କଟକ: କୋଝିକୋଡ୍ରେ ଚାଲିଥିବା ବରିଷ୍ଠ ମହିଳା ଫୁଟ୍ବଲ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ଓଡ଼ିଶା ଲଢ଼ୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ପେନାଲ୍ଟିରେ ହାରି ବିଦାୟ ନେଇଛି। ବେଶ ଉତ୍କଣ୍ଠାପୂର୍ଣ୍ଣ ରହିଥିବା ମଙ୍ଗଳବାରର ଏହି ଦ୍ବିତୀୟ ସେମିଫାଇନାଲ୍ରେ ଓଡ଼ିଶାକୁ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ମଣିପୁର ୪-୧ (୧-୧)ରେ ପରାସ୍ତ କରିଥିଲା। ନିର୍ଧାରିତ ସମୟରେ ଓଡ଼ିଶା ଖେଳାଳିମାନେ କୌଣସି ଗୋଲ ଦେଇପାରିନଥିଲେ ସୁଦ୍ଧା ମ୍ୟାଚ୍ ୧-୧ ଗୋଲ୍ରେ ଅମୀମା˚ସିତ ରହିଥିଲା। ୧୧ତମ ମିନିଟ୍ରେ ପ୍ରତିପକ୍ଷର ଏକ ଆତ୍ମଘାତୀ ଗୋଲ ଯୋଗୁଁ ଓଡ଼ିଶା ଅଗ୍ରଣୀ ପାଇଥିଲା।
ଵାଇ ପାକ୍ପି ଦେବୀ ଏହି ଆତ୍ମଘାତୀ ଗୋଲ ଦେଇଥିଲେ। ୪୮ତମ ମିନିଟ୍ରେ ଵାଇ କିରଣବାଳା ଚାନୁ ଏକ ଗୋଲ୍ ଦେଇ ଓଡ଼ିଶାକୁ ଚାପରେ ରଖିଥିଲେ। ନିୟମିତ ୯୦ ମିନିଟ୍ ଏବଂ ଅତିରିକ୍ତ ୩୦ ମିନିଟ୍ ପରେ ମ୍ୟାଚ୍ ୧-୧ ଗୋଲ୍ରେ ଶେଷ ହେବାରୁ ଟାଇବ୍ରେକରକୁ ଯାଇଥିଲା। ବିଜେତା ମଣିପୁର ଦଳ ଏଥିରେ ବାଜି ମାରି ନେଇଥିଲା। ଏଥି ସହ ଓଡ଼ିଶା ସପ୍ତମ ଥର ଫାଇନାଲ୍କୁ ଯିବାରୁ ବଞ୍ଚିତ ହୋଇଥିଲା। ଫାଇନାଲରେ ମଣିପୁର ଭେଟିବ ରେଳବାଇ ଦଳକୁ।
ମଙ୍ଗଳବାର ସକାଳେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ମଧ୍ୟ ରେଳବାଇ ସମାନ ଢଙ୍ଗରେ ମିଜୋରାମକୁ ପେନାଲଟିରେ ପରାସ୍ତ କରିଥିଲା। ନିର୍ଦ୍ଧାରିତ ସମୟ ଏବଂ ଅତିରିକ୍ତ ସମୟରେ ମ୍ୟାଚ୍ ୧-୧ ଗୋଲ୍ରେ ଶେଷ ହୋଇଥିଲା। ପେନାଲ୍ଟି ବେଳକୁ ରେଳବାଇ ଅଳ୍ପକେ ବିଜୟ ୬-୫ରେ ଛଡ଼ାଇ ନେଇଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ବିତିବା ପରେ ମମତା ୭୦ତମ ମିନିଟରେ ରେଳବାଇକୁ ଆଗୁଆ କରିଥିଲେ। ଇନଜ୍ୟୁରି ସମୟରେ ସିଆମିଙ୍କ ଗୋଲ୍ ମିଜୋରାମକୁ ବରାବର ସ୍ତରକୁ ଆଣିଥିଲା।