ସର୍ବଭାରତୀୟ ମହିଳା ଫୁଟ୍‌ବଲ୍, ପ୍ରଥ‌େମ ନେତୃତ୍ବ ନେଇଥିଲେ ଗୀତାଞ୍ଜଳି

ଭୁବନେଶ୍ବର: ନବେ ଦଶକ ଆଦ୍ୟ ଭାଗରୁ ଓଡ଼ିଶା ମହିଳା ଫୁ୍ଟ୍‌ବଲ୍ ଦଳର ଜାତୀୟ ଅଭିଯାନ ନାଟକୀୟ ଭାବେ ଆରମ୍ଭ ହୋଇଥିଲା। ୧୯୯୨ ମସିହାରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ବତନ୍ତ୍ର ନିର୍ଦେଶକ୍ରମେ ଗଠିତ ମହିଳା ଫୁଟ୍‌ବଲ୍ ଦଳରେ ଏକାଧିକ ଖୋ‌ ଖୋ ଏବଂ ଦୌଡ଼କୁଦ ଖେଳାଳି ସାମିଲ ହୋଇଥିଲେ। ଅଧିନାୟକତ୍ବ ଭାର ସମ୍ଭାଳିଥିଲେ ଗୀତାଞ୍ଜଳି ସାମନ୍ତରାୟ। ପରବର୍ତୀ ଏକ ଦଶନ୍ଧୀ ଧରି ଗୀତାଞ୍ଜଳି ମଧ୍ୟ ଓଡ଼ିଶା ଦଳର ମଙ୍ଗ ଧରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଫୁଟ୍‌ବଲ୍ ଦୁନିଆ ପାଇଁ ଅଜଣା ଅଶୁଣା ଏହି ଝିଅମାନେ ବିମାନରେ ଗୌହାଟୀ ଯାତ୍ରା କରି ଫେଡେରେସନ୍‌ କପ୍‌ ସର୍ବଭାରତୀୟ ମହିଳା ଫୁଟବଲ୍ ପ୍ରତିଯୋଗିତାରେ ଖେଳିଥିଲେ। ବେଙ୍ଗଲ ଏବଂ କେରଳଠାରୁ ହାରିଥିଲେ ମଧ୍ୟ ବିହାରଠାରୁ ବିଜୟୀ‌ ହୋଇଥିଲେ। ବିଜୁ ପଟ୍ଟନାୟକଙ୍କ ସେହି ଗୋଟିଏ ନିର୍ଦେଶ ହିଁ ଓଡ଼ିଶାରେ ମହିଳା ଫୁଟ୍‌ବଲ୍‌ର ମୂଳଦୁଆ ପକାଇଥିଲା। ଏହାର ସଫଳତା ପରବର୍ତୀ ଦୁଇ ଦଶନ୍ଧୀ ଧରି ରାଜ୍ୟକୁ ମିଳିଚାଲିଛି। ଓଡ଼ିଶାର ଝିଅମାନେ ଅନ୍ୟ ଖେଳ ତୁଳନାରେ ଆଗରେ ରହି ଏକାଧିକ ଥର ଜାତୀୟ ପ୍ରତିଯୋଗିତା, ଜାତୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ପ୍ରଥମ ଦଳ ସଦସ୍ୟା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବଂ ରଂଜିତା ମହାନ୍ତି ମଧ୍ୟ ଅନ୍ତର୍ଜାତୀୟସ୍ତରରେ ପହଞ୍ଚିଥିଲେ। ଶ୍ରଦ୍ଧାଞ୍ଜଳି ମଧ୍ୟ ଭାରତୀୟ ଦଳର ଅଧିନାୟିକା ହୋଇ ରାଜ୍ୟର ଗୌରବ ବଢ଼ାଇଥିଲେ।

