ନୂଆଦିଲ୍ଲୀ: ହରିୟାଣାର ପଞ୍ଚକୁଲାଠାରେ ଶନିବାରଠୁ ନୂଆ ଫର୍ମାଟ୍‌ରେ ଜାତୀୟ ମହିଳା ହକି ପ୍ରତିଯୋଗିତା ଆରମ୍ଭ ହେବ। ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୨୮ ଦଳ ଅଂଶଗ୍ରହଣ କରୁଛନ୍ତି। ଏମାନଙ୍କୁ ୩ଟି ଡିଭିଜନ୍‌ ଏ’, ବି’, ସିରେ ଭାଗ କରାଯାଇଛି। ଡିଭିଜନ-ଏ’ରେ ୧୨ ଶୀର୍ଷ ଦଳ ରହିଥିଲା ବେଳେ ଏମାନେ ଟ୍ରଫି ପାଇଁ ଲଢ଼େଇ କରି‌ବେ। ଏହି ଦଳଗୁଡ଼ିକୁ ୪ ପୁଲ୍‌ରେ ରଖାଯାଇଛି। ପୁଲ୍‌-ଏ’ରେ ଓଡ଼ିଶା ସହ ହରିୟାଣା ଓ କର୍ଣ୍ଣାଟକ ରହିଛନ୍ତି। ପୁଲ୍‌-ବି’ରେ ମହାରାଷ୍ଟ୍ର, ମଣିପୁର, ପଞ୍ଜାବ, ପୁଲ୍‌-ସି’ରେ ଝାଡ଼ଖଣ୍ଡ, ମିଜୋରାମ, ତାମିଲନାଡ଼ୁ, ପୁଲ୍‌-ଡି’ରେ ମଧ୍ୟପ୍ରଦେଶ, ବେଙ୍ଗଲ ଓ ଉତ୍ତରପ୍ରଦେଶ ରହିଛନ୍ତି। ପ୍ରତ୍ୟେକ ଦଳ ନିଜ ନିଜ ପୁଲ୍‌ରେ ଲିଗ୍‌ ଫର୍ମାଟ୍‌ରେ ଖେଳିବେ। ପ୍ରତି ପୁଲ୍‌ର ଶ୍ରେଷ୍ଠ ଦଳ କ୍ବାର୍ଟରଫାଇନାଲ୍‌ରେ ପହଞ୍ଚିବ। ଏହାର ବିଜେତା ଦଳ ୧୫ତମ ଜାତୀୟ ମହିଳା ହକି ଟ୍ରଫି କରାୟତ୍ତ କରିବ। ଶେ‌ଷ ଦୁଇ ସ୍ଥାନରେ ଥିବା ଦଳ ଡିଭିଜନ୍‌-ବିକୁ ଖସିବେ। ଓଡ଼ିଶା ପ୍ରଥମ ମ୍ୟାଚ୍‌ ୬ ତାରିଖରେ ହରିୟାଣା ଏବଂ ୭ରେ କର୍ଣ୍ଣାଟକ ବିପକ୍ଷରେ ଖେଳି ଲିଗ୍‌ ପର୍ଯ୍ୟାୟ ଶେଷ କରିବ।

Advertisment

ଡିଭିଜନ୍‌-ବି’ର ‌ଶ୍ରେଷ୍ଠ ଦୁଇ ଦଳ ଆଗାମୀ ଋତୁରେ ଡିଭିଜନ୍‌-ଏ’କୁ ପଦୋନ୍ନତି ପାଇବେ। ଶେଷ ଦୁଇ ଦଳ ଡିଭିଜନ୍‌-ସି’କୁ ଆସିବେ। ଏହି ଡିଭିଜନ୍‌ରେ ୯ ଦଳ ଥିଲା ବେଳେ ଦୁଇଟି ପୁଲ୍‌ରେ ଭାଗ କରାଯାଇଛି। ଏଥିରେ ନକ୍‌ଆଉଟ୍‌ ମ୍ୟାଚ୍‌ ନାହିଁ। ପଏଣ୍ଟ୍‌  ଟେବୁଲ ଅନୁଯାୟୀ ଦୁଇ ଗ୍ରୁପ୍‌ର ଶୀର୍ଷ ଦଳକୁ ପଦୋନ୍ନତି ମିଳିବ। ଗ୍ରୁପ୍‌-ସି’ରେ ୭ ଦଳ ରହିଥିଲା ବେଳେ ଦୁଇଟି ଗ୍ରୁପ୍‌ରେ ଭାଗ କରାଯାଇଛି। ପ୍ରତି ଗ୍ରୁପ୍‌ର ଶୀର୍ଷ ଡିଭିଜନ୍‌-ବି’କୁ ଉନ୍ନତି କରିବ। ଏଥିରେ ମଧ୍ୟ କୌଣସି ନକ୍‌ଆଉଟ୍‌ ମ୍ୟାଚ୍‌ ନାହିଁ।