ଜାତୀୟ ମହିଳା ଫୁଟ୍‌ବଲ: ବଡ଼ ବିଜୟରୁ ଓଡ଼ିଶାର ଅଭିଯାନ

ମାଳତୀଙ୍କ ହ୍ୟାଟ୍ରିକ: ଆନ୍ଧ୍ରପ୍ରଦେଶକୁ ୮-୦ରେ ହରାଇଲା

ଭୁବନେଶ୍ବର: ଗୋଆରେ ଚାଲିଥିବା ହିରୋ ୨୭ତମ ବରିଷ୍ଠ ମହିଳା ଫୁଟ୍‌ବଲ ପ୍ରତିଯୋଗିତାରେ ଓଡ଼ିଶା ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି। ମାଳତୀ ମୁଣ୍ଡାଙ୍କ ହ୍ୟାଟ୍ରିକ୍ ବଳରେ ଫତୋର୍ଦାର ପିଜେଏନ୍‌ ଷ୍ଟାଡିୟମ୍‌ରେ ଶନିବାର ନିଜର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୮-୦ ଗୋଲ୍‌ରେ ଆନ୍ଧ୍ର ପ୍ରଦେଶକୁ ପରାସ୍ତ କରିଛି। ଓଡ଼ିଶା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିଲା ବେଳେ ପ୍ରଥମାର୍ଦ୍ଧରେ ୬ ଓ ଦ୍ବିତୀୟାର୍ଦ୍ଧରେ ୨ ଗୋଲ୍‌ ଲଦି ଦେଇଥିଲା। ମିଡ୍‌ ଫିଲ୍‌ଡର ସୁମିତ୍ରା ହେମ୍ବ୍ରମ୍‌ ୧୭ ମିନିଟ୍‌ରେ ଓଡ଼ିଶା ପାଇଁ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲେ।

ଏହାପରେ ୧୭ ଓ ୨୮ ମିନିଟ୍‌ରେ ଲାଗ ଲାଗ ଦୁଇଟି ଗୋଲ୍‌ କରି ଫରୱାର୍ଡ ଦୀପା ନାୟକ ବ୍ୟବଧାନ ୩-୦ରେ ପହଞ୍ଚାଇଥିଲେ। ୪୩ ମିନିଟ୍‌ରେ ମିଡ୍‌ ଫିଲ୍‌ଡର ଲାଲରମ୍ପାରି ହଉହନାର ଗ୍ରେସ୍‌ ଓଡ଼ିଶା ପାଇଁ ଚତୁର୍ଥ ଗୋଲ୍‌ କରିଥିଲା ବେଳେ ୪୫ ଓ ୪୫+୨ ମିନିଟ୍‌ରେ ଫରୱାର୍ଡ ମାଳତୀ ମୁଣ୍ଡା ଲାଗ ଲାଗ ଦୁଇଟି ଗୋଲ୍‌ କରିବାରୁ ପ୍ରଥମାର୍ଦ୍ଧ ଓଡ଼ିଶା ସପକ୍ଷରେ ୬-୦ରେ ରହିଥିଲା। ଦ୍ବିତୀୟାର୍ଦ୍ଧରେ ମଧ୍ୟ ଆନ୍ଧ୍ର ପ୍ରଦେଶ ଗୋଲ୍‌ ସୁଯୋଗ ପାଇନଥିଲା। ବରଂ ୫୦ ମିନିଟ୍‌ରେ ମାଳତୀ ବ୍ୟକ୍ତିଗତ ତୃତୀୟ ଗୋଲ୍‌ କରି ହ୍ୟାଟ୍ରିକ୍‌ ଅର୍ଜନ କରିଥିଲା ବେଳେ ୫୩ ମିନିଟ୍‌ରେ ଫରୱାର୍ଡ ଯଶୋଦା ମୁଣ୍ଡା ନିଜର ପ୍ରଥମ ତଥା ଦଳ ପାଇଁ ଶେଷ ଗୋଲ୍‌ କରିଥିଲେ।

ସମ୍ବନ୍ଧିତ ଖବର