ପ୍ରାୟ ତିନି ଦଶନ୍ଧୀ ଅତିକ୍ରମ କରିବାକୁ ଯାଉଥିବା ସେହି ଘଟଣାବହୁଳ ଜାତୀୟ ପ୍ରତିଯୋଗିତାରେ ଖେଳିଥିବା ଓଡ଼ିଆ ଝିଅଙ୍କ ମଧ୍ୟରୁ ଅନେକ କିନ୍ତୁ ରାଜ୍ୟ କ୍ରୀଡ଼ା ବ୍ୟବସ୍ଥା ଓ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଦୁର୍ବିଷହ ଜୀବନ ବିତାଉଛନ୍ତି। ଅନେକ ହଜି ଗଲେଣି। ନାଲକୋରେ ନିଯୁକ୍ତ ପାଇ ଗୀତାଞ୍ଜଳି ସାମନ୍ତରାୟ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଂଜିତା ମହାନ୍ତି କେବଳ ସହଜ ଜୀବନ ବିତାଉଛନ୍ତି। ଏହି ପ୍ରଥମ ପଦାର୍ପଣ ଫେଡେରେସନ୍‌ କପ୍‌ ମହିଳା ଫୁଟବଲ୍‌ ପ୍ରତିଯୋଗିତାର ଅନ୍ୟତମ ପ୍ରମୁଖ ଖେଳାଳି ଥିଲେ ଶୁଭାରାଣୀ ଦାଶ। ନିଜ ଚମତ୍କାର ଖେଳ ଜରିଆରେ ଶୁଭାରାଣୀ ଦୀର୍ଘ ୪ ବର୍ଷ ଧରି ଓଡ଼ିଶା ଦଳର ପ୍ରତିନିଧିତ୍ବ କରିଥିଲେ। ନିଜ ଅସୁସ୍ଥ ସ୍ବାମୀଙ୍କ ବଦଳରେ ହକର ଭାବେ ଘର ଘର ବୁଲି ଖବରକାଗଜ ବିକ୍ରି କରୁଛନ୍ତି ଏହି ଜାତୀୟ ପ୍ରତିଭା। ଜାତୀୟ ପ୍ରତିଯୋଗିତାରେ ରାଜ୍ୟ ଦଳରୁ ଫୁଟ୍‌ବଲ୍ ଏବଂ ଖୋ ଖୋ ଖେଳି ଗୌରବ ଆଣିଥିବା ମିଳିଛି ଏଭଳି ପୁରସ୍କାର। ନିଜ ହକ୍‌ ପାଇଁ ସଂଗ୍ରାମ ଏବଂ ସଂଘର୍ଷମୟ ଜୀବନ ବିତାଉଛନ୍ତି। ଶୁଭାରାଣୀଙ୍କ ସଂଘର୍ଷମୟ କାହାଣୀ ସମ୍ପର୍କରେ ଶୁକ୍ରବାର ‘ସମ୍ବାଦ’ରେ ଏକ ବିଶେଷ ବିବରଣୀ ପ୍ରକାଶ ପାଇଥିଲା। ଏଥି ପାଇଁ ତାଙ୍କ ନିକଟକୁ ସମର୍ଥନ ଏବଂ ସମବେଦନାର ସୁଅ ଛୁଟିଛି। କ୍ରୀଡ଼ାବିତ୍ ଭତ୍ତା ପାଇବା ପ୍ରକାର ନିଶ୍ଚିତ ହୋଇଥିବା ବେଳେ ଏକ ଶିକ୍ଷାନୁଷ୍ଠାନ ମଧ୍ୟ ନିଯୁକ୍ତି ଦେବା କଥା ବିଚାର କରୁଛି। ଶୁଭାରାଣୀକୁ ଭୁଲି ନାହାନ୍ତି ସେହି ପ୍ରଥମ ଜାତୀୟ ପଦାର୍ପଣ ଓଡ଼ିଶା ଦଳର ପ୍ରଶିକ୍ଷକ ଚନ୍ଦନ ଚନ୍ଦା। ଶୁଭାରାଣୀ ଜଣେ ଭଲ ଖେଳାଳି ଥିଲା, ଅଧିନାୟକତ୍ବ କରିନଥିଲେ ମଧ୍ୟ ତା’ ପ୍ରଦର୍ଶନ ପ୍ରଶଂସନୀୟ ଥିଲା ବୋଲି ‘ସମ୍ବାଦ’କୁ କୋଲକାତାରୁ ଟେଲିଫୋନ୍‌ ଯୋଗେ କହିଥିଲେ ଚନ୍ଦନ ସାର୍। ଶୁଭାରାଣୀ ସରକାରୀ ଅବହେଳାର ଶିକାର ହେବା ଏବଂ କଷ୍ଟକର ଜୀବନ ବିତାଇବା ଖବର ମୋତେ କଷ୍ଟ ଦେଇଛି ବୋଲି ମଧ୍ୟ ପ୍ରକାଶ କରିଥିଲେ ଏହି ଅବସରପ୍ରାପ୍ତ ସାଇ ପ୍ରଶିକ୍ଷକ। ରାଜ୍ୟ ମହିଳା ଫୁଟବଲ୍ ଦଳର ଅନ୍ୟ ଦୁଇ ଜଣ ଆଦ୍ୟ ପୁରୁଷ ସହଦେବ ରାଉତ ଏବଂ ନନ୍ଦ କିଶୋର ପଟ୍ଟନାୟକ ବି ସ୍ପଷ୍ଟ କରିଛନ୍ତି ଶୁଭାରାଣୀ ଦଳର ନେତୃତ୍ବ ନେଇନଥିଲେ ମଧ୍ୟ ଜଣେ ଚମତ୍କାର ଖେଳାଳି ଥିଲେ।

ସମ୍ବନ୍ଧିତ ଖବର