଣ ଉତ୍ସବରେ ଭାରତୀୟ ରେଳବାଇ ଉପ ମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର ଏବଂ ଦ୍ରୋଣାଚାର୍ଯ୍ୟ ବିଜୟିନୀ ପ୍ରଥମ ମହିଳା ତଥା ପ୍ରଶିକ୍ଷକ ହଂସା ଶର୍ମା ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।

ସମ୍ବନ୍ଧିତ ଖବର