କଟକ: ବାରବାଟୀ ଷ୍ଟାଡିୟମରେ ୨୩ତମ ଜାତୀୟ ବରିଷ୍ଠ ମହିଳା ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚରେ ପଞ୍ଜାବ ୧-୦ ଗୋଲରେ ଝାଡ଼ଖଣ୍ଡକୁ ହରାଇଛି। ପ୍ରଥମ ଦିନରେ ଖେଳାଯାଇଥିବା ଅନ୍ୟ ମ୍ୟାଚଗୁଡ଼ିକ ମଧ୍ୟରେ ତାମିଲନାଡୁ ୫-୦ ଗୋଲରେ ସିକିମ୍କୁ, ଦିଲ୍ଲୀ ୭-୦ ଗୋଲରେ ଛତିଶଗଡ଼କୁ ଓ ମଣିପୁର ୧୮-୦ ଗୋଲରେ ରାଜସ୍ଥାନକୁ ହରାଇଛନ୍ତି। ସଂଧ୍ୟାରେ କ୍ରୀଡ଼ା ସଚିବ ବିଶାଲ କୁମାର ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫାଓ ସଭାପତି ତଥା ବିଧାୟକ ଦେବାଶିଷ ସାମନ୍ତରାୟ, ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା, ଏଆଇଏଫ୍ଏଫ୍ର ସହକାରୀ ପରିଚାଳକ ସପ୍ନା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫାଓ ଉପ ସଭାପତି ବିଜୟ ଦାଶ, ତଡିତ କୁମାର ରାଉତ, ଭକ୍ତବଲ୍ଲଭ ଦାସ, ଯୁଗ୍ମ ସମ୍ପାଦକ ଅଭିଜିତ ପାଲ, ବିଜୟ କୁମାର ଦାସ, ସଙ୍ଗୀତା ଶର୍ମା, ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ ପଲେଇ, ଓଡ଼ିଶା ବାସ୍କେଟବଲ୍ ସମ୍ପାଦକ ଜ୍ଞାନରଂଜନ ପରିଡ଼ା, ଓଡ଼ିଶା ଜିମ୍ନାଷ୍ଟିକ୍ ସଂଘ ସମ୍ପାଦକ ଅଶୋକ ସାହୁ, ଓଡ଼ିଶା ଟେବୁଲ୍ ଟେନିସ୍ ସଂଘ ସମ୍ପାଦକ ରବୀନ୍ଦ୍ର ପରିଡ଼ା, ବିଶ୍ୱରଞ୍ଜନ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ମୋଟ ୩୦ ଦଳ ଅଂଶଗ୍ରହଣ କରିଛନ୍ତି। ଦଳଗୁଡ଼ିକୁ ନେଇ ୮ଗ୍ରୁପ୍ କରାଯାଇଛି। ଓଡ଼ିଶା ଗ୍ରୁପ୍ ଜି’ରେ ସ୍ଥାନ ପାଇଥିଲା ବେଳେ ତ୍ରିପୁରା ଓହରିଯାଇଥିବାରୁ ଏହି ଗ୍ରୁପ୍ରେ ଅନ୍ୟତମ ଦଳ ଭାବେ ଗୁଜୁରାଟ ସ୍ଥାନ ପାଇଛି। ଏହି ଦୁଇ ଦଳ ମଧ୍ୟରେ ୩୧ ଓ ଫେବ୍ରୁଆରି ୨ ତାରିଖରେ ମ୍ୟାଚ୍ ଖେଳାଯିବ। ପ୍ରତ୍ୟେକ ଗ୍ରୁପ୍ର ବିଜେତା କ୍ୱାର୍ଟର ଫାଇନାଲ୍ ଖେଳିବେ। ଫେବ୍ରୁଆରି ୯ରୁ ନକ୍ଆଉଟ ପର୍ଯ୍ୟାୟ ଆରମ୍ଭ ହେବ। ୧୨ରେ ସେମିଫାଇନାଲ୍ ଓ ୧୪ରେ ଫାଇନାଲ୍ ଖେଳାଯିବ।
ଆସିଛନ୍ତି ଦୁଇ ଚୟନକର୍ତ୍ତା ମାୟମଲ, ରୋନି
ଭାରତୀୟ ଶିବିର ପାଇଁ ଖେଳାଳି ଚୟନ କରିବା ପାଇଁ ଏଆଇଏଫ୍ଏଫ୍ର ଦୁଇ ଜଣ ଚୟନକର୍ତ୍ତା ଗୋଆର ମାୟମଲ୍ ରକି ଓ ମଣିପୁରର ରୋନି ବାଲା ଚାନୁ କଟକ ଆସିଛନ୍ତି। ପ୍ରତ୍ୟେକ ମ୍ୟାଚକୁ ଉଭୟ ନୀରିକ୍ଷଣ କରୁଥିବା ବେଳେ ନକ୍ଆଉଟ୍ ପର୍ଯ୍ୟାୟଠୁ ଚୟନ ପ୍ରକ୍ରିୟା ଜୋର୍ଦାର ହେବ ବୋଲି ସୂଚନା ଦେଇଛନ୍ତି। ମାୟମୋଲ ବର୍ତ୍ତମାନ ଭାରତୀୟ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଥିବାବେଳେ ରୋନି ଗୋଲ ରକ୍ଷକ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। କିଛି ଦିନ ପରେ ଭାରତୀୟ ମହିଳା ଦଳର ସହକାରୀ ପ୍ରଶିକ୍ଷକ ଚୋଭା ଦେବୀ ମଧ୍ୟ ଅନ୍ୟତମ ଚୟନକର୍ତ୍ତା ଭାବେ କଟକରେ ପହଞ୍ଚିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/18-23rd-Senior-Womens-National-Football-Championship-Ra-Udghatana-Uschaba-9.jpg)