କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଜାତୀୟ ମହିଳା ଫୁଟ୍ବଲ୍ ପ୍ରତିଯୋଗିତାରେ ଗୁରୁବାର ଝାଡ଼ଖଣ୍ଡ, ମଣିପୁର, ଦିଲ୍ଲୀ ବିଜୟୀ ହୋଇଛନ୍ତି। ଝାଡ଼ଖଣ୍ଡ ୫-୧ ଗୋଲ୍ରେ ଅରୁଣାଚଳ ପ୍ରଦେଶକୁ ପରାସ୍ତ କରିଛି। ବିଜୟୀ ଦଳର ପ୍ରତୀକ୍ଷା ଲାକ୍ରା ୯ ଓ ୯୩ ମିନିଟ୍, ପୂଜା କୁମାରୀ ୩୬ ମିନିଟ୍, ଉର୍ମିଳା ସିଂହ ୩୮ ମିନିଟ୍, ଗୋରତି ବା’ ୭୮ ମିନିଟ୍ରେ ଗୋଲ୍ ଦେଇଥିଲା ବେଳେ ଅରୁଣାଚଳର ତାମ୍ଚି ୟାପି ୫୪ ମିନିଟ୍ରେ ଗୋଟିଏ ଗୋଲ୍ ଶୁଝି ଦେଇଥିଲେ। ଅନ୍ୟ ଏକ ମ୍ୟାଚ୍ରେ ମଣିପୁର ୬-୧ ଗୋଲ୍ରେ ମହାରାଷ୍ଟ୍ରକୁ ହରାଇଛି। ମଣିପୁର ଅଧିନାୟିକା ଏନ୍ଜି ବାଲାଦେବୀ (୧୯, ୨୬, ୬୬, ୯୧ ମିନିଟ୍) ଏକାକି ୪ ଗୋଲ ଦେଇଥିଲା ବେଳେ ଦଙ୍ଗମୟୀ ଗ୍ରେସ୍ (୭୩ ଓ ୮୦ ମିନିଟ୍) ଦୁଇଟି ଗୋଲ୍ କରିଥିଲେ। ମହାରାଷ୍ଟ୍ରର ଆଫ୍ରିନ୍ ପିରଭୋୟ ୪୩ ମିନିଟ୍ରେ ପେନାଲ୍ଟି ଜରିଆରେ ଗୋଟିଏ ଗୋଲ୍ ଶୁଝି ଦେଇଥିଲେ।
ଆଉ ଏକ ମ୍ୟାଚ୍ରେ ଦିଲ୍ଲୀ ୨-୦ ଗୋଲ୍ରେ ଆସାମକୁ ହରାଇଥିଲା। ଲାଇସରାମ ଚାନୁ (୧୧ ମିନିଟ୍) ଓ ଡାଲିମା ଛିବେର (୩୬ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ତେବେ ଗୋଆ ଓ ତାମିଲନାଡ଼ୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୧-୧ ଗୋଲ୍ରେ ଅମୀମାଂସିତ ରହିଥିଲା। ମ୍ୟାଚର ୧୦ ମିନିଟ୍ରେ ତାମିଲନାଡ଼ୁର ଇନ୍ଦୁମତୀ ପ୍ରଥମ ଗୋଲ୍ ଦେଇଥିଲା ବେଳେ ଦ୍ୱିତୀୟାର୍ଧରେ ବଦଳ ଖେଳାଳି କରିନ୍ କୋଷ୍ଟା (୯୨ ମିନିଟ୍, ଅତିରିକ୍ତ ସମୟରେ) ଗୋଲ୍ ଶୁଝି ଦେଇଥିଲେ।