ଜାତୀୟ ମହିଳା ଫୁଟବଲ୍‌: ଓଡ଼ିଶା-ହିମାଚଳ ପ୍ରଦେଶ ମ୍ୟାଚ୍‌ ଅମୀମାଂସିତ

ଭୁବନେଶ୍ବର : ଗୋଆର ଫତୋର୍ଦ୍ଦାରେ ଚାଲିଥିବା ୨୭ ତମ ଜାତୀୟ ମହିଳା ଫୁଟବଲ୍‌ ପ୍ରତିଯୋଗିତାରେ ସୋମବାର ଓଡ଼ିଶା ଓ ହିମାଚଳ ପ୍ରଦେଶ ମ୍ୟାଚ୍‌ ଅମୀମାଂସିତ ରହିଛି। ଓଡ଼ିଶାର ମାଳତୀ ମୁଣ୍ଡା ଦ୍ବିତୀୟ ମିନିଟ୍‌ରେ ପ୍ରଥମ ଗୋଲ୍‌ ଦେଇଥିଲା ବେଳେ ୨୦ତମ ମିନିଟ୍‌ରେ ଯଶୋଦା ମୁଣ୍ଡା ବ୍ୟବଧାନ ୨-୦ କରିଥିଲେ। କିନ୍ତୁ ୬ ମିନିଟ୍‌ ପରେ ହିମାଚଳ ଅଧିନାୟିକା ରିୟା ଶର୍ମା ଗୋଟିଏ ‌ଗୋଲ୍‌ ଶୁଝିଥିଲେ ବି ୩୨ ତମ ମିନିଟ୍‌ରେ ସୁମିତ୍ରା ହେମ୍ବ୍ରମ୍‌ ଦଳର ତୃତୀୟ ଗୋଲ୍‌ ଦେଇଥିଲେ।

ପ୍ରଥମାର୍ଦ୍ଧ ସୁଦ୍ଧା ମ୍ୟାଚ୍‌ ୩-୧ରେ ଓଡ଼ିଶା ସପକ୍ଷରେ ଥିଲେ ମଧ୍ୟ ଦ୍ବିତୀୟାର୍ଦ୍ଧରେ ହିମାଚଳ ମହିଳା ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ୫୩ ମିନିଟ୍‌ରେ ପୁନମ ଓ ୭୦ ମିନିଟ୍‌ରେ ଅଞ୍ଜୁ ଦୁଇଟି ଗୋଲ୍‌ ଦେଇ ମ୍ୟାଚ୍‌କୁ ବରାବର କରି ଦେଇଥିଲେ। ଶେଷ ପର୍ଯ୍ୟନ୍ତ ଆଉ କୌଣସି ଗୋଲ୍‌ ନହେବାରୁ ମ୍ୟାଚ୍‌ ବିନା କୌଣସି ହାର୍‌ଜିତ୍‌ରେ ଶେଷ ହୋଇଥିଲା। ଗତ ମ୍ୟାଚ୍‌ରେ ଓଡ଼ିଶା ୮-୦ରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର