ଭୁବନେଶ୍ବର: ରାଞ୍ଚିରେ ଚାଲିଥିବା ଜାତୀୟ ମହିଳା ହକି ଲିଗ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି ଓଡ଼ିଶା। ଫାଇନାଲ୍‌ରେ ଓଡ଼ିଶା ଟେବୁଲ ଟପ୍ପର୍ ହରିୟାଣାକୁ ଭେଟିବ। ଏହି ମ୍ୟାଚ୍ ଶୁକ୍ରବାର ଖେଳାଯିବ। ଉଭୟ ଓଡ଼ିଶା ଓ ହରିୟାଣା ୧୫ ପଏଣ୍ଟ୍‌ ଲେଖାଏଁ ପାଇଥିଲେ ମଧ୍ୟ ଗୋଲ୍‌ ବ୍ୟବଧାନରେ ଉନ୍ନତ ସ୍ଥିତିରେ ରହି ହରିୟାଣା ଗୁରୁବାର ଶେଷ ‌ହୋଇଥିବା ଏହି ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟର ଶୀର୍ଷ ସ୍ଥାନରେ ରହି ଫାଇନାଲ୍‌କୁ ଯାଇଛି। ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଆୟୋଜକ ଝାଡ଼ଖଣ୍ଡ ଓ ମିଜୋରାମ ମୁହାଁମୁହିଁ ହେବେ। 

Advertisment

ଗୁରୁବାର ଗ୍ରୁପ୍‌-ଏ’ରେ ଥିବା ଓଡ଼ିଶା କିନ୍ତୁ ନିଜ ଶେଷ ଲିଗ୍‌ ମ୍ୟାଚ୍‌ରେ ଘରୋଇ ଝାଡ଼ଖଣ୍ଡଠାରୁ ୦-୨ରେ ହାରି ଯାଇଥିଲା। ଶାନ୍ତି କୁମାରୀ (୩ ମିନିଟ୍) ଏବଂ ହେମ୍ରମ ଲିଓନି (୪୨ ମିନିଟ୍) ଦୁଇଟି ଗୋଲ୍‌ ଦେଇ ଓଡ଼ିଶା ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ଏହି ବିଜୟ ଆଧାରରେ ଝାଡ଼ଖଣ୍ଡ ୨ ପଏଣ୍ଟ୍ ଅର୍ଜନ କରି ପଏଣ୍ଟ୍‌ ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲା। ଆଜିର ପରାଜୟ ସତ୍ତ୍ବେ ଓଡ଼ିଶା ମୋଟ ୭ ମ୍ୟାଚ୍‌ରୁ ୫ ବିଜୟ (ଗୋଟିଏ ସୁଟ୍ ଆଉଟ୍ ବିଜୟ ସହ) ଓ ଦୁଇଟି ପରାଜୟ ବରଣ କରି ପଏଣ୍ଟ୍‌ ତାଲିକାର ଦ୍ବିତୀୟ ସ୍ଥାନରେ ରହିଥିଲା। ଦିନର ଅନ୍ୟ ଦୁଇଟି ମ୍ୟାଚ୍‌ରେ ମଣିପୁରକୁ ହକି ବେଙ୍ଗଲ ଏବଂ ହରିୟାଣାକୁ ମଧ୍ୟପ୍ରଦେଶ ୨-୧ ଗୋଲ୍‌ରେ ହରାଇଥିଲେ। ତୃତୀୟ ରୋମାଞ୍ଚକ ମୁକାବିଲାରେ ମହାରାଷ୍ଟ୍ର ସେହି ୨-୧ ଗୋଲ୍‌ରେ ମିଜୋରାମକୁ ମାତ୍ ଦେଇଥିଲା।