ଭୁବନେଶ୍ବର: ଶନିବାର ବେଙ୍ଗାଲୁରୁଠାରେ ୨୦୨୧-୨୨ ଋତୁ ଜାତୀୟ ମହିଳା ଦିନିକିଆ ପ୍ରତିଯୋଗିତା ଶେଷ ହୋଇଛି। ଫାଇନାଲରେ କର୍ଣ୍ଣାଟକକୁ ପରାସ୍ତ କରି ରେଳବାଇ ପୁଣି ଥରେ ବିଜେତା ହୋଇଛି। ରେଳବାଇ ନିକଟରୁ କ୍ବାର୍ଟର ଫାଇନାଲରେ ହାରିଥିବା ଓଡ଼ିଶା ଦଳର ୨ ଜଣ ଖେଳାଳି କିନ୍ତୁ ପ୍ରଭାବୀ ପ୍ରଦର୍ଶନ କରି ଅଗ୍ରଣୀ ବ୍ୟାଟର୍ ଓ ବୋଲର୍ ତାଲିକାରେ ଯୁଗ୍ମ ୨ ଭିତରେ ରହିଛନ୍ତି। ଚମତ୍କାର ଫର୍ମରେ ଥିବା ଅନ୍ତର୍ଜାତୀୟ ବ୍ୟାଟର୍ ମାଧୁରୀ ମେହେଟା ଏବଂ ଉତ୍ତର ପ୍ରଦେଶର ମୁସ୍କାନନ ମଲ୍ଲିକ ମସାନ ୩୬୪ ରନ୍ ଲେଖାଏଁ ସଂଗ୍ରହ କରି ଯୁଗ୍ମ ଦ୍ବିତୀୟରେ ରହିଛନ୍ତି। ରେଳବାଇର ମେଘନା ସିଂହ ୩୮୮ ରନ୍ ସହ ଶୀର୍ଷରେ ରହିଛନ୍ତି। ବେଙ୍ଗଲ୍ର ଧାରା ଗୁଜର (୩୫୫), କର୍ଣ୍ଣାଟକର ହି ବ୍ରିନ୍ଦା (୩୪୮) ପରବର୍ତୀ ୨ ସ୍ଥାନରେ ରହିଛନ୍ତି। ଓଡ଼ିଶା ପାଇଁ ଦ୍ବିତୀୟ ସର୍ବାଧିକ ୨୩୧ ରନ୍ ସଂଗ୍ରହ କରିଥିବା ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ବ୍ୟାଟିଂର ୨୧ତମ ସ୍ଥାନରେ ରହିଥିଲେ। ବୋଲିଂରେ ସୁଶ୍ରୀ ୬ ୱିକେଟ୍ ଅକ୍ତିଆର କରି ଅଲରାଉଣ୍ଡ୍ ପ୍ରଦର୍ଶନ ଦେଖାଇଥିଲେ।
ସେହିଭଳି ବୋଲିଂ ତାଲିକାରେ ଉତ୍ତରପ୍ରଦେଶର ରାଶି କାନୋଜିଆ ଏବଂ ପଞ୍ଜାବର କନିକା ଆହୂଜା ସର୍ବାଧିକ ୧୫ ଲେଖାଏଁ ୱିକେଟ୍ ନେଇ ମିଳିତ ଶୀର୍ଷରେ ରହିଥିବା ବେଳେ ଓଡ଼ିଶାର ଅନ୍ୟତମ ଅନ୍ତର୍ଜାତୀୟ କ୍ରିକେଟର୍ ରସନାରା ପରବିନ୍ଙ୍କ ସହ ଅନ୍ୟ ୩ ଜଣ ସମାନ ୧୪ ଲେଖାଏଁ ୱିକେଟ୍ ନେଇ ମିଳିତ ଦ୍ବିତୀୟ ଏବଂ ମୋଟ ଉପରେ ଷଷ୍ଠ ସ୍ଥାନରେ ରହିଥିଲେ। ଓଡ଼ିଶା ପାଇଁ ଦ୍ବିତୀୟ ସର୍ବାଧିକ ୧୧ ୱିକେଟ୍ ନେଇଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ୧୬ତମ ସ୍ଥାନରେ ଏବଂ ବେଙ୍ଗଲ ପାଇଁ ଖେଳୁଥିବା ଓଡ଼ିଆ ଝିଅ ସୁକନ୍ୟା ପରିଡ଼ା ୧୦ ୱିକେଟ୍ ସହ ୨୧ତମ ସ୍ଥାନରେ ରହିଛନ୍ତି।
ସ୍ବାଗତିକାଙ୍କୁ ପଞ୍ଚମ ଟ୍ରଫି
ଶନିବାର ଶେଷ ହୋଇଥିବା ଜାତୀୟ ଦିନିକିଆ ମହିଳା ପ୍ରତିଯୋଗିତାରେ ରେଳବାଇ ବିଜେତା ହୋଇଥିବା ବେଳେ ଏହି ଦଳର ଓଡ଼ିଆ ଝିଅ ସ୍ବାଗତିକା ରଥ ପଞ୍ଚମ ଥର ପାଇଁ ଜାତୀୟ ଟ୍ରଫି ତୋଳି ଧରିବାର ସୁଯୋଗ ପାଇଥିଲେ। ଫାଇନାଲରେ ସ୍ବାଗତିକା ଦୁଇଟି ଗୁରୁତ୍ବପୂର୍ଣ୍ଣ ୱିକେଟ୍ ସହ ପ୍ରତିଯୋଗିତାରେ ମୋଟ ୮ ୱିକେଟ୍ ନେଇଥିଲେ। ପୂର୍ବରୁ ସ୍ବାଗତିକା ତାରକା ଖଚିତ ରେଳବାଇ ପାଇଁ ୨୦୧୭-୧୮ ଓ ୨୦୨୦-୨୧ରେ ଦିନିକିଆ ଟ୍ରଫି ଏବଂ ୨୦୧୬-୧୭ ଓ ୨୦୧୯-୨୦ରେ ଟ୍ବେଣ୍ଟି-୨୦ ଜାତୀୟ ଟ୍ରଫି ଜିତିବାର ଗୌରବ ପାଇଥିଲେ। ଏକଦା ଓଡ଼ିଶା ଘରୋଇ କ୍ରିକେଟରେ ପରଫେକ୍ଟ ଟେନ୍ ଅର୍ଜନ କରିଥିବା ଏହି ଯାଜପୁର ଝିଅ ୨୦୧୩ରେ ଭାରତୀୟ ଦଳରୁ ୩ଟି ଦିନିକିଆ ଏବଂ ୨ଟି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି।