ମହିଳା ହକି ଜାତୀୟ ଶିବିରରେ ୬ ଓଡ଼ିଆ: ଜାତୀୟ କନିଷ୍ଠ ହକି କ୍ବାର୍ଟରରେ ଓଡ଼ିଶା

ନୂଆଦିଲ୍ଲୀ: ବେଙ୍ଗାଲୁରୁସ୍ଥିତ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) କ୍ୟାମ୍ପସ୍‌ରେ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ଭାରତୀୟ ବରିଷ୍ଠ ମହିଳା ହକି ଶିବିର। ଏହି ଶିବିର ପାଇଁ ହକି ଇଣ୍ଡିଆ ଶନିବାର ଏକ ୩୩ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କ ତାଲିକା ଘୋଷଣା କରିଛି। ସେଥିରେ ଓଡ଼ିଶାରୁ ୬ ଜଣ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଡିଫେଣ୍ଡର ଦୀପ୍‌ଗ୍ରେସ୍‌ ଏକ୍କା, ସୁନିତା ଲାକ୍ରା, ରଶ୍ମିତା ମିଞ୍ଜ୍‌, ମିଡ୍‌ ଫିଲ୍‌ଡର ଲିଲିମା ମିଞ୍ଜ୍‌, ନମିତା ଟପ୍ପୋ ଓ ଫରୱାର୍ଡ ଅନୁପା ବାର୍ଲା। ମନୋନୀତ ସମସ୍ତ ଖେଳାଳି ୨୫ ତାରିଖ ଦିନ ସାଇରେ ମୁଖ୍ୟ ପ୍ରଶିକ୍ଷକ ଜ‌ୋଏର୍ଡ ମାରିନ୍‌ଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ୫ ସପ୍ତାହବ୍ୟାପୀ ଆୟୋଜିତ ଏହି ଶିବିର ମାର୍ଚ ୩୧ ତାରିଖରେ ଶେଷ ହେବ। ଶିବିରରେ ବିଶେଷକରି ବଲ୍‌କୁ ନିୟତ୍ରଣ କରିବାରେ ଗତି ଓ ସାମର୍ଥ୍ୟ ଉପରେ ଅଧିକ ଜୋର୍‌ ଦିଆଯିବ। ଫିଟ୍‌ନେସ୍‌ ଉପରେ ମଧ୍ୟ ଜୋର୍‌ ଦିଆଯିବ। ଏହି ଶିବିରରେ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଆଗାମୀ ମାଲେସିଆ ଗସ୍ତ ପାଇଁ ଦଳ ଚୟନ କରାଯିବ।

କଟକ: ମହାରାଷ୍ଟ୍ରର ଔରଙ୍ଗାବାଦରେ ଚାଲିଥିବା ନବମ ଜାତୀୟ କନିଷ୍ଠ ହକି ପ୍ରତିଯୋଗିତା (ଡିଭିଜନ୍‌-ଏ)ରେ ଓଡ଼ିଶା କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ଶନିବାର ଓଡ଼ିଶା ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ବିହାରକୁ ୨-୦ ଗୋଲ୍‌ରେ ପରାସ୍ତ କରି ଏହି ଯୋଗ୍ୟତା ଅର୍ଜନ କରିଛି। ମ୍ୟାଚ୍‌ର ୩୧ ମିନିଟ୍‌ରେ ସୁଶୀଲ ଧନଵର ପେନାଲ୍‌ଟି କର୍ଣ୍ଣର ଜରିଆରେ ପ୍ରଥମ ଗୋଲ୍‌ ଦେଇଥିଲା ବେଳେ ୪୫ ମିନିଟ୍‌ରେ ସୁଶାନ୍ତ ଟପ୍ପୋ ଦ୍ବିତୀୟ ଗୋଲ୍‌ ଦେଇ ଓଡ଼ିଶାକୁ ଅଗ୍ରଣୀ ରଖିଥିଲେ। ହେଲେ ନିର୍ଧାରିତ ସମୟ ସୁଦ୍ଧା ବିହାର କୌଣସି ଗୋଲ୍‌ ନ ଦେବାରୁ ଓଡ଼ିଶା କ୍ବାର୍ଟର ଫାଇନାଲ୍‌ ଯୋଗ୍ୟତା ହାସଲ କରିଥିଲା। ଏଥିପୂର୍ବରୁ ଲିଗ୍‌ ପର୍ଯ୍ୟାୟରେ ଷ୍ଟିଲ୍‌ ପ୍ଲାଣ୍ଟ ସ୍ପୋର୍ଟ୍ସ ବୋର୍ଡ ସହିତ ୧-୧ ଗୋଲ୍‌ ଅମୀମା˚ସିତ ରହିଥିଲା ବେଳେ ପଞ୍ଜାବ ଓ ସିନ୍ଧ୍‌ ବ୍ୟାଙ୍କକୁ ୧-୦ ଗୋଲ୍‌, ଭାରତୀୟ କ୍ରୀଡ଼ା ପ୍ରାଧିକରଣକୁ ୧-୦ ଗୋଲ୍‌ରେ ଓଡ଼ିଶା ହରାଇଥିଲା। ଶନିବାର ବିଜୟ ସହ ଓଡ଼ିଶା ପୁଲ୍‌-ଡିରେ ସର୍ବାଧିକ ୧୦ ପଏଣ୍ଟ୍‌ ସହ ପ୍ରଥମ ସ୍ଥାନରେ ରହିଥିଲା ବେଳେ ସାଇ ୯ ପଏଣ୍ଟ୍‌ ସହ ଦ୍ବିତୀୟ ସ୍ଥାନରେ ରହି କ୍ବାର୍ଟର ଫାଇନାଲ୍‌ ପ୍ରବେଶ କରିଛି। କ୍ବାର୍ଟର ଫାଇନାଲ୍‌ରେ ଓଡ଼ିଶାର ମୁକାବିଲା ଗ୍ରୁପ୍‌-ସି’ର ଦ୍ବିତୀୟ ସ୍ଥାନରେ ଅଭିଯାନ ଶେଷ କରିଥିବା ଗାଙ୍ଗ୍‌ପୁର-ଓଡ଼ିଶା ଦଳ ସହ ହେବ। ଏହି ମ୍ୟାଚ୍‌ ୨୫ ତାରିଖ ଦିନ ଖେଳାଯିବ।

ସମ୍ବନ୍ଧିତ ଖବର