ସର୍ବଭାରତୀୟ ୱାଇଏମ୍‌ସି କପ୍: ସେମିରେ ରାଇଜିଂ ଷ୍ଟୁଡେଣ୍ଟ

ନୂଆପଡ଼ା: ନୂଆପଡ଼ା ମିନି ଷ୍ଟାଡିୟମ୍‌ରେ ଚାଲିଥିବା ସର୍ବଭାରତୀୟ ୱାଇଏମ୍‌ସି କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ କଟକର ରାଇଜିଂ ଷ୍ଟୁଡେଣ୍ଟ୍‌ ପହଞ୍ଚିଯାଇଛି। ଶୁକ୍ରବାର କ୍ବାର୍ଟର ଫାଇନାଲ୍‌ରେ ଏହି ଦଳ ଝାରସୁଗୁଡ଼ା ପ୍ରୋଗ୍ରେସିଭ୍‌ ଦଳକୁ ପରାସ୍ତ କରିଛି।

କଟକ ଦଳ ପ୍ରଥମେ ବ୍ୟାଟିଂ କରି ୩୫ ଓଭରରେ ୭ ୱିକେଟ୍‌ ବିନିମୟରେ ୨୨୩ ରନ୍‌ କରିଥିଲା। ବିପ୍ଲବ ସାମନ୍ତରାୟ ୪୬ ଓ ଗିରିଜା ଶଙ୍କର ବାରିକ ୪୧ ରନ୍‌ କରିଥିଲେ। ଜବାବରେ ଝାରସୁଗୁଡ଼ା ଦଳ ୨୮ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୩୫ ରନ୍‌ କରିପାରିଥିଲା। କଟକ ପକ୍ଷରୁ ତାରାକାନ୍ତ ସାମଲ ୫ ଏବଂ ବିପ୍ଲବ ସାମନ୍ତରାୟ, ଅଭିଶେଷ ଗିରି ୨ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ବିଜୟୀ ଦଳର ତାରାକାନ୍ତ ସାମଲଙ୍କୁ କୁଲିଆବନ୍ଧା ସମିତି ସଭ୍ୟ ହୀରାଲାଲ ପଟେଲ, ସାରାବାଙ୍ଗ ସରପଞ୍ଚ ଭରତଲାଲ ରାଉତ ଓ ପୁନିତରାମ ରାଉତ ପୁରସ୍କାର ପ୍ରଦାନ କରିଥିଲେ।

ଅମିୟ ସାହୁ ଓ ନାରାୟଣ ମେହେର ଖେଳ ପରିଚାଳନା କରିଥିଲେ। ଅତିଥି ଭାବେ ନୂଆପଡ଼ା ଉପଜିଲ୍ଲାପାଳ ତରଣୀସେନ ନାଏକ, ବିଜେଡି ଉପସଭାପତି କ୍ଷିତିଶ ଅଶୋକ ବୋଧଙ୍କର, ନୂଆପଡ଼ା ନ୍ୟାସନାଲ କଲେଜର ଅଧ୍ୟକ୍ଷା କବିତା ରଥ, ବିଜେପି ଉପସଭାପତି ଦିଲୀପ ନିର୍ମଳକର, ବିଜେଡିର ପ୍ରମୋଦ ସାହୁ ଓ ସରୋଜ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର