ଜାତୀୟ ମହିଳା ହକି: ହିମାଚଳକୁ ୧୮-୦ରେ ହରାଇଲା ଓଡ଼ିଶା, ଦୀପ୍ତିଙ୍କୁ ୬, ଜାହ୍ନବୀଙ୍କୁ ହ୍ୟାଟ୍ରିକ୍‌

ଭୁବନେଶ୍ବର: ଝାନ୍‌ସିରେ ଚାଲିଥିବା ଏକାଦଶତମ ଜାତୀୟ ମହିଳା ହକି ପ୍ରତିଯୋଗତାରେ ଓଡ଼ିଶା ବୃହତ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପୁଲ୍‌-ଡି’ରେ ସ୍ଥାନ ପାଇଥିବା ଓଡ଼ିଶା ଶୁକ୍ରବାର ନିଜର ପ୍ରଥମ ମ୍ୟାଚ୍‌ରେ ଗୋଲ୍‌ ବର୍ଷା କରି ହକି ହିମାଚଳକୁ ୧୮-୦ରେ ପରାସ୍ତ କରିଦେଇଛି। ଓଡ଼ିଶା ପକ୍ଷରୁ ଦୀପ୍ତି ଲାକ୍ରା (୫, ୨୩, ୨୭, ୩୦, ୫୬, ୫୮ ମିନିଟ୍‌) ସର୍ବାଧିକ ୬ ଗୋଲ୍‌ ଦେଇଥିଲା ବେଳେ ଜାହ୍ନବୀ ପ୍ରଧାନ (୮, ୩୪, ୩୮ ମିନିଟ୍‌) ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ତାଙ୍କ ବ୍ୟତୀତ ନମ୍ରତା ଯଶ୍ମିନ ବାରା (୩୫, ୬୦ ମିନିଟ୍‌) ଦୁଇଟି, ଖୁସ୍‌ବୁ କୁଜୁର (୨ ମିନିଟ୍‌), ଅସିମ କାଞ୍ଚନ ବାର୍ଲା (୪ ମିନିଟ୍‌), ସୁଶାନ୍ତି ମିଞ୍ଜ (୧୧ ମିନିଟ୍‌), ଅବିନାଶି ମୁକ୍ତି ସୁରିନ (୨୦ ମିନିଟ୍‌), ରୋଜିତା କୁଜୁର (୩୦ ମିନିଟ୍‌), ରିଙ୍କି କୁଜୁର (୩୩ ମିନିଟ୍‌) ଏବଂ ସରିତା କେର୍କେଟ୍ଟା (୪୩ ମିନିଟ୍‌)‌ ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ିଥିଲେ। ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ରବିବାର ଛତିଶଗଡ଼କୁ ଭେଟିବ।

ଶୁକ୍ରବାର ପୁଲ୍‌-ଇ’ରେ ହକି ପଞ୍ଜାବ ୧୨-୦ ଗୋଲ୍‌ରେ ଆନ୍ଧ୍ରପ୍ରଦେଶକୁ ଓ ହକି ଚଣ୍ଡିଗଡ଼ ୫-୦ରେ ହକି ଅରୁଣାଚଳକୁ ପରାସ୍ତ କରିଥିଲା। ପୁଲ୍‌-ଏ’‌ରେ ହରିୟାଣା ୨୫-୦ ଗୋଲ୍‌ରେ ପୁଡୁଚେରିକୁ ପରାସ୍ତ କରଥିଲା ବେଳେ ଗ୍ରୁପ୍‌-ବି’ରେ ମହାରାଷ୍ଟ୍ର ୭-୦ରେ ବିହାରକୁ ଏବଂ ଗ୍ରୁପ୍‌-ସି’ରେ ମଧ୍ୟପ୍ରଦେଶ ୧୫-୦ରେ ବେଙ୍ଗଲକୁ ହରାଇଥିଲା।

ସମ୍ବନ୍ଧିତ ଖବର