ଭୁବନେଶ୍ବର: ମହିଳା ଫୁଟ୍‌ବଲ୍‌ ଇତିହାସରେ ଓଡ଼ିଶାର ଚିର ପ୍ରତିଦ୍ବନ୍ଦ୍ବୀ ଭାବେ ‌ମଣିପୁର ଓ ବେଙ୍ଗଲ୍ ରହି ଆସିଛନ୍ତି। ଏବେ ମଣିପୁର ପୁଣି ଓଡ଼ିଶାର ବାଟରେ ଛିଡ଼ା ହୋଇଛି। କେରଳର କୋଝିକୋଡ଼ଠାରେ ଚାଲିଥିବା ଜାତୀୟ ବରିଷ୍ଠ ମହିଳା ପ୍ରତିଯୋଗିତାରର ସେମିଫାଇନାଲରେ ମଙ୍ଗଳବାର ଓଡ଼ିଶା ଭେଟିବ ୯ ଥର ବିଜେତା ମଣିପୁରକୁ। ଅତୀତରେ ବହୁବାର ମଣିପୁରକୁ ଓଡ଼ିଶା କଡ଼ା ଟକ୍କର ଦେଇଥିବାରୁ ଏଥର ଜଗନ୍ନାଥଙ୍କ ଆଶୀର୍ବାଦ ଓ ଖେଳାଳିଙ୍କ ମନୋବଳ ବଳର ରାଜ୍ୟ ଖେଳାଳିମାନେ ଫାଇନାଲ୍ ପ୍ରବେଶ କରିବେ ବୋଲି ଆଶା ରଖିଛନ୍ତି ଓଡ଼ିଶା ଦଳର ସହକାରୀ ପ୍ରଶିକ୍ଷକ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ। ‌

Advertisment

ଖେଳାଳିମାନେ ମଙ୍ଗଳବାରର ସେମିଫାଇନାଲ୍ ପାଇଁ ଆତ୍ମବିଶ୍ବାସରେ ଥିବା କହିଛନ୍ତି ଏହି ପୂର୍ବତନ ଜାତୀୟ ଦଳ ଅଧିନାୟିକା। ସୂଚନାଯୋଗ୍ୟ, ଓଡ଼ିଶା ନିଜର ସମସ୍ତ ୪ ମ୍ୟାଚ୍‌ ଖେଳି ୨୦ ଗୋଲ୍ ଦେଇଥିବା ବେଳେ ମାତ୍ର ଗୋଟିଏ ବରଣ କରିଛି। ଆନ୍ଧପ୍ରଦେଶକୁ ୯-୦ରେ, ଗୁଜରାଟକୁ ୭-୦ରେ, ହରିୟାଣାକୁ ୨-୧ରେ ଏବଂ କ୍ବାର୍ଟରଫାଇନାଲରେ ତାମିଲନାଡୁକୁ ୨-୦ରେ ପରାସ୍ତ କରିଛି। ଓଡ଼ିଶା ସପ୍ତମ ଥର ପାଇଁ ଫାଇନାଲ୍ ଖେଳିବା ଲକ୍ଷ୍ୟରେ ରହିଛି। ପୂର୍ବରୁ ଓଡ଼ିଶା ୨୦୧୧ରେ ଥରେ ମାତ୍ର ବିଜେତା ହୋଇଥିବା ବେଳେ ଶେଷ ଥର ପାଇଁ ୨୦୧୮-୧୯ କଟକ ଫାଇନାଲ୍‌ରେ ମଣିପୁରଠାରୁ ୧-୨ରେ ହାରି ପଞ୍ଚମ ଥର ଉପବିଜେତା ହୋଇଥିଲା।