କଟକ: ଜାତୀୟ ମହିଳା ଫୁଟବଲ୍ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ରେ ଓଡ଼ିଶା ପ୍ରବେଶ କରିଛି। ଶନିବାର ତେଲେଙ୍ଗାନାକୁ ୫-୦ ଗୋଲ୍ରେ ପରାସ୍ତ କରି ଓଡ଼ିଶା ଗ୍ରୁପ୍ ସି’ ବିଜେତା ସହ ଏହି ଯୋଗ୍ୟତା ଅର୍ଜନ କରିଛି। ଓଡ଼ିଶା ପାଇଁ ଅଞ୍ଜୁ ତମଙ୍ଗ (୩୭ ଓ ୪୧ ମିନିଟ୍) ଦୁଇଟି, ଦମୟନ୍ତୀ ତିରିଆ (୩୯ ମିନିଟ୍), ଶୁଭଦ୍ରା ସାହୁ (୮୩ ମିନିଟ୍) ଓ ଆରତୀ ସେଠୀ (୮୭ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। କ୍ୱାର୍ଟର ଫାଇନାଲ୍ରେ ଓଡ଼ିଶାର ମୁକାବିଲା ପଶ୍ଚିମବଙ୍ଗ ସହିତ ହେବ। ପଶ୍ଚିମବଙ୍ଗ ଶନିବାର ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ରେ ଗୁଜୁରାଟକୁ ୧୮-୦ ଗୋଲ୍ରେ ହରାଇ ଗ୍ରୁପ୍ ବି’ ବିଜେତା ହୋଇଛି। ସନ୍ଧ୍ୟା କଚାପ ଏକାକି ୧୦ ଗୋଲ୍ ଦେଇଥିଲା ବେଳେ ଦୁଲାର ମାରାଣ୍ଡୀ ୫, ତୁଳସୀ ହେମ୍ବ୍ରମ୍ ୪୬ ମିନିଟ୍ ଓ ସୁମିତ୍ରା ମାରାଣ୍ଡୀ ୯୨ ମିନିଟ୍ରେ ଗୋଲ୍ ଦେଇଥିଲେ। ମ୍ୟାଚ୍ର ୧୫ତମ ମିନିଟ୍ରେ ଗୁଜୁରାଟ ବିପକ୍ଷରେ ଏକ ଆତ୍ମଘାତୀ ଗୋଲ୍ ହୋଇଥିଲା। ସେହିପରି ହରିୟାଣା ଦୁଇଟି ମ୍ୟାଚ୍ ଜିତି ଗ୍ରୁପ୍ ଏ’ ବିଜେତା ହେବା ସହ କ୍ୱାର୍ଟର ଫାଇନାଲ୍ ଯୋଗ୍ୟତା ଅର୍ଜନ କରିଛି। ଶନିବାର ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ ହରିୟାଣା ୧୧-୦ ଗୋଲ୍ରେ ଉତ୍ତରପ୍ରଦେଶକୁ ଓ ରେଳବାଇ ୯-୦ ଗୋଲ୍ରେ ଗୋଆକୁ ହରାଇଛନ୍ତି।