ଯୁଗଳ ସେମିରେ ଅମୀକ-ଋତୁପର୍ଣ୍ଣା

ସର୍ବଭାରତୀୟ ମହିଳା ଟେନିସ୍‌ 

ମେଣ୍ଢାଶାଳ/ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳସ୍ଥିତ ଗୁରୁକୁଳ ଟେନିସ୍‌ ଏକାଡେମିରେ ଚାଲିଥିବା ସର୍ବଭାରତୀୟ ମହିଳା ଟେନିସ୍‌ (ଆଇଟା-ଓଟା ୫୦,୦୦୦ ମାନ୍ୟତା) ପ୍ରତିଯୋଗିତାରେ ଓଡ଼ିଆ ତାରକା ଋତୁପର୍ଣ୍ଣା ଚୌଧୁରୀ ଏବଂ ଅମୀକ କିରଣ ବଥଙ୍କୁ ବୁଧବାର ମିଶ୍ର ଫଳ ମିଳିଛି। ଯୁଗଳରେ ଉଭୟ ସେମିଫାଇନାଲ୍‌ ପହଞ୍ଚିଥିଲେ ମଧ୍ୟ ଏକକରେ କ୍ୱାର୍ଟର୍‌ ଫାଇନଲ୍‌ରୁ ହାରି ବିଦାୟ ନେଇଥିଲେ। ଏକକ କ୍ୱାର୍ଟର ଫାଇନାଲ୍‌ରେ ଋତୁପର୍ଣ୍ଣା ୨-୬, ୩-୬ ସେଟ୍‌ରେ ତୃତୀୟ ମାନ୍ୟତା ମହାରାଷ୍ଟ୍ରର ଶ୍ରୀସ୍ତି ଦାସଙ୍କଠୁ ଏବଂ ଅମୀକ ୫-୭, ୬-୪, ୨-୬ ସେଟ୍‌ରେ ଦ୍ୱିତୀୟ ମାନ୍ୟତା କର୍ଣ୍ଣାଟକର ବଂଶିତା ପଠାନିଆଙ୍କଠୁ ପରାସ୍ତ ହୋଇଥିଲେ। ହେଲେ ଯୁଗଳ କ୍ୱାର୍ଟର୍‌ ଫାଇନାଲ୍‌ରେ ଉଭୟ ଋତୁପର୍ଣ୍ଣା ଓ ଅମୀକ୍‌ ସାଥୀ ହୋଇ ୩-୬, ୬-୩, ୧୦-୫ରେ ଦ୍ୱିତୀୟ ମାନ୍ୟତା ଝାଡ଼ଖଣ୍ଡ-ପଶ୍ଚିମବଙ୍ଗ ଯୋଡ଼ି ଅଭିସ୍କା ଗୁପ୍ତା ଓ ଶ୍ରୁତି ଗୁପ୍ତାଙ୍କୁ ହରାଇ ଦେଇଥିଲେ। ତେବେ ମହାରାଷ୍ଟ୍ରର ଇଶ୍ୱରୀ ମାତେରୀଙ୍କୁ ସାଥୀ କରି ଖେଳୁଥିବା ଓଡ଼ିଶାର ଅନାମ ଆଲ୍‌ମସ୍‌ ୧-୬, ୪-୬ ସେଟ୍‌ରେ ମହାରାଷ୍ଟ୍ର-କର୍ଣ୍ଣାଟକ ଯୋଡ଼ି ଶ୍ରୀସ୍ତି ଦାସ ଓ ବଂଶିତା ପଠାନିଆଠୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର