ଜାତୀୟ ଭାରୋତ୍ତୋଳନ: ଆର୍‌ଏସ୍‌ପିବି ବିଜେତା

ଭୁବନେଶ୍ବର: ୧୩ ଦିନ ଧରି ଭୁବନେଶ୍ବରରେ ଚାଲିଥିବା ଜାତୀୟ (କନିଷ୍ଠ, ଯୁବ, ବରିଷ୍ଠ) ଭରୋତ୍ତୋଳନ ପ୍ରତିଯୋଗିତା ଶେଷ ‌ହୋଇଛି। ଉଭୟ ବରିଷ୍ଠ ପୁରୁଷ ଓ ମହିଳାରେ ରେଳବାଇ କ୍ରୀଡ଼ା ବିକାଶ ବୋର୍ଡ (ଆର୍‌ଏସ୍‌ପିବି) ସର୍ବାଧିକ ପଦକ ଜିତି ବିଜେତା ‌ହୋଇଥିଲା। ଏହି ପ୍ରତିଯୋଗିତାରେ ୧୨୯ ନୂଆ କୀର୍ତ୍ତିମାନ ଦେଖିବାକୁ ମିଳିଥିଲା। ବରିଷ୍ଠ ବର୍ଗରେ ୧୦ (ପୁରୁଷ ୪, ମହିଳା ୬), ଯୁବରେ ୮୩ (ପୁରୁଷ ୩୨, ମହିଳା ୫୧) ଏବଂ କନିଷ୍ଠରେ ୩୬ (ପୁରୁଷ ୩୨, ମହିଳା ୪) କୀର୍ତ୍ତିମାନ ଭାଙ୍ଗିଥିଲା। ଗୁରୁବାର କିଟ୍‌ ବିଶ୍ବବିଦ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭା‌ବେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇଥିଲେ। ଓଡ଼ିଶା ହକି ବିକାଶ ପରିଷଦ ଅଧ୍ୟକ୍ଷ ଦିଲ୍ଲୀପ ତିର୍କି, ଭାରତୀୟ ଭାରୋତ୍ତୋଳନ ମହାସଂଘ ସଭାପତି ସହଦେବ ଯାଦବ, କିଟ୍‌ ବିଶ୍ବବିଦ୍ୟାଳୟ କ୍ରୀଡ଼ା ମହାପ୍ରବନ୍ଧକ ଗଗନେନ୍ଦୁ ଦାଶ, କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା ଓ ଓଡ଼ିଶା ଭାରୋତ୍ତୋଳନ ସଂଘ ସମ୍ପାଦକ ନାରାୟଣ ସାହୁ ଅତିଥି ଭାବେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ୧୦୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗନେଇଥିଲେ।

ସମ୍ବନ୍ଧିତ ଖବର