ଜାତୀୟ ମହିଳା ଦିନିକିଆ: ସୁଶ୍ରୀଙ୍କ ଅର୍ଦ୍ଧଶତକ, ମଧୁସ୍ମିତାଙ୍କୁ ୫ ୱିକେଟ୍‌; ଓଡ଼ିଶାର ଲଗାତାର ବିଜୟ

ଭୁବନେଶ୍ବର: ଜାତୀୟ ବରିଷ୍ଠ ମହିଳା ଦିନିକିଆ କ୍ରିକେଟ୍‌ରେ ମଙ୍ଗଳବାର ଓଡ଼ିଶା ୪୩ ରନ୍‌ରେ ତ୍ରିପୁରାକୁ ପରାସ୍ତ କରି ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି। ମଙ୍ଗଳବାର ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ଅଧିନାୟିକା ମଧୁସ୍ମିତା ବେହେରାଙ୍କ ମିତ୍ତବ୍ୟୟୀ ବୋଲିଂ ବଳରେ ଜବରଦସ୍ତ ବିଜୟ ହାସଲ କରିଥିଲା। ଗୁଜରାଟର ସୁରତସ୍ଥିତ ଜିମଖାନା ପଡ଼ିଆରେ ମଙ୍ଗଳବାର ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ୮୨ ବଲ୍‌ ୫୯ ରନ୍‌ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୧୬୩ ରନ୍ କରିଥିଲା। ସୁଶ୍ରୀଙ୍କ ବ୍ୟତୀତ ମାଧୁରୀ ମେହେଟ୍ଟା ୨୯ ରନ୍‌ (୫୨ ବଲ୍‌), କାଜଲ ଜେନା ୨୮ ରନ୍‌ (୫୯ ବଲ୍‌) ର ଯୋଗାଦାନ ରଖିଥିଲେ। ତ୍ରିପୁରା ପକ୍ଷରୁ ଅଧିନାୟିକା ଏବି ଦାସ ସର୍ବାଧିକ ୩ ୱିକେଟ୍ ନେଇଥିଲେ। ସେ ମଧ୍ୟ ଚମତ୍କାର ବୋଲିଂ ଚିତ୍ର ୧୦-୫-୧୪-୩ ପାଇଥିଲେ। ଜବାବରେ ମଧୁସ୍ମିତା ବେହେରା (୯-୨-୧୫-୫)ଙ୍କ ଘାତକ ବୋଲିଂ ଆଗରେ ତ୍ରିପୁରା ବ୍ୟାଟର୍‌ ୪୮.୨ ଓଭରରେ ୧୨୦ ରନ୍‌ରେ ଅଲ୍ ଆଉଟ୍ ହୋଇ ଆତ୍ମସମର୍ପଣ କରିଥିଲେ। ସୁଜାତା ମଲ୍ଲିକ (୭.୨-୧-୨୧-୧) ଏବଂ ରୋସନାରା ପରବିନ୍‌ (୧୦-୧-୨୭-୧) ମଧ୍ୟ ପ୍ରଭାବୀ ବୋଲିଂ କରିଥିଲେ। ଓଡ଼ିଶା ପରବର୍ତୀ ମ୍ୟାଚ୍‌ ମାର୍ଚ୍ଚ ୧୮ ତାରିଖରେ ଛତିଶଗଡ଼ ସହ ସୁରତର ସିକେ ପିଠାୱାଲା ଗ୍ରାଉଣ୍ଡରେ ଖେଳିବ।

ଆଇସିସି ମାନ୍ୟତା ଶୀର୍ଷ ୨୦ରେ ପୁନମ

ଦୁବାଇ: ସଂପ୍ରତି ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ବ୍ୟାଟର୍‌ ପୁନମ ରାଉତ ମଙ୍ଗଳବାର ପ୍ରକାଶିତ ଆଇସିସି ମାନ୍ୟତାର ଶୀ‌ର୍ଷ ୨୦ରେ ସ୍ଥାନ ପାଇଛନ୍ତି। ଗତ ୩ ମ୍ୟାଚ୍‌ରେ ଯଥାକ୍ରମେ ୬୨*, ୭୭ ଓ ୧୦୪* ରନ୍‌ କରିଥିବା ପୁନମ ୮ଟି ସ୍ଥାନ ଲମ୍ଫ ଦେଇ ତ୍ରୟୋଦଶରେ ପହଞ୍ଚିଛନ୍ତି। ଶୀର୍ଷ ଭାରତୀୟ ବ୍ୟାଟର୍‌ ଭାବେ ସ୍ମୃତି ମନ୍ଧାନା (ସପ୍ତମ) ଏବଂ ତାଙ୍କ ପଛକୁ ଅଧିନାୟିକା ମିତାଲି ରାଜ (ନବମ) ରହିଛନ୍ତି। ଉପଅଧିନାୟିକା ହରମନପ୍ରୀତ କୌର ଦୁଇଟି ସ୍ଥାନ ଉପରକୁ ଉଠି ପଞ୍ଚଦଶରେ ପହଞ୍ଚିଥିଲା ବେଳେ ବୋଲର ତାଲିକାରେ ୪୯ରେ ରହିଛନ୍ତି। ବାମହାତୀ ସ୍ପିନର ରାଜେଶ୍ବରୀ ଗାଏକ୍ବାଡ ଅଷ୍ଟାଦଶରେ ରହିଛନ୍ତି।

ସମ୍ବନ୍ଧିତ ଖବର