ଭୁବନେଶ୍ବର: ଉତ୍ତର ପ୍ରଦେଶର ଝାନସୀଠାରେ ଚାଲିଥିବା ଏକାଦଶ ଜାତୀୟ ବରିଷ୍ଠ ମହିଳା ହକି ପ୍ରତିଯୋଗିତାରେ ଓଡ଼ିଶା କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛି। ପୁଲ୍-ଡି’ରେ ସ୍ଥାନ ପାଇଥିବା ଓଡ଼ିଶା ଶୁକ୍ରବାର ପ୍ରଥମ ମ୍ୟାଚ୍ରେ ହିମାଚଳକୁ ୧୮-୦ରେ ପରାସ୍ତ କରିଥିଲା ବେଳେ ରବିବାରର ମୁକାବିଲାରେ ଛତିଶଗଡ଼କୁ ଏକତରଫା ଭାବେ ୩-୦ ଗୋଲ୍ରେ ପରାସ୍ତ କରି ଏହି ସଫଳତା ଲାଭ କରିଛି। ଓଡ଼ିଶା ପକ୍ଷରୁ ତ୍ରୟୋଦଶ ମିନିଟ୍ରେ ଜାହ୍ନବୀ ପ୍ରଧାନ ପ୍ରଥମ ଗୋଲ୍ ଦେଇଥିଲେ। ଏହାର ୩ ମିନିଟ୍ ପରେ ଦୀପ୍ତି ଲାକ୍ରା ଦ୍ବିତୀୟ ଗୋଲ୍ ଦେଇ ଓଡ଼ିଶାକୁ ୨-୦ରେ ଆଗୁଆ କରିଦେଇଥିଲେ। ଉଭୟ ଫିଲ୍ଡ ଗୋଲ୍ ଥିଲା। ୫୨ ମିନିଟ୍ରେ ଖୁସ୍ବୁ କୁଜୁରଙ୍କ ପେନାଲ୍ଟି ଗୋଲ୍ ବଳରେ ୩-୦ର ଏକତରଫା ବିଜୟ ହାସଲ କରିଥିଲା ଅସ୍ମିତା ବାର୍ଲାଙ୍କ ନେତୃତ୍ବରେ ଖେଳୁଥିବା ଓଡ଼ିଶା ଦଳ। ସୂଚନାଯୋଗ୍ୟ ଯେ ଅଲିମ୍ପିଆନ୍ ଲାଜରୁସ ବାର୍ଲା ଓଡ଼ିଶା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଝାନ୍ସୀ ଯାଇଛନ୍ତି। ପୌଲିନ ସୁରିନ ପ୍ରବନ୍ଧକ ଥିଲା ବେଳେ ସୋଭେନ୍ କୁମାର ପ୍ରମୁଖ ପ୍ରଶିକ୍ଷକ ମଣ୍ଡଳିରେ ରହିଛନ୍ତି।
ଦୁଇଟି ମ୍ୟାଚ୍ ଖେଳିଥିବା ଓଡ଼ିଶା ମୋଟ ୨୧ ଗୋଲ୍ କରିଥିଲା ବେଳେ କୌଣସି ବି ଗୋଲ୍ ବରଣ କରିନାହିଁ। ଓଡ଼ିଶା କ୍ବାର୍ଟର ଫାଇନାଲ୍ରେ ପୁଲ୍-ଇ’ର ବିଜେତା ଦଳକୁ ୨୭ ତାରିଖରେ ଭେଟିବ। ୮ଟିଯାକ ପୁଲ୍ର ବିଜେତା ଦଳ ହିଁ କ୍ବାର୍ଟର ଫାଇନାଲ୍ ଖେଳିବେ। ୨୯ ତାରିଖରେ ଏହି ପ୍ରତିଯୋଗିତାର ସେମିଫାଇନାଲ୍ ଏବଂ ୩୦ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ରବିବାର ଖେଳାଯାଇଥିବା ଅନ୍ୟ ପୁଲ୍ ମ୍ୟାଚ୍ଗୁଡ଼ିକରେ ପଞ୍ଜାବ ୬-୦ ଗୋଲ୍ରେ ଚଣ୍ଡୀଗଡ଼କୁ, ଆନ୍ଧ୍ରପ୍ରଦେଶ ୩-୨ରେ ଅରୁଣାଚଳକୁ, ହରିଆନା ୬-୦ରେ ଉତ୍ତରାଖଣ୍ଡକୁ, ମହାରାଷ୍ଟ୍ର ୧୪-୧ରେ ଗୋଆକୁ ଏବଂ ମଧ୍ୟପ୍ରଦେଶ ୨୮-୦ରେ ଗୁଜରାଟକୁ ପରାସ୍ତ କରିଛି।