ଜାତୀୟ ମହିଳା ଟ୍ବେଣ୍ଟି-୨୦: ଓଡ଼ିଶା ସେମିକୁ ଉନ୍ନୀତ

ଭୁବନେଶ୍ବର: ଓଡ଼ିଶା ମହିଳା କ୍ରିକେଟ୍‌ ଦଳ ନିଜ ଜୟଯାତ୍ରା ଅବ୍ୟାହତ ରଖି ଚଳିତ ଜାତୀୟ ମହିଳା ଟ୍ବେଣ୍ଟି-୨୦ ଲିଗ୍‌ର ସେମିଫାଇନାଲ୍‌କୁ ଉନ୍ନୀତ ହୋଇଛି। ସୁରଟରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍‌ରେ ଓଡ଼ିଶା ଶନିବାର ୧୩ ରନ୍‌ରେ ହରିୟାଣାକୁ ପରାସ୍ତ କରି ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିନେଇଛି। ଲାଲ୍ ଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଓଡ଼ିଶା ନିର୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୧ ରନ୍‌ କରିଥିଲା। ମାଧୁରୀ ମେହେଟା (୬୬ ରନ୍‌, ୫୫ ବଲ୍‌), ପ୍ରଜ୍ଞା ମହାନ୍ତି (୩୦ ରନ୍‌, ୧୯ ବଲ୍), କାଜଲ ଜେନା (୨୨ ରନ୍‌, ୨୦ ବଲ୍‌), ସୁଶ୍ରୀ ଦିବ୍ୟଦର୍ଶିନୀ (୧୬ ରନ୍‌,‌ ୧୪ ବଲ୍) ପ୍ରମୁଖ କେବଳ ଦୁଇ ଅଙ୍କ ସ୍କୋର୍‌ କରିଥିଲେ।

ହରିୟାଣା ପକ୍ଷରୁ ମାନସୀ ଯୋଶୀ (୨/୧୮), ପ୍ରିୟଙ୍କା ଶର୍ମା (୧/୨୩), ସୋନିଆ ମେଣ୍ଡିଆ (୧/୨୨), ତ୍ରିବେଣୀ ବଶିଷ୍ଟା (୧/୨୧) ପ୍ରମୁଖ ଓଡ଼ିଶା ୱିକେଟ୍‌ ବାଣ୍ଟି ନେଇଥିଲେ। ଜବାବରେ ହରିୟାଣା ୨୦ ଓଭରରେ ୧୩୧/୮ରେ ସୀମିତ ରହିଯାଇଥିଲା। ରୀମା ସିସୋଡିଆ (୨୭) ଓ ସୁମନ ଗୁଲିଆ (୨୭) କେବଳ ସାମୟିକ ମୁକାବିଲା କରିଥିଲେ। ଓଡ଼ିଶା ପାଇଁ ସୁଜାତା ମଲ୍ଲିକ (୩-୦-୨୦-୨), ରସନାରା ପରବିନ (୪-୦-୩୦-୨), ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ (୪-୦-୧୯-୧), ମଧୁସ୍ମିତା ବେହେରା (୨-୦-୧୯-୧), ପ୍ରିୟଙ୍କା ପ୍ରୟଦର୍ଶିନୀ ସାହୁ (୪-୦-୨୭-୧) ପ୍ରମୁଖ ହରିୟାଣା ପାଳିକୁ ରୋକି‌ ଦେଇଥିଲେ। ମାଧୁରୀ ମ୍ୟାଚ୍‌ର ‌େଶ୍ରଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସୋମବାର ଓଡ଼ିଶା ସେମିଫାଇନାଲରେ ଶକ୍ତିଶାଳୀ ଦଳ ତଥା ଗତଥରର ବିଜେତା ରେଳବାଇକୁ ଭେଟିବ।

ସମ୍ବନ୍ଧିତ ଖବର