ଜାତୀୟ ହୁଇଲ୍‌ଚେୟାର ଫେନ୍‌ସିଂ : ପୂଜାସ୍ବିନୀଙ୍କୁ ସ୍ବର୍ଣ୍ଣ: ଓଡ଼ିଶାକୁ ୫ ପଦକ

ଭୁବନେଶ୍ବର: ଓଡ଼ିଶା ପାରା ସ୍ପୋର୍ଟ୍ସ ସଂଘ (ପିଏସ୍‌ଏଓ) ଆନୁକୂଲ୍ୟରେ ପୂର୍ବତଟ ରେଳବାଇ ଇନ୍‌ଡୋର ଷ୍ଟାଡିୟମଠାରେ ଚାଲିଥିବା ୧୪ତମ ଜାତୀୟ ହ୍ବିଲ୍‌ଚେୟାର ଫେନ୍ସିଂ ପ୍ରତିଯୋଗିତାର ଶନିବାର ଦ୍ବିତୀୟ ଦିବସରେ ଓଡ଼ିଶା ପଦକ ବର୍ଷା କରିଛି। ବ୍ୟକ୍ତିଗତ ବର୍ଗରେ ୩ ଏବଂ ଦଳଗତ ବର୍ଗରେ ୨ ପଦକ ଜିତିନେଇଛି।

ସେମଧ୍ୟରୁ ମହିଳା କ୍ୟାଟେଗୋରୀ-ବି ଇପିରେ ପୂଜାସ୍ବିନୀ ନାୟକ ସ୍ବର୍ଣ୍ଣ ପଦକ ହାସଲ କରିଥିଲା ବେଳେ କ୍ୟାଟେଗୋରୀ-ଏ ସାବ୍ରେରେ ରାଖଲ କୁମାର ସେଠୀ ଓ ଶିଲା ମନ୍ତ୍ରୀ ରୌପ୍ୟ ପଦକ କରାୟତ କରିଛନ୍ତି। ଫାଇନାଲ୍‌ରେ ପୂଜାସ୍ବିନୀ ୧୫-୮ରେ ଛତିଶଗଡ଼ର ରୋହିଣୀ ସାହୁଙ୍କୁ ପରାସ୍ତ କରିଥିଲା ବେଳେ ରାଖଲ ୧୩-୧୫ରେ ହରିଆଣାର ରାଜୀବଙ୍କଠୁ ଏବଂ ମହିଳା ବର୍ଗରେ ଶିଲା ୮-୧୫ରେ ଅରିଆଣାର ରେଖାଙ୍କଠାରୁ ହାରିଯାଇଥିଲେ।

ସେହିପରି ଦଳଗତ ପୁରୁଷ ସାବ୍ରେ ଫାଇନାଲ୍‌ରେ ହରିଆଣାଠୁ ୧୩-୧୫ ଏବଂ ମହିଳା ସାବ୍ରେ ଦଳ ହରିଆଣାଠୁ ୧୨-୧୫ରେ ହାରିଯାଇ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛି ଓଡ଼ିଶା। ତେବେ ଶନିବାର ୧ ସ୍ବର୍ଣ୍ଣ ଓ ୪ ରୌପ୍ୟ ସହ ଓଡ଼ିଶା ମୋଟ ୫ ପଦକ ଅମଳ କରିନେଇଛି।

ସମ୍ବନ୍ଧିତ ଖବର